ETV Bharat / state

ଅଧା ରହିଗଲା ଜଗା ଦର୍ଶନ, ଦ୍ରୁତ ବାଇକ ଚାଳନା ନେଲା ଜୀବନ

author img

By

Published : May 24, 2023, 7:49 PM IST

ସଡ଼କ ଦୁର୍ଘଟଣାରେ ଜଣେ  ମୃତ, ଜଣେ ଗୁରୁତର
ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଶ୍ରୀକ୍ଷେତ୍ର ପୁରୀକୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯିବା ସମୟରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ଅଧା ରହିଗଲା କାଳିଆ ଦର୍ଶନ । ଅକାଳରେ ଚାଲିଗଲା ଜଣକ ଜୀବନ । ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । କଣ୍ଟାନାଳୀ ନିକଟରେ ଟ୍ରଲର ପଛରେ ଗୋଟିଏ ବାଇକ ଧକ୍କା ଦେବା ଫଳରେ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ନାଁ ବିବେକ ପାଇକରାୟ ହୋଇଥିବା ସୂଚନା ମିଳିଛି । ଅପରପକ୍ଷେ ଗୁରୁତର ଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜ କୁମାର ଯାଦବ । ଉଭୟ ଛତିଶଗଡ଼ ରାୟପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

ଉଭୟେ ପୁରୀ ଅଭିମୁଖେ ବାଇକ ଯୋଗେ ଦୃତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଏକ ଟ୍ରଲର ପଛପଟକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା l ଫଳରେ ଗାଡି ଚଳାଚଳ ସ୍ୱଳ୍ପ ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା l କିଛି ସମୟ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଟାଉନ୍‌ ଥାନା ପୋଲିସ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ସୂଚନା ମୁତାବକ, ଛତିଶଗଡ଼ ଅଞ୍ଚଳର ଦୁଇ ବନ୍ଧୁ ବିବେକ ଓ ରାଜକୁମାର ସାଙ୍ଗ ହୋଇ ବାଇକ ଯୋଗେ ସକାଳୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଥିଲେ । ପୁରୀରେ ପହଞ୍ଚି ଜଗା ଦର୍ଶନ କରିବା ଆଶା ନେଇ ଉଭୟେ ଯାତ୍ରା କରୁଥିଲେ । ଦର୍ଶନ ଶେଷ ହେବା ପରେ ମହାପ୍ରସାଦ ସେବନ ଏବଂ ସମୁଦ୍ରରେ ଗାଧୋଇ ମଜା ଉଠାଇବା ନେଇ ଅନେକ ଖୁସି ଥିଲା ମନରେ । ହେଲେ ଉଭୟ ବନ୍ଧୁ ଯାଉଥିବାବେଳେ ହିଁ ଘଟିଯାଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା l ଅଧା ବାଟରେ ଚାଲିଯାଇଛି ବିବେକଙ୍କ ଜୀବନ । ସେମାନଙ୍କ ବାଇକ ଦ୍ରୁତ ଗତିରେ ଥିବାରୁ କଣ୍ଟାନାଳୀ ନିକଟରେ ଟ୍ରଲର ପଛରେ ଭାରସାମ୍ୟ ହରାଇ ପିଟି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଜଣକ ଜୀବନ ଚାଲିଯାଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି l

ଦୁର୍ଘଟଣା ପରେ ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରଲରକୁ ଜବତ କରିଛି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ଘଟଣା ସମ୍ପର୍କରେ ଉଭୟଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଛି ପୋଲିସ । ପରିବାରଲୋକେ ଆସି ପହଞ୍ଚିବାପରେ ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.