ETV Bharat / state

ଶୁଖିଲା ଭୂଇଁରେ ନିର୍ମାଣଧିନ ଚେକଡ୍ୟାମ କାହା ସ୍ୱାର୍ଥରେ !

author img

By

Published : Apr 9, 2023, 6:45 PM IST

people allege low grade work in deogarh
ନିର୍ମାଣଧିନ ଚେକ ଡ୍ୟାମକୁ ଗ୍ରାମବାସୀଙ୍କ ବିରୋଧ

କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣଧିନ ଚେକ ଡ୍ୟାମକୁ ଗ୍ରାମବାସୀଙ୍କ ବିରୋଧ । ଚେକଡ୍ୟାମ ନିର୍ମାଣ ପୂର୍ବରୁ ଉପଯୁକ୍ତ ସ୍ଥାନ ନିରୂପଣ କରାନଯିବା ଠିକାଦାରଙ୍କୁ ସୁହାଇବା ଭଳି କାର୍ଯ୍ୟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ନିର୍ମାଣଧିନ ଚେକ ଡ୍ୟାମକୁ ଗ୍ରାମବାସୀଙ୍କ ବିରୋଧ

ଦେବଗଡ଼: ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ତିଆରି ହେଉଛି ଚେକଡ୍ୟାମ । ଜଳ ସଂରକ୍ଷଣ, ଚାଷ ଜମିକୁ ଜଳ ସେଚନ ଓ ଗ୍ରୀଷ୍ମକାଳରେ ଗ୍ରାମବାସୀ ଓ ଗୃହପାଳିତ ପଶୁଙ୍କ ଜଳ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ତାଳଡ଼ିହି ଗ୍ରାମ ନିକଟସ୍ଥ ନାଳରେ ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ଚେକଡ୍ୟାମର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ । ନିର୍ମାଣଧୀନ ଚେକଡ୍ୟାମ ଚାଷୀଙ୍କ ଉପଯୋଗୀ ନୁହେଁ ଅଭିଯୋଗ କରିଛନ୍ତି ।

ତାଳଡ଼ିହି ଗ୍ରାମରେ ନିର୍ମାଣଧିନ ଚେକଡ୍ୟାମର କାର୍ଯ୍ୟ ଢେଙ୍କାନାଳ ଜିଲ୍ଲାର ଜଣେ ଠିକାଦାର କରି ଆସୁଛନ୍ତି । ଏହାର ବ୍ୟୟ ହେଉଛି ପ୍ରାୟ 40 ଲକ୍ଷ ଟଙ୍କା । କାର୍ଯ୍ୟଟି ପ୍ରାୟତଃ ସମାପ୍ତ ହେବାକୁ ବସିଛି । ମାତ୍ର ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଜନସାଧାରଣ ତଥା ତାଳଡ଼ିହି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାର ମୁଖ୍ୟ କାରଣ ହେଲା, କାର୍ଯ୍ୟ ସ୍ଥଳରେ କାର୍ଯ୍ୟ ସମ୍ୱନ୍ଧୀୟ କୌଣସି ସୂଚନା ଫଳକ ନାହିଁ । ଫଳରେ ଗ୍ରାମବାସୀ କାର୍ଯ୍ୟ ସମ୍ପର୍କରେ କୌଣସି ସଠିକ ସୂଚନା ପାଇବାରୁ ବଞ୍ଚିତ ହୋଇଛନ୍ତି । ସରକାରଙ୍କ କୌଣସି ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳରେ କାର୍ଯ୍ୟ ସମ୍ୱନ୍ଧୀୟ ସୂଚନା ଫଳକ ଲଗାଯିବା କଡ଼ା ନିୟମ ରହିଛି । ହେଲେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ପ୍ରକଳ୍ପଟି ନିର୍ମାଣ ହେବା ପୂର୍ବରୁ ଉପଯୁକ୍ତ ସ୍ଥାନ ନିରୂପଣ କରିବାରେ ଗ୍ରାମବାସୀଙ୍କ ପରାମର୍ଶ ନିଆଯିବା ନିୟମ ରହିଛି । ହେଲେ ଏ କ୍ଷେତ୍ରରେ ଗ୍ରାମବାସୀଙ୍କ କୌଣସି ପରାମର୍ଶ ନିଆନଯାଇ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାର ମିଶି ନିଜକୁ ସୁହାଇବା ଭଳି ସ୍ଥାନରେ ଡ୍ୟାମ ନିର୍ମାଣ କାର୍ଯ୍ୟ କରୁଥିବା କାରଣରୁ ଗ୍ରାମର ଚାଷଜମିକୁ ଜଳ ପହଞ୍ଚିବା କିମ୍ବା ଏହି ପ୍ରକଳ୍ପରୁ ଲୋକେ ଉପକୃତ ହେବେ ନେଇ ଆଶଙ୍କା ଦେଖାଦେଇଛି ।

ଏନେଇ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି," ସମ୍ପୃକ୍ତ ଠିକାଦାର ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରି ଆସୁଛନ୍ତି । ନିର୍ମାଣ କାର୍ଯ୍ୟରେ ଏଷ୍ଟିମେଟ ଅନୁଯାୟୀ ସଠିକ ପରିମାଣରେ ବାଲି, ଗୋଡ଼ି, ସିମେଣ୍ଟ ଓ ଛଡ଼ ଦିଆଯାଉନାହିଁ । ସମ୍ପୃକ୍ତ ଠିକାଦାର ସିଂହଭାଗ ଅନୁଦାନ ଆତ୍ମସାତ କରିବା ଲକ୍ଷ୍ୟରେ ନିଜକୁ ସୁହାଇବା ଭଳି ନିମ୍ନମାନର କାର୍ଯ୍ୟ କରି ଆସୁଛନ୍ତି । ଯାହାକି ଏହି ଚେକଡ୍ୟାମର ମାନ ଓ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ସେତିକି ନୁହେଁ, କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ ଶ୍ରମିକଙ୍କୁ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ଦୈନିକ ମଜୁରୀ ଦିଆନଯାଇ ଗରିବ ଶ୍ରମିକଙ୍କୁ ଶୋଷଣ କରାଯାଉଛି ।"


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରକଳ୍ପ କାର୍ଯ୍ୟ ତଦାରଖ ପାଇଁ ଏଠାକୁ ବିଭାଗୀୟ ଯନ୍ତ୍ରୀ କିମ୍ବା ଉପରିସ୍ଥ ଅଧିକାରୀ ଆସୁନାହାନ୍ତି । ବିଭାଗୀୟ ଯନ୍ତ୍ରୀ କୁଆଡେ ଠିକାଦାରଙ୍କ ପାଖରୁ ମୋଟାଅଙ୍କର ପିସି ପାଇଁ ଚୁପ ରହୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ କ୍ୟାମେରା ଆଗରେ ସେ କିଛି କହିବାକୁ ମନା କରି ଦେଇଥିଲେ । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଚେକଡ୍ୟାମ ନାମରେ କେବଳ ଯନ୍ତ୍ରୀ ଓ ଠିକାଦାର ମାଲେମାଲ ହେବେ ସିନା, ଏହାର ସୁଫଳ ସାଧାରଣ ଲୋକେ ପାଇପାରିବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.