ETV Bharat / state

ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ପ୍ରସଙ୍ଗ, ପ୍ରତିପକ୍ଷଙ୍କୁ ଜବାବ ତଲବ କଲେ କୋର୍ଟ

author img

By ETV Bharat Odisha Team

Published : Dec 21, 2023, 8:16 AM IST

Updated : Dec 21, 2023, 8:26 AM IST

ହାଇକୋର୍ଟରେ ଡେଣ୍ଟଲ ସର୍ଜନ ନିଯୁକ୍ତି ମାମଲା ଶୁଣାଣି
ହାଇକୋର୍ଟରେ ଡେଣ୍ଟଲ ସର୍ଜନ ନିଯୁକ୍ତି ମାମଲା ଶୁଣାଣି

HC On Dental Surgeon Recruitment Issue: ହାଇକୋର୍ଟରେ ଡେଣ୍ଟାଲ ସର୍ଜନ(ଦନ୍ତ ଡାକ୍ତର) ନିଯୁକ୍ତି ମାମଲା । ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ‌ଓଡ଼ିଶା ଲୋକସେବା ଆୟୋଗକୁ ଜବାବ ତଲବ କଲେ କୋର୍ଟ । ଅଧିକ ପଢନ୍ତୁ

କଟକ: ଡେଣ୍ଟାଲ ସର୍ଜନ (ଦନ୍ତ ଡାକ୍ତର) ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାର ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏହି ମାମଲା ଏବେ ଓଡ଼ିଶା ହାଇକୋର୍ଟରେ ପହଞ୍ଚି ଥିବାବେଳେ ମାମଲାର ଶୁଣାଣି କରି ଜବାବ ତଲବ କରିଛନ୍ତି ହାଇକୋର୍ଟ । ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ‌ଓଡ଼ିଶା ଲୋକସେବା ଆୟୋଗକୁ କୋର୍ଟ ନୋଟିସ୍ ଜାରି କରି ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ନିଯୁକ୍ତି ପ୍ରକ୍ରିୟାର ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶ୍ବଜିତ ମହାନ୍ତ ଓ ଅନ୍ୟ ୫ ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଶୀତ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଗତ ଏପ୍ରିଲ ୨୦ରେ ୧୯୭ଟି ଡେଣ୍ଟାଲ ସର୍ଜନ ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଜୁଲାଇ ୨୪ରେ ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଥିଲା । ଲିଖିତ ପରୀକ୍ଷାରେ ସଫଳ ହେବା ପରେ ଆବେଦନକାରୀଙ୍କ ସମେତ ୧୭୫ ଜଣଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯାଇଥିଲା । କିନ୍ତୁ ଡିସେମ୍ବର ୪ରେ ୮୧ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମଙ୍ଗଳାଯୋଡିକୁ ନିଶବ୍ଦ ଅଞ୍ଚଳ ଘୋଷଣା ମାମଲା, ଆଇନଗତ ବ୍ୟବସ୍ଥା ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବିଜ୍ଞପ୍ତି ପ୍ରକାଶ ପରେ ଡେଣ୍ଟାଲ ସର୍ଜନ ଛାତ୍ରଛାତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଆ ପ୍ରାର୍ଥୀଙ୍କୁ ଅଣଦେଖା କରି ବାହାର ରାଜ୍ୟର ପ୍ରାର୍ଥୀଙ୍କୁ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ଦେବାକୁ ଉଦ୍ୟମ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ । ସବୁ ଯୋଗ୍ୟତା ଥିବା ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଆବେଦନ‌ରେ ଉଲ୍ଲେଖ କରାଯାଇଛି । ବୁଧବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ‌ଓଡ଼ିଶା ଲୋକସେବା ଆୟୋଗକୁ ରିପୋର୍ଟ ତଲବ କରିଛନ୍ତି । ଡେଣ୍ଟାଲ ସର୍ଜନ ନିଯୁକ୍ତି କ୍ଷେତ୍ରରେ କେଉଁ ମାନଦଣ୍ଡ ଆଧାରରେ ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated :Dec 21, 2023, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.