ETV Bharat / state

ଜେଲ୍‌ ସଂସ୍କାର ମାମଲା: ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀକୁ ନେଇ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ

author img

By

Published : Jan 10, 2023, 7:51 AM IST

ଜେଲ୍‌ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ତାଗିଦ । ଜେଲ୍‌ରେ ଭିଡ଼ ଏଡ଼ାଇବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ । ବନ୍ଦୀଙ୍କୁ ରଖିବାକୁ ଜେଲ୍‌ର କ୍ଷମତା ବୃଦ୍ଧି ସମ୍ପର୍କିତ ସମସ୍ତ ପ୍ରକଳ୍ପରେ କୋଠା ସହିତ ପାଚେରି ନିର୍ମାଣ କାମ ଏକତ୍ର କରାଯିବା ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ

ଜେଲ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ତାଗିଦ
ଜେଲ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ତାଗିଦ

କଟକ: ଜେଲରେ ଅନ୍ତେବାସୀଙ୍କ ସ୍ଥିତିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟର ଅଧିକାଂଶ ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ବନ୍ଦୀ ରହିଥିବା ବେଳେ ଭିଡ଼ ଏଡ଼ାଇବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଯାଜପୁର ସବ୍‌ ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ୭୭ ପ୍ରତିଶତ ଅଧିକ ଅନେବାସୀ ରହିଛନ୍ତି । ସେହିପରି ଆଠମଲ୍ଲିକ ସବ୍‌ ଜେଲ୍‌ରେ ୬୭ ପ୍ରତିଶତ, ମାଲକାନଗିରିରେ ୩୭ ପ୍ରତିଶତ ଅଧିକ ବନ୍ଦୀ ରହିଛନ୍ତି । ଜେଲ୍‌ର କ୍ଷମତା ବୃଦ୍ଧି ପାଇଁ କାର୍ଯ୍ୟ ଚାଲିଥିବା ଜେଲ୍‌ ବିଭାଗ ନିିଜ ରିପୋର୍ଟରେ ଦର୍ଶାଇଛନ୍ତି । ଜେଲ୍‌ ବିଭାଗର ରିପେର୍ଟ ଅନୁଯାୟୀ ଯାଜପୁର ଜେଲ୍‌ କ୍ଷମତା ବୃଦ୍ଧି ପାଇଁ ନୂଆ ସ୍ଥାନ ଚିହ୍ନଟ କରାଯିବାକୁ ଥିବା ବେଳେ ଆଠମଲ୍ଲିକରେ ଅଧିକ ୩୫ ଜଣ ବନ୍ଦୀଙ୍କୁ ରଖିବାକୁ ବ୍ୟବସ୍ଥା ମାର୍ଚ୍ଚ ସୁଦ୍ଧା କରାଯିବ ବୋଲି ରିପୋର୍ଟରେ ଦର୍ଶାଇଯାଇଛି ।

ସେହିପରି ମାଲକାନଗିରିରେ ୨ଶହ ଅଧିକ ବନ୍ଦୀଙ୍କ ପାଇଁ ନୂଆ ଜେଲ୍‌ କୋଠା ନିର୍ମାଣ କରାଯାଇଛି । କିନ୍ତୁ ପାଚେରୀ ନିର୍ମାଣ ହୋଇ ନଥିବାରୁ ଏହି ନୂଆ କୋଠାକୁ ବନ୍ଦୀଙ୍କୁ ସ୍ଥାନାନ୍ତର କରାଯାଇ ପାରୁ ନାହିଁ ବୋଲି ଶୁଣାଣି ସମୟରେ ଜଣା ପଡ଼ିଥିଲା । ଏଭଳି ସ୍ଥିତିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କୌଣସି ଔପଚାରିକ ଅନୁମୋଦନକୁ ଅପେକ୍ଷା ନକରି ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମକୁ ମାଲକାନଗିରି ସବ୍-ଜେଲ୍‌ର ଅତିରିକ୍ତ କ୍ଷମତା ବୃଦ୍ଧି ପାଇଁ କରାଯାଇଥିବା ନୂଆ ବ୍ୟବସ୍ଥାର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚାରି ସପ୍ତାହ ଭିତ‌ରେ ଗୃହ ବିଭାଗ ଔପାଚରିକ ଅନୁମୋଦନ ପ୍ରଦାନ କରିବ । ବନ୍ଦୀଙ୍କୁ ରଖିବାକୁ ଜେଲ‌୍‌ର କ୍ଷମତା ବୃଦ୍ଧି ସମ୍ପର୍କିତ ସମସ୍ତ ପ୍ରକଳ୍ପରେ କୋଠା ସହିତ ପାଚେରୀ ନିର୍ମାଣ କାମ ଏକତ୍ର କରାଯିବ ବୋଲି ହାଇକୋର୍ଟ ସୋମବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ପାଳନ କରି ଜେଲ୍‌ ଡିଜି ମନୋଜ କୁମାର ଚ୍ଛାବରା,OPHWC ସିଏମଡି ସଞ୍ଜୀବ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏସ.ପଣ୍ଡିତ ଭର୍ଚ୍ଚୁଆଲ ମୋଡରେ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.