ETV Bharat / state

ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

author img

By

Published : Oct 10, 2022, 5:30 PM IST

ରବିବାରଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି ସହରର ପ୍ରତିଟି ପୂଜା ମଣ୍ଡପ । ଅଧିକ ପଢନ୍ତୁ

ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା
ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ: ଜଗତଜନନୀ ମା ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ। ରବିବାର ଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହରର ପ୍ରତିଟି ପୂଜା ମଣ୍ଡପ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ପୂଜା । କୁମାର ପୂର୍ଣ୍ଣିମା ରାତିରୁ ମାଙ୍କୁ ଆବାହନ କରାଯାଇଥିବାବେଳେ ଚଳିତ ବର୍ଷ ୧୧ଦିନ ଧରି ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଜାରି ରହିବ । ପୂଜା ଦେଖିବାକୁ ଶହଶହ ଭକ୍ତଙ୍କ ସମାଗମ ହେଉଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ଏହା ମଧ୍ୟ ପଢନ୍ତୁ-ଚଳଚଞ୍ଚଳ ଅନୁଗୋଳ, ୧୧ ଦିନ ଧରି ଜମିବ ଗଜଲକ୍ଷ୍ମୀ ପୂଜା

ରୀତିନୀତି ଆନୁଯାୟୀ ରବିବାର ମଣ୍ଡପ ଗୁଡିକରେ ଅପରାହ୍ନ ସମୟରେ ମା'ଙ୍କୁ ଆବାହନ ପାଇଁ ଶୁଭ କଳସ ସ୍ଥାପନ ଓ ମଣ୍ଡପ ସଂସ୍ଥାପନ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟରେ ମଣ୍ଡପ ଗୁଡିକରେ ମା'ଙ୍କୁ ଅବାହାନ କରାଯାଇଥିଲା । ଚଳିତ ବର୍ଷ ଢେଙ୍କାନାଳ ସହରରେ ୩୮ଟି ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପ ଗୁଡିକରେ ସାଜସଜ୍ଜାକୁ ମଧ୍ୟ ବେଶ ଗୁରୁତ୍ବ ଦିଆଯାଇଛି । ସୁଉଚ୍ଛ ତୋରଣ ସାଙ୍ଗକୁ ରାତି ହେଲେ ରଙ୍ଗୀନ ଆଲୋକରେ ଝଲସି ଉଠୁଛି ଢେଙ୍କାନାଳ ସହର । ସନ୍ଧ୍ୟା ସମୟରେ ମୀନା ବଜାର ସାଙ୍ଗକୁ ଦୋଳିର ଆସର ମଧ୍ୟ ଜମୁଛି ।

ଐତିହାସିକ ଗଜଳଷ୍ମୀ ପୂଜାରେ ଢେଙ୍କାନାଳ ସହରକୁ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଜାକଜକମରେ ପୂଜା ଆରମ୍ଭ ହୋଇଯାଉଥିବାବେଳେ ଅଧିକ ସଂଖ୍ୟାକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପୂଜା ବଜାରରେ ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ଓ୍ବାନ ଓ୍ବେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।

ଅପରାହ୍ନ ୪ଟାରୁ ରାତି ୧୨ଟା ଯାଏଁ ସହର ମଧ୍ୟରେ ବସ୍‌ ଓ ଚାରିଚକିଆ ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଅପରପକ୍ଷରେ ପୂଜା ବଜାରରେ ୧୭ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। ମା' ଲକ୍ଷ୍ମୀଙ୍କୁ ମଣ୍ଡପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବିଶେଷ କରି ସନ୍ଧ୍ୟା ସମୟରେ ଭକ୍ତଙ୍କ ବହୁଳ ସମାଗମ ହେଉଛି ।

ସହରର ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, କାରିଗର ସାହି, ଗୁଡିଆନାଳୀ, ରାଧାକୃଷ୍ଣ ବଜାର, ପଦ୍ମବଜାର ଆଦି ପୂଜା ମଣ୍ଡପରେ ପୂଜାର ମାହୋଲ ଓ ସାଜସଜ୍ଜା ସମସ୍ତଙ୍କ ମନମୋହୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.