ETV Bharat / state

ହାଇକୋର୍ଟରେ ବର୍ଷା ଅନୁଭବଙ୍କ ଛାଡପତ୍ର ମାମଲା, ବର୍ଷାଙ୍କୁ କୋର୍ଟଙ୍କ ନୋଟିସ୍‌

author img

By ETV Bharat Odisha Team

Published : Oct 17, 2023, 3:53 PM IST

Etv Bharat
Etv Bharat

ହାଇକୋର୍ଟରେ ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । ବର୍ଷାଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ବର୍ଷା ଅନୁଭବଙ୍କ ଛାଡପତ୍ର ମାମଲା

କଟକ: ହାଇକୋର୍ଟରେ ବର୍ଷା ଅନୁଭବ ଛାଡପତ୍ର ପ୍ରସଙ୍ଗରେ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଛାଡପତ୍ର ମାମଲାରେ କଟକ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅନୁଭବ । ତେବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ବର୍ଷାଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଜବାବ ଦାଖଲ ପାଇଁ ବର୍ଷାଙ୍କୁ ନୋଟିସ କରିଛନ୍ତି କୋର୍ଟ । ଏହାସହ ପରିବାର ଅଦାଲତଙ୍କୁ କୋର୍ଟ ରେକର୍ଡ ତଲବ କରିଛନ୍ତି ।

ଆସନ୍ତା ନଭେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅନୁଭବ । ଗତ ସେପ୍ଟେମ୍ବର ୨୨ରେ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଥିଲେ । ଏନେଇ ପରିବାର ଅଦାଲତ ଯେଉଁ ରାୟ ଦେଇଛନ୍ତି ତାହା ରଦ୍ଦ କରାଯାଉ ବୋଲି ଅନୁଭବ ଆବେଦନରେ ଦର୍ଶାଇଛନ୍ତି ।

ଏହା ବି ପଢନ୍ତୁ- Anubhav Varsha Marital Discord: ପରିବାର ଅଦାଲତଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅନୁଭବ

କଟକ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ବି କୋର୍ଟ ଖାରଜ କରିଥିଲେ । ସୂଚନା ଥାଉ କି ଅକ୍ଟୋବର ୩୦ ସୁଦ୍ଧା ମାମଲା ଶେଷ କରି ରାୟ ଦେବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ସୁପରଷ୍ଟାର ଅନୁଭଵ ମହାନ୍ତିଙ୍କ ଦ୍ଵାରା ଆଗତ ଏକ ଟ୍ରାନ୍ସଫର ପିଟିସନର ଶୁଣାଣି କରି ୩ ମାସ ମଧ୍ୟରେ କଟକ ପରିବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେପ୍ଟେମ୍ବର ୨୨ରେ କଟକ ପରିବାର ଅଦାଲତ ରାୟ ଶୁଣାଇଥିଲେ ।

ଏହି ପାରିବାରିକ ବିବାଦର ମୂଳ ମାମଲା ଅନୁଭଵ ମହାନ୍ତିଙ୍କ ଦ୍ଵାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ୨୦୨୦ ଜୁଲାଇ ୬ ତାରିଖରେ ରୁଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ ସୁପ୍ରିମକୋର୍ଟ। କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ।

ସେବେଠାରୁ ଉଭୟ ଉଭୟଙ୍କ ନାମରେ ଅନେକ ମକଦ୍ଦମା ବିଭିନ୍ନ କୋର୍ଟରେ ରୁଜୁ କରିଛନ୍ତି । ଅନ୍ୟପଟେ କଟକ ପରିବାର ଅଦାଲତରେ ମାମଲାର ତ୍ବରିତ ଶୁଣାଣି ହେଉ ନ ଥିବା ଦର୍ଶାଇ ମାମଲାକୁ ଭୁବନେଶ୍ବର ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି କଟକ ପରିବାର ଅଦାଲତ ୩ ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.