ETV Bharat / state

୫ମ ଦିନରେ କର୍ପୋରେଟର ଆନ୍ଦୋଳନ; ସିଏମସି ଅଫିସର ମୁଖ୍ୟ ଫାଟକ ତାଲା ପକାଇଲା କଂଗ୍ରେସ

author img

By ETV Bharat Odisha Team

Published : Nov 17, 2023, 12:54 PM IST

କଟକରେ କର୍ପୋରେଟର ଆନ୍ଦୋଳନ
କଟକରେ କର୍ପୋରେଟର ଆନ୍ଦୋଳନ

ପଞ୍ଚମ ଦିନରେ ପହଞ୍ଚିଲା ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନ । ଆଜି ସିଏମସି ଅଫିସର ସବୁ ପ୍ରବେଶ ପଥକୁ ତାଲା ପକାଇ ଧାରଣା ଦେଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ସିଏମସି ଅଫିସର ମୁଖ୍ୟ ଫାଟକ ତାଲା ପକାଇଲା କଂଗ୍ରେସ

କଟକ: କଟକ ମହାନଗର ନିଗମ (CMC) କାଉନସିଲ ହଲରେ କର୍ପୋରେଟରମାନଙ୍କ ଅହରାତ୍ର ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଉଭୟ କଂଗ୍ରେସ ଏବଂ ବିଜେପି କର୍ପୋରେଟରମାନେ ୫ ଦିନ ହେଲାଣି ଧାରଣାରେ ବସି ରହିଛନ୍ତି । ତେବେ ଗତ ୪ ଦିନ ହେଲା ସିଏମସି ଅଫିସ ଗେଟ୍ ବାହାରେ ପ୍ରତିବାଦ କରୁଥିବା କଂଗ୍ରେସ କର୍ମୀମାନେ ଆଜି ସିଏମସିର ସମସ୍ତ ପ୍ରବେଶ ପଥକୁ ଅବରୋଧ କରିଛନ୍ତି । ମେୟର ଧାରଣାରତ କର୍ପୋରେଟରଙ୍କୁ ଭେଟି ଆଲୋଚନା ନ କରିବା ପର୍ଯ୍ୟନ୍ତ ମହାନଗର ନିଗମର କୌଣସି କର୍ମଚାରୀଙ୍କୁ ଭିତରକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସ କର୍ମକର୍ତ୍ତା ।

ହାଡ଼ିଆ ପଠା ଜମି ଜାଲିଆତି, ଛତ୍ର ବଜାର ଅର୍ବାନହାଟ ଆବଣ୍ଟନରେ ଅନିୟମିତତା, ବାଲିଯାତ୍ରା ନାଁରେ ରାଜସ୍ୱରୁ କୋଟି କୋଟି ଟଙ୍କା ହରିଲୁଟ ଓ କଟକ ମହାନଗର ନିଗମରେ ବିଭିନ୍ନ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଇଦ୍ୟାଦି ପ୍ରସଙ୍ଗରେ କାଉନସିଲ ବୈଠକରେ ଜବାବ ମାଗିଥିଲେ ବିରୋଧୀ କର୍ପୋରେଟର । କିନ୍ତୁ ବିରୋଧୀଙ୍କୁ ଜବାବ ଦେବା ବଦଳରେ କାଉନସିଲ ବୈଠକ ଅଧାରୁ ଛାଡି ଚାଲି ଯାଇଥିଲେ ମେୟର ଓ କମିଶନର । ଯାହାକୁ ବିରୋଧ କରି ବିରୋଧୀ କର୍ପୋରେଟରମାନେ ଧାରଣାରେ ବସିଛନ୍ତି । ସିଏମସିର କାଉନସିଲ ବୈଠକକୁ ବିଧିବଦ୍ଧ ଭାବେ ଶେଷ ନକରି ବୈଠକ ଅଧାରୁ ମେୟର ଓ କମିଶନର ଉଠି ଚାଲିଥିବା ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋରଦାର ଧରିଛି ।

ତେବେ ହାଡ଼ିଆ ପଠା ଜମି ଜାଲିଆତି ସମ୍ପର୍କରେ ମେୟର କହିଥିଲେ ଯେ, ହାଡିଆ ପଠାରେ ଥିବା ଜମି ରାଜ୍ୟ ସରକାରଙ୍କର । ସେହି ଜମି ବାବଦ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ କେହି ନେଇପାରିବେ ନାହିଁ । କିଛି ଅସାଧୁ ତତ୍କାଳୀନ ସିଏମସି କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲକୁ ଜାଲ କରି ଏହି ଅନିୟମିତତା କରିଥିଲେ । ଏଥିରେ ସିଏମସିର କୌଣସି ଭୂମିକା ନାହିଁ ।

ଏହା ମଧ୍ୟ ପଢନ୍ତୁ: ତୃତୀୟ ଦିନରେ କର୍ପୋରେଟର ଆନ୍ଦୋଳନ, ଆସୁନାହାନ୍ତି ମେୟର ଏବଂ କମିଶନର

ଏହା ମଧ୍ୟ ପଢନ୍ତୁ: ଜନସାଧାରଣଙ୍କ ଟିକସ ଟଙ୍କା ହରିଲୁଟ ଅଭିଯୋଗ, CMC କର୍ପୋରେଟରଙ୍କ ଅହରାତ୍ର ଧାରଣା

କାଉନସିଲ ହଲରେ ଧାରଣା ଦେଇଥିବା କର୍ପୋରେଟରମାନଙ୍କୁ ସମର୍ଥନ କରି ଦୁଇ ଦିନ ତଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆସିଥିବା ବେଳେ ଗତକାଲି ଜଟଣୀ କଂଗ୍ରେସ ବିଧାୟ ସୁର ରାଉତରାୟ ମଧ୍ୟ ଧାରଣାସ୍ଥଳରେ ପହଞ୍ଚିଥିଲେ । ଧାରଣାରତ କର୍ପୋରେଟରମାନଙ୍କୁ ଭେଟିବା ସହ ସେମାନଙ୍କ ଦାବି ଯଥାର୍ଥ ବୋଲି ସୁର କହିଥିଲେ ଏବଂ ମେୟର ନିଜର ଅହଂକାର ତ୍ୟାଗ କରି କର୍ପୋରେଟରମାନଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ଏପରି ନହେଲେ ଖୁବଶୀଘ୍ର କଂଗ୍ରେସ ଦଳ ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ଚେତାବନୀ ଦେଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.