ETV Bharat / state

Lady Blackmailer Case: ପରବର୍ତ୍ତୀ ଶୁଣାଣି ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ

author img

By

Published : Mar 14, 2023, 10:26 PM IST

Etv Bharat
Etv Bharat

ଅର୍ଚ୍ଚନାଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଇଥିଲା ଇଡି । ଅଧିକ ପଢନ୍ତୁ

କଟକ: ହାଇକୋର୍ଟରେ ଅର୍ଚ୍ଚନା ନାଗ ଜାମିନ ଆବେଦନ ପ୍ରସଙ୍ଗ । ତଦନ୍ତର କଣ ଅଗ୍ରଗତି ହୋଇଛି ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନୟାପଲ୍ଲୀ ଥାନାରେ ଦାଏର ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଚାର୍ଜସିଟ ଦାଖଲ ପରେ ପୋଲିସ କଣ ଅଧିକ ତଦନ୍ତ କରିଛି, ସେ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ ।

ଜଷ୍ଟିସ ଭି ନରସିଂହଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି କରାଯାଇଛି। ଅର୍ଚ୍ଚନାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ପ୍ରଭୁ ପ୍ରସନ୍ନ ବେହେରା । ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେବା ସହିତ ଏହି କେଳେଙ୍କାରୀରେ ସାମିଲ ଥିବା କିଛି ରାଜନେତା ତଥା ବଡ଼ବଡ଼ ବ୍ୟବସାୟୀଙ୍କ ଲିଙ୍କ ଖୋଜି ବାହାର କରିଛି ଇଡି । ଇଡି ହାତରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କ ସୁରାକ ଲାଗିଛି । ପୋଲିସ ଜବତ କରିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ ପାଇଁ ଚାହୁଁଛି ଇଡି । କିନ୍ତୁ ଏନେଇ ଫରେନସିକ ଟିମ ଏବେଯାଏଁ ଇଡିକୁ କୌଣସି ଡିଜିଟାଲ ତଥ୍ୟ ଦେଇନଥିବା ବେଳେ ସେହି ଗ୍ରାଉଣ୍ଡରେ ତଦନ୍ତ ପାଇଁ ଇଡି କୋର୍ଟକୁ ଜଣାଇଛି ।

ଏନେଇ ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ୟାୟରେ ରିମାଣ୍ଡରେ ନେବାକୁ ଚାହିଁଥିଲା ଇଡି । ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟରେ ୭ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ୬ଦିନ ପାଇଁ ରିମାଣ୍ଡରେ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଆଜି ଅର୍ଚ୍ଚନାଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଇଥିଲା ଇଡି । ଏଠାରେ ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ୟାୟରେ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ଇଡିର ଏହି ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଫଳରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

PMLA କେସରେ ଅର୍ଚ୍ଚନା‌ ଲିଙ୍କରେ ଅନେକ ହାଇପ୍ରୋଫାଇଲଙ୍କୁ ସମନ କରିଥିଲା ଇଡି। ଯାହାର ଆଧାରରେ ପୂର୍ବରୁ ବ୍ୟବସାୟୀ ଅମୀୟ ଦାସ, ଅକ୍ଷୟ ପରିଜା, ଢେଙ୍କାନାଳ ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ପ୍ରଯୋଜକ ପ୍ରମୋଦ ସ୍ବାଇଁ, ଖଗେଶ୍ବରର ସହଯୋଗୀ ସମେତ ଶ୍ରଦ୍ଧାଞ୍ଜଳି ମଧ୍ୟ ହାଜର ହୋଇ ଇଡି ନିକଟରେ ତଥ୍ୟ ମଧ୍ୟ ରଖିଛନ୍ତି। ଅର୍ଚ୍ଚନା ଦୁଇଟି କେସ ଆଧାରରେ ଝାରପଡ଼ା ଜେଲରେ ଅଛନ୍ତି । ଗତ ଅକ୍ଟୋବର ୪ ତାରିଖରୁ ଗିରଫ ପରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଖଣ୍ଡଗିରି ଥାନା କେସ ଆଧାରରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ମନି ଲଣ୍ଡରିଂ ଆକ୍ଟରେ କେସ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ମାମଲାରେ ପୋଲିସ ଛାଡିଦେଇଥିବା ନାଗ ଦମ୍ପତିଙ୍କ ସହଯୋଗୀ ଖଗେଶ୍ବରକୁ ଗିରଫ କରି କୋର୍ଟ ଚାଲାଣ ପରେ ସେ ଏବେ ଝାରପଡା ଜେଲରେ ଅଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.