ETV Bharat / state

ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା; ୫୦ ହଜାର ତଣ୍ଡ ଗଣିବେ ଆବେଦନକାରୀ

author img

By ETV Bharat Odisha Team

Published : Nov 17, 2023, 7:45 AM IST

Updated : Nov 17, 2023, 7:51 AM IST

ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିବା ପଡିଲା ମହଙ୍ଗା । ୫୦ ହଜାର ଜରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢ଼ନ୍ତୁ

ଜନସ୍ୱାର୍ଥ ଆବେଦନକାରୀଙ୍କୁ ଜରିମାନା
ଜନସ୍ୱାର୍ଥ ଆବେଦନକାରୀଙ୍କୁ ଜରିମାନା

କଟକ: ହାଇକୋର୍ଟରେ ଅଯଥା ଜନସ୍ବାର୍ଥ ମାମଲା ଦାଖଲ କରିବା ପଡ଼ିଲା ମହଙ୍ଗା । ୫୦ ହଜାର ତଣ୍ଡ ଗଣିବେ ଆବେଦନକାରୀ । ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜନସ୍ବାର୍ଥ ମାମଲା ରୁଜୁ କରି ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି । ଗୋଚର କିସମ ଜମି ଉପରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରି ଏହି ଜନସ୍ବାର୍ଥ ଆବେଦନ ହୋଇଥିଲା । ହାଇକୋର୍ଟ ଏହାକୁ ଖାରଜ କରିବା ସହ ଆବେଦନକାରୀଙ୍କୁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ ବାର୍ ଆସୋସିଏସନ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଉକ୍ତ ରାଶିକୁ ୭ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଯଦି ଆବେଦନକାରୀ ଏଥିରେ ବିଫଳ ହୁଅନ୍ତି ତେବେ ତାଙ୍କ ବିରୋଧରେ ଓପିଡିଆର ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇ ଏହି ଅର୍ଥ ରାଶି ଆଦାୟ କରାଯିବ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଗୁରୁବାର ମାମଲାର ଶୁଣାଣି ବେଳେ କୋର୍ଟ କହଛନ୍ତି ଯେ, ଜନସ୍ବାର୍ଥ‌ ମୋକଦ୍ଦମା ରୂପରେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦାୟର ଆବେଦନ ଆଦୌ ଗ୍ରହଣୀୟ ନୁହେଁ । ଅଯଥା ଆବେଦନ ଦାୟର କରି କୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ କରାଯାଇଛି । ଏନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ଜାହିର କରିବା ସହ ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି ଏବଂ ଆବେଦନକାରୀଙ୍କୁ ଦଣ୍ଡିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ପଦବୀ ମାମଲା, ନିଃସର୍ତ୍ତ କ୍ଷମା ମାଗିଲେ ସ୍ବତନ୍ତ୍ର ସଚିବ

ଏହା ମଧ୍ୟ ପଢନ୍ତୁ: Curb Proxy Sarpanch Menace: ମହିଳା ସରପଞ୍ଚଙ୍କ କାର୍ଯ୍ୟ ତୁଲାଉଛନ୍ତି ସ୍ବାମୀ, ରିପୋର୍ଟ ତଲବ କଲେ ହାଇକୋର୍ଟ

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଚତୁର୍ଭୁଜ ଗଡ଼ନାୟକ ଓ ଅନ୍ୟମାନଙ୍କ ତରଫରୁ ଦାଖଲ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବଅଁରପାଳ ତହସିଲ ଅନ୍ତର୍ଗତ ତଲତଲି ଠାରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଗୋଚର ଜମିର ବ୍ୟବହାରକୁ ବିରୋଧ କରି ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା । ଗୋଚର ଜମିର କିସମ ପରିବର୍ତ୍ତନ ନକରି ଓ ଏ ସଂପର୍କିତ ନିୟମ ଉଲ୍ଲଂଘନ କରି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ ।

ଇଟିଭି ଭାରତ, କଟକ

Last Updated : Nov 17, 2023, 7:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.