ଦେଶରେ ନିଶା କାରବାର ଅତ୍ୟନ୍ତ ଚିନ୍ତାଜନକ: SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ

author img

By

Published : Mar 18, 2023, 5:37 PM IST

Justice Arijit Pasayat

ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT)ର ନବମ ବୈଠକ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଦେଶର ନିଶା କାରବାର ଚିନ୍ତାଜନକ ବୋଲି କହିଛନ୍ତି ଜଷ୍ଟିସ ପଶାୟତ । ଅଧିକ ପଢନ୍ତୁ

ଦେଶରେ ନିଶା କାରବାର ଅତ୍ୟନ୍ତ ଚିନ୍ତାଜନକ

କଟକ: ଶେଷ ହେଲା ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT)ର ନବମ ବୈଠକ। ଜଷ୍ଟିସ ଅର୍ଜିତ ପଶାୟତଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଆୟବହିର୍ଭୁତ ସମ୍ପତ୍ତି ଉପରେ ଆଲୋଚନା ହେବା ସହିତ ଜଷ୍ଟିସ ଅରିଜିତ ପଶାୟତ ଦେଶରେ ନିଶା କାରବାର ଉପରେ ଚିନ୍ତାପ୍ରକଟ କରିଥିଲେ । ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଆୟବହିର୍ଭୁତ ସମ୍ପତ୍ତି ଉପରେ ଆଲୋଚନା କରାଯାଇଥିଲା । ମାତ୍ର ଏହି ମାମଲା କୋର୍ଟରେ ଥିବାରୁ କେବଳ ସମ୍ପତ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା । ଅର୍ଚ୍ଚନାର ୪କୋଟି ଟଙ୍କାର ବେଆଇନ ସମ୍ପତ୍ତି ଇଡି ଆଟାଚ କରିଥିବା ନେଇ ଉପାଧ୍ୟକ୍ଷଙ୍କୁ ଅବଗତ କରିଥିଲା ଇଡି। ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ଚାଲିଥିବା ନେଇ ବୈଠକ ଶେଷ ହେବା ପରେ ସୂଚନା ଦେଇଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ପଶାୟତ। ସେହିପରି GST ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି । GST ଫାଙ୍କିବା ନେଇ କେତେ ଅଭିଯୋଗ ହୋଇଛି ଏବଂ ସେମାନଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଆଲୋଚନା ହୋଇଛି ।

ବର୍ତ୍ତମାନ ସମଗ୍ର ଦେଶରେ ନାର୍କୋଟିକ୍ସ ମାମଲା ଚିନ୍ତାର ବିଷୟ ପାଲଟିଛି । ଆଶାଠାରୁ ଅଧିକ ପରିମାଣର ନାର୍କୋଟିକ୍ସ ଦ୍ରବ୍ୟ ଜବତ ହେଇଥିବା ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବା ବେଳେ ବ୍ରାଉନ ସୁଗାର ଆଉ ହେରୋଇନ୍ ମଧ୍ୟ ଜବତ ହେଉଛି। ନାର୍କୋଟିକ୍ସ, ରିଅଲ ଇଷ୍ଟେଟ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି। ଏହା ଉପରେ ରୋକ ଲଗାଇବା ପାଇଁ ହେଲେ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ ହେବା ଉଚିତ ବୋଲି ଉପାଧ୍ୟକ୍ଷ କହିଛନ୍ତି।

ଏଥିସହ ଦୁର୍ନୀତି ନିବାରଣ ଆଇନରେ ମାମଲା ହେଲେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଉପାଧ୍ୟକ୍ଷ କହିଛନ୍ତି । ତେବେ ଆସନ୍ତା ଜୁନ ମାସରେ କଳାଧନ ସମ୍ପର୍କିତ SITର ନବମ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ। ଦେଶରେ କଳାଧନର କାରବାର ରୋକିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ଏହି SITକୁ ଗଠନ କରିଛନ୍ତି । ଏହି ବୈଠକରେ କଳାଧନ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ସହ କିଛି ସାମ୍ପ୍ରତିକ ପ୍ରସଙ୍ଗ ବାବଦରେ ଆଲୋଚନା କରାଯାଇଛି।

ଏହା ବି ପଢନ୍ତୁ- କଟକରେ ଖୋଲିଲା ମିଲେଟ କାଫେ, ଜିଲ୍ଲାରେ ଶୀଘ୍ର ହେବ ଚାଷ

ଦେଶରେ ନିର୍ବାଚନ ସମୟରେ ହୋଇଥିବା କଳାଧନ କାରବାର ଓ ଜବତ ହୋଇଥିବା ଟଙ୍କା ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥାଏ । ଅର୍ଚ୍ଚନା ନାଗଠାରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର କଳାଧନର ମୂଳ ସୁତ୍ରକୁ ଠାବ କରିବା ପାଇଁ SITଙ୍କ ନିର୍ଦ୍ଦେଶ କ୍ରମେ ED ଏହି ମାମଲାର ତଦନ୍ତ କରୁଛି । ପୂର୍ବରୁ କଟକରେ ବସିଥିବା ଏହି ବୈଠକ ଅବସରରେ ଦେଶରେ କଳାଧନର ସ୍ଥିତି ଓ ଏହାର ମୁଳୋତ୍ପାଟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। GST ଠକେଇ ଓ ନିଶା କାରବାର କ୍ଷେତ୍ରରେ କଳାଧନର ବ୍ୟାପକ କାରବାର ହେଉଥିବା ଜଣା ପଡିବା ପରେ ଏହି ଦିଗରେ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଜଷ୍ଟିସ ପଶାୟତ ।

ନିଶା କାରବାର ସହିତ GST ଠକେଇ କରି କୋଟି କୋଟି ଟଙ୍କାର କଳାଧନ ସଂଗୃହିତ କରାଯାଉଛି । ଗତ ୨ ବର୍ଷ ଭିତରେ ଦେଶରେ ୨୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଜିଏସଟି ଠକେଇ ହୋଇଥିବା ନେଇ GST ବିଭାଗ ପକ୍ଷରୁ SITଙ୍କୁ ଅବଗତ କରାଯାଇଥିଲା। ତେବେ କଳାଧନକୁ ଲୁଚାଇ ରଖିବା ପାଇଁ ପନାମା ଓ ପଣ୍ଡୋରା ପେପର୍ସର ତଦନ୍ତ କ୍ଷେତ୍ରରେ ଆଖି ଦୃଶିଆ ଅଗ୍ରଗତି ହୋଇଥିବା ବିଭାଗୀୟ ଅଧିକାରୀ ମାନେ SITଙ୍କୁ ଅବଗତ କରାଇଥିଲେ। ପାନାମା ପେପରସ କ୍ଷେତ୍ରରେ ୪୦୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଛି। ଏବଂ ଏହା ଭିତରୁ ପ୍ରାୟ ୩୦୦ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ପଣ୍ଡୋରା ପେପର୍ସ ମାମଲାରେ ମାସକ ଭିତରେ ୭୦ଟି ମାମଲା ରୁଜୁ ହୋଇଥିବା କହିଥିଲେ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ଡାଇରେକ୍ଟ ଟ୍ୟାକ୍ସ ବିଭାଗ, ସେଣ୍ଟ୍ରାଲ ଏକ୍ସାଇସ ଓ କଷ୍ଟମ, ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ, ସିଟି ଜିଏସଟି, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଏବଂ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.