ETV Bharat / state

ବଢୁଛି ମହିମା ଗାଦି ବିବାଦ, ଆଶା ଆଶଙ୍କାରେ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା

author img

By

Published : Jan 18, 2023, 10:25 PM IST

ଥମିବାରେ ନାଁ ନେଉନି ଜୋରନ୍ଦା ମହିମାଗାଦି ବିବାଦ । ପାଖେଇ ଆସିଲାଣି ଜୋରନ୍ଦା ମେଳା ତାରିଖ । ହେଲେ ଏହି ମେଳା ଏଥର ହେବ କି ନାହିଁ ତାକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

Joranda mahima temple
ମହିମା ଗାଦି ବିବାଦ

ମହିମା ଗାଦି ବିବାଦ

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ମହିମାଗାଦି ତୃତୀୟ ବେଢ଼ା ଉଚ୍ଛେଦ ପରେ ଉଭୟ ଗୋଷ୍ଠୀ ସାଧୁଙ୍କ ମଧ୍ୟରେ ଲାଗିରହିଥିବା ଦୀର୍ଘ ବର୍ଷର ବିବାଦ ତୀବ୍ରତର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଆସନ୍ତା ଫେବୃଆରୀ ୪ତାରିଖରେ ହେବାକୁ ଥିବା ପ୍ରସିଦ୍ଧ ଜୋରନ୍ଦା ମେଳା ଯଥେଷ୍ଠ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି ।

ତେବେ ଉଭୟ ଗୋଷ୍ଠୀର ସାଧୁମାନଙ୍କୁ ନେଇ ମହିମଗାଦିରେ କିପରି ଚଳିତ ଜୋରନ୍ଦା ମେଳା ସୁଚାରୁ ରୂପେ ଶାନ୍ତିଶୃଙ୍ଗଳାର ସହ ପରିଚାଳନା କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଉଦ୍ୟମ ବିଫଳ ହେଉଛି । ଫଳରେ ଚଳିତ ବର୍ଷ ଜୋରନ୍ଦା ମେଳା ଯଥେଷ୍ଠ ମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।

ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମା ଗାଦିକୁ ଲାଗି ରହିଥିବା ଚର୍ଚ୍ଚା ଥମିବାରେ ନାଁ ଧରୁନି । ଏହି ମହିମାଗାଦିର ମୁଖ୍ୟ ଶୂନ୍ୟ ମନ୍ଦିରରେ ଉପାସନା ଓ ନୀତିକାନ୍ତିକୁ ନେଇ ଉଭୟ ବକଳ ଓ କୌପନୀ ଧାରୀ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥିଲା ବିବାଦ । ତେବେ ତୃତୀୟ ବେଢାରୁ କୌପନୀଧାରୀ ସାଧୁ ଗୋଷ୍ଠୀଙ୍କ ଦୀର୍ଘ ଶହେ ବର୍ଷର ଉପାସନା ପୀଠକୁ କୋର୍ଟଙ୍କ ନିର୍ଦ୍ଦେଶ ବୋଲି ଗତ ନଭେମ୍ୱର ୨୨ ତାରିଖରେ ଉଚ୍ଛେଦ ପରେ ଏହି ବିବାଦ ତୀବ୍ରତର ହେବାରେ ଲାଗିଛି ।

ଏପରିସ୍ଥଳେ ଆସନ୍ତା ମାସ ୪ତାରିଖରୁ ହେବାକୁ ଥିବା ପ୍ରସିଦ୍ଧ ଜୋରନ୍ଦା ମେଳା ଚଳିତ ବର୍ଷ ବେଶ ପ୍ରଭାବିତ ହେବାର ଯଥେଷ୍ଠ ଆଶଙ୍କା କରାଯାଉଛି । ଏପରିକି ଜୋରନ୍ଦା ମେଳା ପାଇଁ ଗତ ୧୨ତାରିଖରେ ପ୍ରଶାସନ ପକ୍ଷରୁ କରାଯାଇଥିବା ବୈଠକକୁ କୌପନୀଧାରୀ ମହିମା ସାଧୁ ଗୋଷ୍ଠୀ ବର୍ଜନ କରିଥିବା ସୂଚନା ମିଳିଛି ।

ମାତ୍ର ଜୋରନ୍ଦା ମେଳା କିପରି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଉଛି । ହେଲେ ତାହା ବି ଶେଷରେ ମଧ୍ୟ ବିଫଳ ହୋଇଛି । ଏଥିପାଇଁ ଢେଙ୍କାନାଳ ଜିଲ୍ଲାପାଳ ଓ ଏସପି ଉଭୟ ମହିମାଗାଦିକୁ ଯାଇ ବିକଳ୍ପ ବାଟ ପାଇଁ ଉଦ୍ୟମ କରୁଛନ୍ତି ।

