ETV Bharat / state

ସନ୍ଧ୍ୟାରେ ପିଚୁ ପଡିଲା, ରାତି ନପାହୁଣୁ ଉଠିଗଲା

author img

By ETV Bharat Odisha Team

Published : Dec 20, 2023, 10:26 PM IST

Updated : Dec 21, 2023, 8:57 AM IST

low quality work in niali
ନିମ୍ନମାନର ରାସ୍ତାକାମ

Low Quality Road Work: ସନ୍ଧ୍ୟାରେ ପିଚୁ ପଡିଲା, ସକାଳୁ ଉଠିଗଲା । ଦିନକ ପାଇଁ ବି କାମରେ ଆସିଲାନି ରାସ୍ତା । ଏଭଳି ନିମ୍ନମାନର ରାସ୍ତା କାମ ହୋଇଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ନିଆଳି ବ୍ଳକ୍‌ରୁ । ଅଧିକ ପଢ଼ନ୍ତୁ

ନିମ୍ନମାନର ରାସ୍ତାକାମ

ନିଆଳି: ସନ୍ଧ୍ୟାରେ ପିଚୁ ପଡ଼ିଲା, ସକାଳୁ ଉଠିଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଳକରେ । ଜଲ୍ଲାରପୁରଠାରୁ ପହଙ୍ଗା R&B ବିଭାଗ ଅଧୀନରେ ଥିବା ରାସ୍ତା ନିର୍ମାଣ କରାଗଲା । ଦୀର୍ଘ ବର୍ଷ ଧରି ପ୍ରତିବାଦ ପରେ ରାଜ୍ୟ ସରକାର ରାସ୍ତା ମରାମତି ପାଇଁ ବ୍ୟୟବରାଦ କରିଥିଲେ । ହେଲେ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଭିଡିଓ ଉତ୍ତୋଳନ କରିଥିଲେ । ଯାହା ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଏହି ରାସ୍ତା ପାଇଁ ରାଜ୍ୟ ସରକାର ପାଖାପାଖି ୧୬ କୋଟି ୬୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ରାସ୍ତା ୨୦୨୪ ଜାନୁଆରୀ ୨୪ ତାରିଖରେ ଶେଷ ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି ସରକାର ।

ଏହି କାର୍ଯ୍ଯକୁ ତଦାରଖ କରିଛନ୍ତି ରାସ୍ତା ଓ କୋଠାବାଡ଼ି ଡିଭିଜନ-୨ କଟକ (ଆର୍ ଆଣ୍ଡ ବି) ବିଭାଗ । ଜଲ୍ଲାରପୁରରୁ ପହଙ୍ଗା ରାସ୍ତାର ଯାଞ୍ଚ ଏବଂ ତଦାରଖ କରିବା ପାଇଁ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ରହିଛି । ହେଲେ ଗତ ଦୁଇଦିନ ତଳେ ରାସ୍ତାରେ ପିଚୁ ପଡିଥିବାବେଳେ ସକାଳ ସମୟରେ ପିଚୁ ସହିତ ଗୋଡି ଉଠିଯାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ...ଶୁଭ ଦେଇ ଭୁଲିଗଲେ ସରକାର, ଗଙ୍ଗୁଆ କଡ ରାସ୍ତା ନହେବା ନେଇ ତାତିଲା କଂଗ୍ରେସ

"ଗୋଟିଏ ଦିନ ମଧ୍ୟ ଏହି ପିଚୁ ରାସ୍ତା ଲୋକଙ୍କ ବ୍ୟବହାରଯୋଗ୍ୟ ନୁହେଁ, ତେବେ କିଭଳି ବର୍ଷ ବର୍ଷ ଧରି ଲୋକଙ୍କ କାର୍ଯ୍ୟରେ ଆସିବ ?" ପ୍ରଶ୍ନ କରିଛନ୍ତି ସ୍ଥାନୀୟଲୋକେ । ଏନେଇ ନିଆଳି ଆର୍ ଆଣ୍ଡ ବି ବିଭାଗର କନିଷ୍ଠ ଯନ୍ତ୍ରୀ ପୁଷ୍ପଲତା ସାହୁଙ୍କୁ ଫୋନ ମାଧ୍ୟମରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେ ଫୋନ୍‌ ଉଠାଇନାହାନ୍ତି କି କୌଣସି ପ୍ରତିକ୍ରିୟା ରଖ ନାହାନ୍ତି ।

ସେପଟେ R&B ସହକାରୀ ଯନ୍ତ୍ରୀ ମନୋଜ ମୁଞ୍ଜଙ୍କ ସହିତ ଯୋଗାଯୋଗ କରାଯିବା ପରେ ସେ କହିଛନ୍ତି, "ସନ୍ଧ୍ୟାରେ କାମ ହେଉଥିଲା । ଗାଡ଼ି ଚାଲିଲା ପରେ କେଉଁଠି କ'ଣ ଡିଫେକ୍ଟ ହୋଇଥିବ ତାକୁ ମରାମତି କରାଯିବ, କାମ ଚାଲିଛି । ଲୋକ ତ ଏମିତି ହେବେ ।" ଯଦି ରାସ୍ତା ନିର୍ମାଣ ଏଭଳି ହୁଏ ତେବେ ରାସ୍ତାର ସ୍ଥାୟୀତ୍ବ ପ୍ରତି ଗ୍ୟାରେଣ୍ଟି କିଏ ଦେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।


ଇଟିଭି ଭାରତ, ନିଆଳି

Last Updated :Dec 21, 2023, 8:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.