ETV Bharat / state

Hindol NAC Election: ସରିଲା ମତଦାନ, EVMରେ କଏଦ ପ୍ରର୍ଥୀଙ୍କ ଭାଗ୍ୟ

author img

By

Published : Apr 3, 2023, 8:30 PM IST

Hindol NAC Election
ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନ

ଶୃଙ୍ଖଳିତ ଭାବେ ସରିଲା ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନ ପାଇଁ ମତଦାନ । ଶତକଡା ୮୮ ପ୍ରତିଶତ ମତଦାନ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନ

ଢେଙ୍କାନାଳ: ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ୮୮ ପ୍ରତିଶତ ମତ ସାବ୍ୟସ୍ତ କଲେ ଭୋଟର । ଇଭିଏମରେ ସିଲ୍‌ ହୋଇଛି ୩ ଜଣ ଅଧ୍ୟକ୍ଷ ଓ ୫୦ ଜଣ କାଉନିସଲରଙ୍କ ଭାଗ୍ୟ । ପୋଲିସର କଡ଼ା ସୁରକ୍ଷା ବଳରେ ସମସ୍ତ ବୁଥରୁ ଇଭିଏମ ମେସିନ NAC କାର୍ଯ୍ୟାଳୟର ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତା ୫ ତାରିଖରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯିବ ।

ବିଜ୍ଞାପିତ ପରିଷଦ ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସରିଯାଇଛି । ତେବେ ହିନ୍ଦୋଳରେ ଶତକଡା ୮୮ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ନଗରପାଳ ଓ ୧୬ଟି ୱାର୍ଡର କାଉନସିଲର ପଦବୀ ପାଇଁ ପୃଥକ ପୃଥକ ଇଭିଏମରେ ଭୋଟରମାନେ ମତ ସାବ୍ୟସ୍ତ କରିଥିବା ଏନଏସି ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । ଭୋଟ ଗ୍ରହଣ ପ୍ରକ୍ରିୟା ସରିବା ପରେ ସମସ୍ତ ୧୬ଗୋଟି ବୁଥରେ ଇଭିଏମ ମେସିନକୁ ପୁଲିଂ ପାର୍ଟିମାନେ ସିଲ କରିଥିଲେ । ପରେ ଇଭିଏମକୁ କଡ଼ା ସୁରକ୍ଷା ବଳରେ ହିନ୍ଦୋଳ NAC କାର୍ଯ୍ୟାଳୟ ସ୍ଥିତ ଷ୍ଟ୍ରଙ୍ଗ ରୁମକୁ ସ୍ଥାନନ୍ତର କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ପ୍ରକ୍ରିୟା ସାରି ଯାଇଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ।

ସୂଚନା ମୁତାବକ, ହିନ୍ଦୋଳ NACରେ ୧୬ଟି ୱାର୍ଡର କାଉନସିଲର ପଦବୀ ଓ ସିଧାସଳଖ ଭାବେ ନଗରପାଳ ପଦବୀ ପାଇଁ ଏହି ଭୋଟ ଗ୍ରହଣ କରାଯାଇଛି । ମୋଟ ୯ ହଜାର ୮୬୩ଜଣ ଭୋଟରଙ୍କ ମଧ୍ୟରୁ ୮ହଜାର ୬୪୧ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଫଳରେ ହିନ୍ଦୋଳରେ ଶତକଡା ୮୮ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ନଗରପାଳ ପଦବୀ ପାଇଁ ୩ ଜଣ ଓ ୧୬ଟି ୱାର୍ଡର କାଉନସିଲର ପଦବୀ ପାଇଁ ୫୦ ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଥିଲେ । ତେବେ ଭୋଟ ଗ୍ରହଣକୁ ନେଇ ଆରମ୍ଭରୁ NAC ଭୋଟରମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ଭୋଟରମାନେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ଚୟନ କରିଛନ୍ତି ।

ଏନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି, "ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ବିଜ୍ଞାପିତ ପରିଷଦ ନିର୍ବାଚନ ଭୋଟ ଗ୍ରହଣ ଶେଷ ହୋଇଛି । ୮୮ ପ୍ରତିଶତ ଭୋଟର ମତ ସାବ୍ୟସ୍ତ କରିଛନ୍ତି । ସୁରକ୍ଷାର ସହ ଇଭିଏମ ଗୁଡ଼ିକୁ ଷ୍ଟ୍ରଙ୍ଗ୍‌ ରୁମରେ ରଖାଯାଇଛି । ମତଦାନ ପାଇଁ ୬ଟି ବୁଥ ସମ୍ବେଦନଶୀଳ ଥିବାବେଳେ ୨ଟି ବୁଥ ଅତିସମ୍ବେଦନଶୀଳ ରହିଥିଲା । ତେଣୁ ଏହି ବୁଥ ଗୁଡି଼କରେ କୌଣସି ବିଶୃଙ୍ଖଳା ପରିଲକ୍ଷିତ ହୋଇନଥିଲା । ସ୍ୱତନ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.