ସେପଟେ ମହିମାଗାଦୀ ସ୍ଥିତ ମୁଖ୍ୟ ଶୂନ୍ୟ ମନ୍ଦିର ଭିତରେ ଉପାସନା ପାଇଁ ଉଭୟ ବକଳ ଓ କୌପନୀଧାରୀ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ବର୍ଷର ବିବାଦ ତୃତୀୟ ବେଢ଼ା ଉଚ୍ଛେଦ ପରେ ତୀବ୍ରତର ହେଉଛି । ଏପରିକି ବକଳଧାରୀ ସାଧୁ ଗୋଷ୍ଠୀଙ୍କ କବଜାରେ ଥିବା ଏହି ଶୂନ୍ୟ ମନ୍ଦିରକୁ କୌପନିଧାରୀ ମହିମା ସମାଜ ସାଧୁ ଗୋଷ୍ଠୀ ପଶି ପାରୁନାହାଁନ୍ତି । ଯାହାଫଳରେ ଶୂନ୍ୟ ମନ୍ଦିର ତୃତୀୟ ବେଢାର କିଛି ଜାଗାରେ ସେମାନଙ୍କ ଗୁରୁ କୃପାସିନ୍ଧୁ ବାବାଙ୍କ ଅମଳରୁ ମନ୍ଦିର ଓ ଅଖଣ୍ଡବତୀ ମନ୍ଦିର ଆଦିରେ ଉପାସନା କରିଆସୁଥିବା କୌପନୀ ଗୋଷ୍ଠୀଙ୍କ ଏହି ଉପାସନା ପୀଠ ଉଚ୍ଛେଦ ପରେ ପରମ୍ପରା ମୁତାବକ ମହିମା ଆଲେଖଙ୍କ ଉପସନାରୁ ତାଙ୍କୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି ।

ସେମାନଙ୍କୁ ମୁଖ୍ୟ ଶୂନ୍ୟ ମନ୍ଦିରରେ ଉପାସନା କରିବାର ସୁଯୋଗ ମିଳୁ । ନଚେତ ବିକଳ୍ପ ଭାବେ ସ୍ଥାୟୀ ଉପାସନା ପୀଠର ସୁଯୋଗ ଦେବାକୁ ଜିଦରେ ରହିଛନ୍ତି କୌପନି ସାଧୁ ଗୋଷ୍ଠୀ । ତାହା ନହେଲେ ଚଳିତ ବର୍ଷ ଜୋରନ୍ଦା ମେଳାରେ ଅସହଯୋଗ କରିବା ସହ ମେଳା ପ୍ରଭାବିତ ହେବ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି କୌପନୀ ସାଧୁ ଗୋଷ୍ଠୀଙ୍କ ମୁଖ୍ୟ ବାବା ରଘୁନାଥ ଦାସ । ତେବେ କୌପନୀ ଗୋଷ୍ଠୀଙ୍କ ପ୍ରସ୍ତାବ ମୁତାବକ ସେମାନଙ୍କୁ ମୁଖ୍ୟ ଶୂନ୍ୟ ମନ୍ଦିରରେ ଉପାସନା ଅନୁମତିକୁ ଏଡାଇ ଦେଇଛନ୍ତି ବକଳଧାରୀ ସାଧୁ ଗୋଷ୍ଠୀ । ଜୋରନ୍ଦା ମେଳାକୁ ଆଖି ଆଗରେ ରଖି ଉଚ୍ଛେଦ ସ୍ଥାନ ତୃତୀୟ ବେଢାରେ କେବଳ ଆସ୍ଥାୟୀ ଭାବେ କୌପନିଧାରୀ ସାଧୁ ଆଖଣ୍ଡ ଧୁନୀ ଜାଳି ଉପାସନା କରିପାରିବେ ବୋଲି ପ୍ରକାଶ କରିଛନ୍ତି ମହିମା ସତ୍ୟ ଧର୍ମ ସମାଜର ସଭାପତି ତଥା ବକଳଧାରୀ ସାଧୁ ଗୋଷ୍ଠୀଙ୍କ ମୁଖ୍ୟ ବାବା ନିତ୍ୟାନନ୍ଦ ଦାସ ।

ଆସନ୍ତା ୪ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଜୋରନ୍ଦା ମେଳା । ମହିମା ଧର୍ମର ପରମ୍ପରା ମୁତାବକ ଏହି ଶୁକ୍ଳ ଚର୍ତୁଃଦଶୀ ଅବସରରୁ ମହିମାଗାଦିରେ ୩ଦିନ ଧରି ପାଳିତ ହେବ ଏହି ଜୋରନ୍ଦା ମେଳା। ପ୍ରତ୍ୟେକ ବର୍ଷ ସାରା ଭାରତରୁ ତଥା ବିଦେଶର ଲକ୍ଷ ଲକ୍ଷ ସଂଖ୍ୟାରେ ମହିମା ସାଧୁ ଓ ଭକ୍ତ ଶ୍ରଦ୍ଧାଳୁଙ୍କ ଏହି ମହିମାଗାଦିରେ ସମାଗମ ହୋଇଥାଏ । ଉଭୟ ସାଧୁ ଗୋଷ୍ଠୀଙ୍କ ଅଖଣ୍ଡ ଧୁନୀରେ ମହଣମହଣ ଘୃତାହୁତୀ ସାଙ୍ଗକୁ ମହିମା ଅଲେଖ ଶରଣ ଧ୍ୱନୀରେ ପ୍ରକମ୍ପିତ ହୋଇଉଠେ ଏହି ମହିମା ଗାଦି । ମାତ୍ର ଚଳିତ ବର୍ଷ ଉଭୟ ଗୋଷ୍ଠୀ ମଧ୍ୟରେ ଏହି ବିବାଦକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସମାଧାନ ନକଲେ ମେଳା ଯଥେଷ୍ଠ ମାତ୍ରାରେ ପ୍ରଭାବିତ ହେବ ବୋଲି ମହିମାପ୍ରେମୀ ଓ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.