ETV Bharat / state

ହିନ୍ଦୋଳ ଏନଏସିରେ ବିଜେଡିର ବାଜିମାତ, ୧୧ ୱାର୍ଡରେ ବିଜେଡି ଓ ୫ ୱାର୍ଡରେ ବିଜେପି କାଉନସିଲର ବିଜୟୀ

author img

By

Published : Apr 5, 2023, 7:35 PM IST

ହିନ୍ଦୋଳ ଏନଏସିରେ ବିଜେଡିର ବାଜିମାତ
ହିନ୍ଦୋଳ ଏନଏସିରେ ବିଜେଡିର ବାଜିମାତ

ହିନ୍ଦୋଳ ଏନଏସି ନିର୍ବାଚନରେ ପୁଣି ବାଜି ମାରିଲା ବିଜେଡି । ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର କେଶବ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୌଭାଗିନୀ ପ୍ରଧାନଙ୍କ ଠାରୁ ୪୨୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏନଏସିର ମୋଟ ୧୬ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡି ଓ ମାତ୍ର ୫ଟି ୱାର୍ଡରେ ବିଜେପି କାଉନସିଲର ବିଜୟୀ । ଅଧିକ ପଢ଼ନ୍ତୁ

ହିନ୍ଦୋଳ ଏନଏସିରେ ବିଜେଡିର ବାଜିମାତ

ଢେଙ୍କାନାଳ: ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଆସନକୁ ପୁଣି ଦଖଲ କରିଛି ବିଜେଡି । ଆଜି ହିନ୍ଦୋଳ ଏନଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଥିବା ବେଳେ ଏହାର ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ କେଶବ ପ୍ରଧାନ ବିଜୟୀ ହୋଇଛନ୍ତି । କେଶବ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୌଭାଗିନୀ ପ୍ରଧାନଙ୍କଠାରୁ ୪୨୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡିଛି । ବିଜେଡିର କେଶବ ପ୍ରଧାନ ୪ ହଜାର ୩୪୭ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ସୌଭାଗିନୀ ପ୍ରଧାନ ୩ ହଜାର ୯୨୩ ଖଣ୍ଡ ଭୋଟ ପାଇଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ରିତା ପଲେଇଙ୍କୁ ମାତ୍ର ୨୧୯ ଖଣ୍ଡ ମିଳିଛି । ଅପରପକ୍ଷରେ ନୋଟାରେ ୧୫୧ ଭୋଟ ପଡ଼ିଥିବା ଜଣାପଡିଛି ।

ସେପଟେ ଏନଏସିର ମୋଟ ୧୬ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡି ଓ ମାତ୍ର ୫ଟି ୱାର୍ଡରେ ବିଜେପି କାଉନସିଲର ବିଜୟୀ ହୋଇଥିବା ପ୍ରକାଶ କରିଛନ୍ତି ହିନ୍ଦୋଳ ଏନଏସି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ । ତେବେ ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳବାସୀଙ୍କୁ ଦେଇଥିବା ପ୍ରତିଶୃତି ମୁତାବକ ଏନଏସିର ଉନ୍ନତି ପାଇଁ ଉଦ୍ୟମ କରିବେ ବୋଲି ବିଜୟୀ ନଗରପାଳ ପ୍ରକାଶ କରିଛନ୍ତି । ଚଳିତ ଏନଏସି ନିର୍ବାଚନରେ ମୋଟ ୯ ହଜାର ୮୬୩ ଭୋଟରଙ୍କ ମଧ୍ୟରୁ ୮ ହଜାର ୬୪୦ ଜଣ ଭୋଟର ଭୋଟ ଦେଇଥିବାବେଳେ ଶତକଡା ୮୮ ପ୍ରତିଶତ ମତଦାନ ହୋଇଥିଲା । ଫଳାଫଳରେ ବିଜେଡିର ବାଜିମାତ ପରେ ବିଜେଡି ଶିବିରରେ ବେଶ ଉତ୍ସାହ ଦେଖାଦେଇଛି । ବିଜେଡି କର୍ମୀମାନେ ବାଣ ଫୁଟାଇ ଓ ବାଜା ବଜାଇ ବିଜୟୀ ନଗରପାଳ ଓ କାଉନସିଲର ମାନଙ୍କୁ ନେଇ ହିନ୍ଦୋଳରେ ବିଜୟ ଶୋଭଯାତ୍ରା କରିଥିଲେ । ଶୋଭାଯାତ୍ରାରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ସମେତ ପ୍ରମୁଖ ନେତା ଓ କର୍ମୀ ସାମିଲ ଥିଲେ ।

