ETV Bharat / state

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: କଣ୍ଟାବାଞ୍ଜି ଜେଲର ମୁଲାକାତ ରେଜିଷ୍ଟର ଜବତ କଲା କ୍ରାଇମବ୍ରାଞ୍ଚ

author img

By

Published : Dec 25, 2022, 9:53 PM IST

କଣ୍ଟାବାଞ୍ଜି ଜେଲର ମୁଲାକାତ ରେଜିଷ୍ଟର ଜବତ କଲା କ୍ରାଇମବ୍ରାଞ୍ଚ
କଣ୍ଟାବାଞ୍ଜି ଜେଲର ମୁଲାକାତ ରେଜିଷ୍ଟର ଜବତ କଲା କ୍ରାଇମବ୍ରାଞ୍ଚ

ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କଣ୍ଟାବାଞ୍ଜି ଜେଲରେ ଥିବା କିଛି ବିଚାରଧିନ କଏଦୀ ଓ ଅଧିକାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପୂର୍ବଦିନ କେଉଁମାନେ ତାଙ୍କୁ ଜେଲରେ ଭେଟିଥିଲେ, ତାହା ଜାଣିବା ପାଇଁ ମୁଲାକାତ ରେଜିଷ୍ଟରକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଯାଞ୍ଚ କରାଯାଇଛି । ଅଧିକ ପଢ଼ନ୍ତୁ

କଟକ: କଣ୍ଟାବାଞ୍ଜି ସବ ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । କଣ୍ଟାବାଞ୍ଜି ଜେଲରେ ଥିବା କିଛି ବିଚାରଧିନ କଏଦୀଙ୍କୁ ଜେରା କରିବା ସହ ଜେଲର ମୁଲାକାତ ରେଜିଷ୍ଟର ଜବତ କଲା କ୍ରାଇମବ୍ରାଞ୍ଚ । ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପୂର୍ବଦିନ କେଉଁମାନେ ତାଙ୍କୁ ଜେଲରେ ଭେଟିଥିଲେ, ତାହା ଜାଣିବା ପାଇଁ ମୁଲାକାତ ରେଜିଷ୍ଟରକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଯାଞ୍ଚ କରାଯାଇଛି ।

ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତ ଡିସେମ୍ବର ୨୦ ତାରିଖ ବଲାଙ୍ଗୀର କଣ୍ଟାବାଞ୍ଜି ସବ ଜେଲ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା । ଏନେଇ ହାଜତ ମୃତ୍ୟୁ ପାଇଁ ଥିବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ ଏନଏଚଆରସିର ସ୍ଵତନ୍ତ୍ର ନିୟମ ଅନୁଯାୟୀ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ୨୧ ତାରିଖଠାରୁ ବଲାଙ୍ଗୀର କଣ୍ଟାବାଞ୍ଜି ଜେଲ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜି କଣ୍ଟାବାଞ୍ଜି ସବଜେଲରେ କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କ ପକ୍ଷରୁ ତନାଘନା କରାଯାଇଥିଲା । ଜେଲ୍‌ ଥିବା କିଛି କଏଦୀଙ୍କ ସହ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେଲର ‘ମୁଲାକାତ ରେଜିଷ୍ଟର’କୁ ