ETV Bharat / state

ସରକାରୀ ଶୀତଳ ଭଣ୍ଡାରରେ ପଡିଛି ରାସ୍ତାକାମ ଟେଣ୍ଡର

author img

By

Published : Feb 1, 2021, 7:35 PM IST

ସରକାରୀ ଅବହେଳାରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବଲମ-ତୁଷୁଳା ରାସ୍ତା କାର୍ଯ୍ୟ
ସରକାରୀ ଅବହେଳାରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବଲମ-ତୁଷୁଳା ରାସ୍ତା କାର୍ଯ୍ୟ

ଦେଢବର୍ଷ ହେଲା ଟେଣ୍ଡର ପ୍ରକ୍ରିୟା ସରିଛି । ହେଲେ ଆଗେଇ ପାରୁନି ରାସ୍ତାକାମ । ଯାତାୟତରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଚାରୋଟି ପଞ୍ଚାୟତର ବାସିନ୍ଦା । ସରକାରୀ ଅବହେଳାର ଏମିତି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବଲମ-ତୁଷୁଳା ରାସ୍ତା କାର୍ଯ୍ୟରେ । ଅଧିକ ପଢନ୍ତୁ...

ଦେବଗଡ଼: ଦେଢବର୍ଷ ହେଲା ଟେଣ୍ଡର ପ୍ରକ୍ରିୟା ସରିଛି । ହେଲେ ଆଗେଇ ପାରୁନି ରାସ୍ତାକାମ । ଯାତାୟତରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଚାରୋଟି ପଞ୍ଚାୟତର ବାସିନ୍ଦା । ସରକାରୀ ଅବହେଳାର ଏମିତି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବଲମ-ତୁଷୁଳା ରାସ୍ତା କାର୍ଯ୍ୟରେ ।

ବାରକୋଟ ବ୍ଲକର ବଲମ ଠାରୁ ତୁଷୁଳା ଯାଇଥିବା 16 କିଲୋମିଟର ରାସ୍ତା ଉପରେ ବଳମ, ରମ୍ଭେଇ, ଦନ୍ତାରିବାହାଲ ଓ କଣ୍ଟାପାଲି ଆଦି ଚାରୋଟି ପଞ୍ଚାୟତର ଲୋକେ ସମ୍ପୂର୍ଣ୍ଣ ନିର୍ଭର କରି ଆସିଥାନ୍ତି । ମାତ୍ର ଦୀର୍ଘବର୍ଷ ହେବ ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ରାସ୍ତା ଉପରୁ ଗେଟି ମେଟାଲ ଓ ପିଚୁ ସମ୍ପୂର୍ଣ୍ଣ ଉଠିଯାଇଥିବା ବେଳେ, ରାସ୍ତାଟି ଆଉ ଯାତାୟତ ଉପଯୋଗୀ ହୋଇ ରହିନାହିଁ । ଏହି ରାସ୍ତାର ସ୍ଥାୟୀ ମରାମତି ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଆନ୍ଦୋଳନ ପରେ ଗତ 2018 ମସିହାରେ ଏହି ରାସ୍ତାଟି ଆର.ଡ଼ି ବିଭାଗରୁ ପିଡବ୍ଲୁଡ଼ି ବିଭାଗକୁ ହସ୍ତାନ୍ତର ହୋଇଥିଲା । ହସ୍ତାନ୍ତର ପରେ 16 କିଲୋମିଟର ରାସ୍ତାର ନିର୍ମାଣ ପାଇଁ ମୋଟ 29 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଗତ 2019 ମସିହାରେ ଟେଣ୍ଡର ହୋଇସାରିଛି ।

ସରକାରୀ ଅବହେଳାରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବଲମ-ତୁଷୁଳା ରାସ୍ତା କାର୍ଯ୍ୟ
ମାତ୍ର ବିଡ଼ମ୍ବନାର ବିଷୟ ଯେ, ଆଜକୁ ଦୀର୍ଘ ଦେଢବର୍ଷ ବିତିବାକୁ ବସିଥିଲେ ସୁଦ୍ଧା, ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ଟେଣ୍ଡର ପାଇଥିବା ଠିକାଦାର ଏଯାଏଁ ଏଗ୍ରିମେଣ୍ଟ କରିନଥିବାରୁ କାମ ଆରମ୍ଭ କରୁନଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ସମ୍ପୃକ୍ତ ଠିକାଦାର ଏଯାଏଁ କାହିଁକି ଓ କେଉଁ କାରଣ ପାଇଁ ଏଗ୍ରିମେଣ୍ଟ କରୁନାହାନ୍ତି ଓ କାମ ଆରମ୍ଭ କରୁନାହାନ୍ତି ? ତାହାର କୌଣସି ସଠିକ ତଥ୍ୟ ଜଣାପଡୁନଥିଲେ ହେଁ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏହା ସମ୍ଭବ ହେଉନଥିବା ଚର୍ଚ୍ଚା ହେଉଛି । ସେପଟେ ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେଉଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଦେଢବର୍ଷ ହେଲା ଅଟକି ରହିଥିବା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.