ପ୍ରକାଶ ଥାଉକି, ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେପି ଖାତାକୁ ୱାର୍ଡ ନମ୍ବର ୫, ୬, ୯, ୧୨ ଓ ୧୩ ୱାର୍ଡ ଯାଇଛି । ୱାର୍ଡ ନମ୍ବର ୫ରେ ଦୀପକ ରଞ୍ଜନ ବିଶ୍ୱାଳ, ୱାର୍ଡ ୬ରେ ତୃପ୍ତିମୟୀ ବେହେରା, ୱାର୍ଡ ନମ୍ବର ୯ରେ କାର୍ତ୍ତିକ ପ୍ରଧାନ, ୱାର୍ଡ ନମ୍ବର ୧୨ରେ ଶରତ ଭୁତିଆ ଓ ୱାର୍ଡ ନମ୍ବର ୧୩ରେ ପ୍ରତିମା ନାୟକ ବିଜେପି କାଉନସିଲର ପ୍ରାର୍ଥୀ ଭବେ ବିଜୟୀ ହୋଇଥିବା ଜଣାପଡିଛି । ଦୁଇଟି ଟେବୁଲରେ ଇଭିଏମରୁ ଭୋଟ ଗଣତି କରାଯାଇଥିଲା । ନଗରପାଳ ପାଇଁ ଗୋଟିଏ ଓ କାଉନସିଲର ପାଇଁ ଗୋଟିଏ, ଏପରି ଦୁଇଟି ଟେବୁଲରେ ହୋଇଥିଲା ଏହି ଭୋଟ ଗଣତି ପ୍ରକ୍ରିୟା । ଫଳରେ ୧୬ଟି ବୁଥ ପାଇଁ ୧୬ଟି ଫେଜରେ ଗଣତି କରାଯାଇଥିଲା ।

ସୂଚନା ଥାଉକି, ଗତ ୨୦୧୩ ମସିହାରେ ପ୍ରଥମେ ହିନ୍ଦୋଳ ଏନଏସି ମାନ୍ୟତା ପାଇଥିଲା । ଗତ ନିର୍ବାଚନରେ ହିନ୍ଦୋଳ ଏନଏସି ବିଜେଡି ଦଳ ଦଖଲରେ ରହିଥିବା ବେଳେ ଚଳିତ ଥର ବିଜେପି କଡା ଟକ୍କର ଦେଇଥିଲା । ତେବେ ବିଜେଡି ପୁଣି ଏହି ନଗରପାଳ ଆସନକୁ ଦଖଲ କରିଛି । ହିନ୍ଦୋଳର ମୋଟ ୧୬ଟି ୱାର୍ଡ ଓ ସିଧାସଳଖ ନଗରପାଳ ପଦବୀ ପାଇଁ ୩ ତାରିଖରେ ଭୋଟ ଗ୍ରହଣ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସରିଥିଲା । ଏହି ହିନ୍ଦୋଳ ଏନଏସି ନିର୍ବାଚନରେ ୩ ଜଣ ନଗରପାଳ ପ୍ରାର୍ଥୀ ଓ ୧୬ ୱାର୍ଡ ପାଇଁ ୫୦ ଜଣ ପ୍ରାର୍ଥୀ ଏପରି ୫୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ଭୋଟର । ତେବେ ମୋଟ ୯ ହଜାର ୮୬୩ ଭୋଟରଙ୍କ ମଧ୍ୟରୁ ୮ ହାଜର ୬୪୧ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ । ଏଥିରେ ପୁରୁଷ ଭୋଟର ୪ ହଜାର ୩୨୯ ଓ ମହିଳା ଭୋଟର ୪ ହଜାର ୩୧୨ ଜଣ ଭୋଟ ଦେଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.