ETV Bharat / state

ହିନ୍ଦୋଳରେ ଦନ୍ତା ହାତୀର ଆତଙ୍କ, ଯୁବକଙ୍କୁ ଘରୁ ଘୋଷାଡ଼ି ମାରିଲା

author img

By

Published : Jan 27, 2023, 8:05 AM IST

elephant attack in dhenkanal
elephant attack in dhenkanal

ହିନ୍ଦୋଳ ବନାଞ୍ଚଳର କୁନୁଆଁ ଗ୍ରାମରେ ଯୁବକଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା। ଅଧିକ ପଢନ୍ତୁ

ଢେଙ୍କାନାଳ: ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଗୋଟିଏ ପଟରେ ଧାନ ଅମଳ ସମୟ ହୋଇଥିବାରୁ ହାତୀପଲ ଧାନ ଖାଇବାକୁ ଗାଁ ଗାଁରେ ପଶି ଯାଉଛନ୍ତି । ଲୋକମାନଙ୍କର ଧାନ ଖଳାରେ ପଶି ବହୁ ମାତ୍ରାରେ ଧାନ ଖାଇବା ସହ ନଷ୍ଟ ମଧ୍ୟ କରୁଛନ୍ତି । ସେହିପରି ଆଉ କେତେବେଳେ ହାତୀ ହାବୁଡ଼ରେ ପଡି ଲୋକଙ୍କ ପ୍ରାଣହାନି ଘଟୁଛି । ଏପରିସ୍ଥଳେ ଆଜି ସକାଳ ସମୟରେ ଏକ ଦନ୍ତାହାତୀ ହିନ୍ଦୋଳ ବନାଞ୍ଚଳର କୁନୁଆଁ ଗ୍ରାମରେ ରଚିଛି ଉନ୍ମତ୍ତ କାଣ୍ଡ । କୁନୁଆଁ ଗ୍ରାମର ପଧାନୀ ସାହିରେ ଏହି ଦନ୍ତା ପଶି ଧାନ ଖଳାରେ ଧାନ ଫସଲ ନଷ୍ଟ କରିଛି । ପରେ ଜଣଙ୍କୁ ଘରୁ ଘୋଷାଡ଼ି ଆଣି ଦଳି ଦେଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ପଧାନୀ ସାହିର ସୁବ୍ରତ ନାଏକ ବୋଲି ଜଣାପଡିଛି ।

ଗତ ବୁଧବାର ରାତିରେ ସୁବ୍ରତ ତାଙ୍କ ଘରେ ଶୋଇଥିଲେ । ତାଙ୍କ ଘର ମାଟି ଘର ହୋଇ ଥିବାରୁ ଦନ୍ତାହାତୀ ତାଙ୍କ କାନ୍ଥ ଭାଙ୍ଗି ଘରୁ ତାଙ୍କୁ ଘୋଷାଡି ଆଣି କଚାଡି ଦେଇଥିଲା । ଫଳରେ ସେ ଚିତ୍କାର କରିବାରୁ ସାହି ଲୋକେ ଆସି ହାତୀକୁ ଘଉଡାଇବା ସହ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ହାତୀଟି ପାଖ ଜଙ୍ଗଲକୁ ପଳାଇ ଯାଇଥିବା ବେଳେ ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ପ୍ରକାଶ ଥାଉକି, କିଛିଦିନ ପୂର୍ବେ ରାଉରକେଲା ଉପଖଣ୍ଡରେ ଜଣେ ବୃଦ୍ଧାଙ୍କୁ ଟାଣିଆଣି ଦଳି ଦେଇଥିଲା ହାତୀ । ଯାହାଫଳରେ ବୃଦ୍ଧା ଜଣକ ମୃତ୍ୟୁବରଣ କରିଥିବା ଜଣାପଡିଛି । ବୃଦ୍ଧା ଜଣକ ସକାଳୁ ହଠାତ ଘର ବାହାରକୁ ଯାଇଥିଲେ । ବାହାରେ କୁହୁଡ଼ି ପଡ଼ିଥିବାରୁ ଘର ପାଖରେ ହାତୀ ଛିଡ଼ା ହୋଇଥିବା ଦେଖି ପାରି ନଥିଲେ । ଯେତେବେଳେ ହାତୀଟି ପାଖକୁ ଆସିଥିଲା ତାକୁ ଦେଖି ଦୌଡ଼ିଥିଲେ ବୃଦ୍ଧା । କିନ୍ତୁ ହାତୀ ବୃଦ୍ଧଙ୍କୁ ଟାଣି ନେଇଥିଲା । ପରେ ଏକ ବୁଦା ମୂଳରେ ଚକଟି ମାରିଦେଇଥିଲା ହାତୀ ।

ସେହିପରି ଅନ୍ୟପଟେ ବଣାଇ ବନାଞ୍ଚଳରେ ଦୀର୍ଘ ମାସ ହେଲା ଜଙ୍ଗଲୀ ହାତୀଙ୍କ ଉତ୍ପାତ ବଢ଼ିଥିବା ଦେଖିବାକୁ ମିଳିଛି । ଏନେଇ ଅତିଷ୍ଠ ଅଞ୍ଚଳବାସୀ । ବାରମ୍ବାର ବଣାଇ ଅଞ୍ଚଳରେ ହାତୀ ଆକ୍ରମଣ ବଢୁଥିବାରୁ ବହୁ କଷ୍ଟରେ ଦେବଗଡ଼ ଜିଲ୍ଲା ଅଞ୍ଚଳକୁ ହାତୀକୁ ଘଉଡାଇଥିଲା ବନବିଭାଗ । ହେଲେ ଆଜି ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଯିବାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରି ପାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ଗାଁ ଭିତରେ ବୁଲୁଛି ହାତୀପଲ । ହାତୀର ଗର୍ଜନ ଶୁଣି ଭୟରେ ଥରୁଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.