ETV Bharat / state

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ମଉଳିଲା ଚାଷୀଙ୍କ ବର୍ଷକର ଆଶା

author img

By

Published : Aug 22, 2020, 4:42 PM IST

Updated : Aug 22, 2020, 8:44 PM IST

dhenkanal latest news, farmer's problem in dhenkanal, flood like situation in dhenkanal, flood like situation in gondia block, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳରେ ଚାଷୀଙ୍କ ସମସ୍ୟା, ଢେଙ୍କାନାଳରେ ବନ୍ୟା ପରିସ୍ଥିତି, ଗଁଦିଆ ବ୍ଲକରେ ବନ୍ୟା ପରିସ୍ଥିତି
ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ମଉଳିଲା ଚାଷୀଙ୍କ ବର୍ଷକର ଆଶା

ଆଖି ଆଗରେ ବୁଡି ରହିଛି ଚାଷ ଜମି । ବର୍ଷକର ଆଶା ଓ ଭରସା ସବୁକିଛି ବୁଡାଇ ଦେଲା ବନ୍ୟା ପାଣି । ଧାନ ବିଲରେ ଲହଡି ମରୁଛି ଚାରିରୁ ପାଞ୍ଚ ଫୁଟର ପାଣି ।

ଢେଙ୍କାନାଳ: ଆଖି ଆଗରେ ବୁଡି ରହିଛି ଚାଷ ଜମି । ବର୍ଷକର ଆଶା ଓ ଭରସା ସବୁକିଛି ବୁଡାଇ ଦେଲା ବନ୍ୟା ପାଣି । ଧାନ ବିଲରେ ଲହଡି ମରୁଛି ଚାରିରୁ ପାଞ୍ଚ ଫୁଟର ପାଣି । ଫଳରେ ପରିବା ଠାରୁ ଆରମ୍ଭ କରି ଧାନ ଯାଏ ସବୁ କିଛି ପଚି ଉଜୁଡିଗଲା । ଏହି ଲଗାଣ ବର୍ଷା ଯୋଗୁଁ ସିଧା ସଳଖ ଚାଷୀ ମୁଣ୍ଡରେ ପଡିଛି ଚଡକ । ଲଗାଣ ବର୍ଷା ତ କମିଯାଇଛି, ହେଲେ ବନ୍ୟା ଜଳରେ ବିଲ ସବୁ ବୁଡି ରହିଛି । ଏବେ ଚାଷୀ କୂଳ ହତାଶ । ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ମଉଳିଲା ଚାଷୀଙ୍କ ବର୍ଷକର ଆଶା

ଏ ହେଉଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କରମୂଳ, ବାଇସିଂହା, ରାଇତୈଲା ଓ କଳୁରିଆ ପଞ୍ଚାୟତର ଚାଷୀମାନଙ୍କ କଥା । ଏହି ପଞ୍ଚାୟତ ଗୁଡିକର ପ୍ରାୟ ପନ୍ଦର କୋଡିଏଟି ଗ୍ରାମର ଶହ ଶହ ଏକର ଚାଷ ଜମି ବନ୍ୟା ଜଳରେ ବୁଡିରହିଛି । ଫଳରେ ଚାଷୀମାନେ କରିଥିବା ପରିବା ହେଉ ବା ଧାନ ହେଉ ସବୁ କିଛି ବନ୍ୟା ଜଳରେ ବୁଡି ରହି ପଚିବାରେ ଲାଗିଛି । ଭଲ ବର୍ଷାକୁ ଦେଖି ବିଲରେ ଧାନ ରୋଇ ବେଶ ଖୁସି ହୋଇ ଯାଇଥିଲା ଚାଷୀ । ମାତ୍ର ଏହି ଲଗାଣ ବର୍ଷା ଯୋଗୁଁ ସବୁ କିଛି ଆଶା ବନ୍ୟା ପାଣି ବୁଡାଇ ଦେଇଛି । ଯାହା ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ମାନଙ୍କ ଅବସ୍ଥା ଜଟିଳ ହୋଇପଡିଛି ।

ବିଶେଷ କରି ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧିରୁ ବନ୍ୟା ସୃଷ୍ଟି କରିଛି । ଲଗାଣ ବର୍ଷା ଛାଡି ଯାଇଥିଲେ ମଧ୍ୟ ନଦୀ କୂଳରେ ରହିଥିବା ଚାଷ ଜମି ଗୁଡି଼କରେ ବନ୍ୟା ଜଳ ମାଡି ରହିଛି । ଏ ସମ୍ପର୍କରେ କୃଷି ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ମିଳିତ ଯାଞ୍ଚ କରି ରିପୋର୍ଟ ପରେ କ୍ଷୟ କ୍ଷତି ଆକଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଗଁଦିଆ ତହସିଲଦାର ।

ଏବେ ଲଗାଣ ବର୍ଷା କମି ଯାଇଛି । ହେଲେ ତୁହା କୁ ତୁହା ଲଘୁଚାପ ସାଙ୍ଗକୁ ଫୁଲୁଥିବା ବ୍ରାହ୍ମଣୀ ନଦୀ ଏହି ଚାଷୀ କୂଳକୁ ସମ୍ପୂର୍ଣ୍ଣ ହତାଶ କରିଦେଇଛି । ଫଳରେ କ୍ଷୟ କ୍ଷତିର ଆକଳନ ଆଉ ସରକାରୀ ସହାୟତା ପାଇଁ ଚାଷୀମାନେ ଚାହିଁ ବସିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Aug 22, 2020, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.