ETV Bharat / state

ହିନ୍ଦୋଳ NAC ନିର୍ବାଚନ: ଆସନ୍ତାକାଲି ଭୋଟ ଗଣତି

author img

By

Published : Apr 4, 2023, 9:32 PM IST

ହିନ୍ଦୋଳ NAC ନିର୍ବାଚନ
ହିନ୍ଦୋଳ NAC ନିର୍ବାଚନ

ଆସନ୍ତାକାଲି ହିନ୍ଦୋଳ NAC ନିର୍ବାଚନ ଭୋଟ ଗଣତି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ହିନ୍ଦୋଳ NAC ନିର୍ବାଚନ

ଢେଙ୍କାନାଳ: ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନ ପାଇଁ ୩ ତାରିଖରେ ଭୋଟ ଗ୍ରହଣ ହୋଇଛି । ୮୮ ପ୍ରତିଶତ ମତଦାନ ହୋଇଥିବାବେଳେ ଆସନ୍ତାକାଲି ଅର୍ଥାତ୍ ୫ ତାରିଖରେ ଭୋଟ ଗଣତି ହେବ । ଏଥିପାଇଁ ହିନ୍ଦୋଳ ଏନଏସିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟକ୍ରମ ରହିଛି । ହିନ୍ଦୋଳ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟଠାରେ ଭୋଟ ଗଣନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିଲାଗି ଦୁଇଟି ଟେବୁଲ ପ୍ରସ୍ତୁତ କରାଯାଇଛି ।

ନଗରପାଳ ପାଇଁ ଗୋଟିଏ ଓ କାଉନସିଲର ପାଇଁ ଗୋଟିଏ ଏପରି ଦୁଇଟି କାଉଟିଂ ଟେବୁଲ ପ୍ରସ୍ତୁତ କରାଯାଇଛି । ଫଳରେ ୧୬ଟି ବୁଥ ପାଇଁ ୧୬ଟି ପର୍ଯ୍ୟାୟରେ କାଉଟିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଏନଏସି ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳ ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ । ସେପଟେ ଏହି କାଉଣ୍ଟିଂ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନଏସି କାର୍ଯ୍ୟାଳୟ ବା କାଉଣ୍ଟିଂ ସେଣ୍ଟରକୁ ଜନ ସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ପ୍ରକାଶ କରିଛନ୍ତି ଏନଏସି ନିର୍ବାଚନ ଅଧିକାରୀ ।

ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡ ଓ ନଗରପାଳ ପଦବୀ ପାଇଁ ୩ ତାରିଖରେ ଭୋଟ ଗ୍ରହଣ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଏହି ନିର୍ବାଚନରେ ୩ଜଣ ନଗରପାଳ ପ୍ରାର୍ଥୀ ଓ ୧୬ ୱାର୍ଡ ପାଇଁ ୫୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି । ତେବେ ମୋଟ ୯ ହଜାର ୮୬୩ ଭୋଟରଙ୍କ ମଧ୍ୟରୁ ୮ହାଜର ୬୪୧ଭୋଟର ମତ ସାବ୍ୟସ୍ତ କରିଥିବା ବେଳେ ଶତକଡା ୮୮ ପ୍ରତିଶତ ମତଦାନ ହୋଇଛି ।

ସୂଚନାଥାଉ କି, ନୂଆପଡା, ଅତାବିରା ସହିତ ହିନ୍ଦୋଳ ଏନଏସିର ଏହା ତୃତୀୟ ନିର୍ବାଚନ । ୧୬ଟି ୱାର୍ଡକୁ ନେଇ ଗଠିତ ଏହି ହିନ୍ଦୋଳ ଏନଏସିର ମୋଟ ଭୋଟର ସଂଖ୍ୟା ୯ ହଜାର ୮୬୩ । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ୫ହଜାର ୪୬ ଓ ମହିଳା ଭୋଟର ୪ହଜାର ୮୧୭ ରହିଛନ୍ତି । ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବାବେଳେ ମୋଟ ୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ଅପରପକ୍ଷରେ ୧୬ଟି ୱାର୍ଡ ପାଇଁ ମୋଟ ୫୦ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନରେ ଲଢ଼ୁଥିବା ବେଳେ ମୋଟ ୫୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟରମାନେ ସେମାନଙ୍କ ମନପସନ୍ଦ ପ୍ରାର୍ଥୀଙ୍କ ପାଇଁ ଅଲଗା ଅଲଗା ଇଭିଏମ ସୁଇଚ ଚିପି ମତସାବ୍ୟସ୍ତ କରିଛନ୍ତି । ଆସନ୍ତାକାଲି ଫଳାଫଳ ପରେ କିଏ ବାଜି ମାରିବ ତାହାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.