ETV Bharat / state

କେନ୍ଦ୍ର ରେଳମନ୍ତ୍ରୀ ହେବେ କଟକ ଲୋକସଭା ପ୍ରାର୍ଥୀ ! ବଢ଼ୁଛି ଚର୍ଚ୍ଚା

author img

By ETV Bharat Odisha Team

Published : Jan 10, 2024, 7:52 PM IST

Ashwini Vaishnaw: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକ ଲୋକସଭା ପ୍ରାର୍ଥୀ ହେବା ନେଇ ବଢ଼ୁଛି ଚର୍ଚ୍ଚା । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର କଟକ ଗସ୍ତ ଓ କାର୍ଯ୍ୟକ୍ରମ ଦେଖିଲେ ଏଭଳି ହୋଇପାରେ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

କଟକରୁ ଲଢ଼ିବେ ଅଶ୍ବିନୀ !
କଟକରୁ ଲଢ଼ିବେ ଅଶ୍ବିନୀ !

କଟକରୁ ଲଢ଼ିବେ ଅଶ୍ବିନୀ !

କଟକ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହେବେ କଟକ ଲୋକସଭା ପ୍ରାର୍ଥୀ ! ଏନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇ ଗଲାଣି । ଗତ କିଛିଦିନ ପୂର୍ବରୁ ଅଶ୍ବିନୀ କଟକ ଗସ୍ତରେ ଆସି ଅନେକ ନିର୍ବାଚନ ମଣ୍ଡଳୀ ବୁଲିବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ବଡ଼କଥା ହେଉଛି କଟକ ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି । ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ କଟକ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ । ସେହିପରି ସମସ୍ତ ନିର୍ବାଚନ ମଣ୍ଡଳୀ ବୁଲିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନକୁ ପଚାରି ବୁଝୁଛନ୍ତି । ଯାହା ତାଙ୍କ ପ୍ରାର୍ଥିତ୍ବ ଚର୍ଚ୍ଚାକୁ ବହୁଗୁଣିତ କରିଛି ।

କେବଳ ସେତିକି ନୁହେଁ, ବଡ଼ମ୍ବା ନରସିଂହପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେଠାରେ ରେଳ ଚାଲିବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ । ପ୍ରଭୁଙ୍କ ଆଶୀର୍ବାଦ ରହିଲେ ବଡ଼ମ୍ବା ନରସିଂହପୁରରେ ରେଳ ଚାଲିବ ବୋଲି କହିଥିଲେ । ସେହିପରି ଧବଳେଶ୍ବର ପୀଠ ଯାଇ ଦର୍ଶନ କରିବା ସହ ପୀଠର ଉନ୍ନତିକରଣ ପାଇଁ ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ବାଙ୍କୀର ଚର୍ଚ୍ଚିକା ପୀଠ ଯାଇ ସେଠାରେ ମଧ୍ୟ ମା'ଙ୍କ ଦର୍ଶନ କରିବା ସହ ସଭା ସମିତିରେ ଯୋଗ ଦେଇଛନ୍ତି । କଟକ ସହରରେ ମଧ୍ୟ ଅନେକ ଥର ସଭା ସମିତିରେ ସେ ସାମିଲ ହେଉଛନ୍ତି । ଏହାରି ଭିତରେ କଟକ ରେଳ ଷ୍ଟେସନରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଥିଲେ ତାଙ୍କୁ ସାର ନଡାକି ଭାଇ ବୋଲି ଡାକିବାକୁ । ଏସବୁ କଥାକୁ ତର୍ଜମା କରିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକ ଲୋକସଭା ଆସନରୁ ଏଥର ଲଢ଼ି ପାରନ୍ତି ବୋଲି ଆଲୋଚନା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ବାବା ଧବଳେଶ୍ବରଙ୍କୁ ଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଏନେଇ ରାଜନୀତି ସମୀକ୍ଷକ ଡଃ ଓମକାର ରାଉତ କହିଛନ୍ତି, "ଅଶ୍ବିନୀ ବୈଷ୍ଣବଙ୍କର କଟକ ସହ ଭଲ ସମ୍ପର୍କ ରହିଛି । ଏହା ଏବେର ନୁହେଁ, ବରଂ ସେ ପ୍ରଶାସନିକ ଅଧିକାରୀ ଥିବା ସମୟରୁ ହିଁ ତାଙ୍କର କଟକ ସହ ଭଲ ସମ୍ପର୍କ ରହିଛି । ସେ କଟକ ବାରମ୍ବାର ଆସିବା ଏବଂ କଟକର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲିବା, ସେ କଟକରୁ ହିଁ ଲୋକସଭା ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ବାରି ହୋଇପଡିଛି । ଗତ ଦୁଇ ବର୍ଷ ହେବ ସେ ବାରମ୍ବାର କଟକ ଆସୁଛନ୍ତି । କଟକ ରେଳ ଷ୍ଟେସନର ଉନ୍ନତି ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜାନୁଆରୀ ମାସରୁ ହିଁ ସେ କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟ ପାଇଁ ଟଙ୍କା ମଞ୍ଜୁରୀ କରିବା ସହ ବିଭିନ୍ନ ଶ୍ରେଣୀର ଲୋକଙ୍କ ସହ ମିଶୁଛନ୍ତି । ଦଳୀୟ କର୍ମୀଙ୍କ ସହ ମଧ୍ୟ ବାରମ୍ବାର ବୈଠକ କରୁଛନ୍ତି । ଯାହାକି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ତେବେ ଏନେଇ ବିଜେପି ଦଳ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.