ETV Bharat / state

ଦେବଗଡ଼: ନାଳ ଖାଉଛି କୁଳ, ଚିନ୍ତାରେ ଚାଷୀକୁଳ

author img

By

Published : Aug 2, 2022, 5:04 PM IST

ନାଳ ଖାଉଛି କୁଳ , ଉଜୁଡି ଯାଉଛି ଚାଷୀଙ୍କ ଏକର ଏକର ଚାଷଜମି
ନାଳ ଖାଉଛି କୁଳ , ଉଜୁଡି ଯାଉଛି ଚାଷୀଙ୍କ ଏକର ଏକର ଚାଷଜମି

ଚିରସ୍ରୋତା ବାଳିଆପିଟା ନାଳ ଗର୍ଭରେ ଲୀନ ହୋଇଯାଇଛି ଏକର ଏକର ଚାଷଜମି । ଉଜୁଡି ଯାଉଛି ଚାଷକାର୍ଯ୍ୟ, ଚିନ୍ତାରେ ଚାଷୀକୁଳ । ଅଧିକ ପଢନ୍ତୁ

ଦେବଗଡ଼: କାଳ ପାଲଟିଛି ଚିରସ୍ରୋତା ବାଳିଆପିଟା ନାଳ । ନାଳ ଗର୍ଭରେ ଲୀନ ହୋଇଗଲାଣି ଏକର ଏକର ଚାଷଜମି , ଯାହାକୁ ନେଇ ମୁଣ୍ଡରେ ହାତ ଦେଇଛି ଚାଷୀ । ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତିଳେଇବଣି ବ୍ଲକ କଲଣ୍ଡା ପଞ୍ଚାୟତର କଲଣ୍ଡା ଓ ବଲଣ୍ଡା ଗାଁର ଲୋକେ । ଏ ସମସ୍ୟା କେବଳ ଆଜିର ନହେଁ ବରଂ ଗତ ୧୦ରୁ ୧୨ ବର୍ଷ ହେଲା ଏଭଳି ସମସ୍ୟା ଭିତରେ ଗତି କରୁଛି ଚାଷୀ ।

ନାଳ ଖାଉଛି କୁଳ , ଉଜୁଡି ଯାଉଛି ଚାଷୀଙ୍କ ଏକର ଏକର ଚାଷଜମି

କଲଣ୍ଡା ଓ ବଲଣ୍ଡା ଗାଁ ନିକଟରେ ପ୍ରବାହିତ ହେଉଛି ଚିରସ୍ରୋତା ବାଳିଆପିଟା ନାଳ । ଏହି ନାଳ ଉଭୟ ପାର୍ଶ୍ୱରେ ରହିଛି ଦୁଇଟି ଗାଁର ଶହେ ଏକରରୁ ଉର୍ଦ୍ଧ ଚାଷ ଜମି । ଏହି ଚାଷ ଜମିରେ ବର୍ଷ ତମାମ ବିଭିନ୍ନ ଚାଷକାର୍ଯ୍ୟ କରି ଗ୍ରାମବାସୀ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ବିଗତ କିଛିବର୍ଷ ହେଲା ଏହି ନାଳ ଗ୍ରାମବାସୀଙ୍କ ପାଇଁ କାଳ ପାଲଟିଛି । ମୁଖ୍ୟତଃ ବର୍ଷା ଋତୁରେ ନାଳରେ ବନ୍ୟା ଆସିବା ଫଳରେ ଏହାର ଗତିପଥ ବଦଳିଯାଏ । ଫଳରେ ନାଳରେ ପ୍ରତିବର୍ଷ ଏକର ଏକର ଚାଷଜମି ଲୀନ ହେଉଛି । ଏପର୍ଯ୍ୟନ୍ତ ଏହି ୨ ଗ୍ରାମର 50 ଏକରରୁ ଉର୍ଦ୍ଧ୍ବ ଚାଷ ଜମି ନାଳ ଗର୍ଭକୁ ଚାଲିଗଲାଣି । ତେଣୁ ଚାଷକାର୍ଯ୍ୟ ଉପରେ ନିର୍ଭରଶୀଳ ଗ୍ରାମବାସୀ ତଥା ଚାଷୀକୁଳଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି ।

ଅବଶିଷ୍ଟ ଚାଷଜମିକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ନାଳର ଉଭୟ ପାର୍ଶ୍ୱରେ ପ୍ରୋଟେକ୍ସନ ୱାଲ ଦିଆଯିବାକୁ ଗ୍ରାମବାସୀ ଦୀର୍ଘବର୍ଷ ହେଲା ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି । ମାତ୍ର ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ନାଳ ଦାଉରୁ ଚାଷଜମିକୁ ସୁରକ୍ଷା ଦିଆନଗଲେ କିଛିବର୍ଷ ମଧ୍ୟରେ ଦୁଇଟି ଗାଁର ଅବଶିଷ୍ଟ ଚାଷଜମି ନାଳ ଗର୍ଭରେ ସମ୍ପୂର୍ଣ୍ଣ ଲୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.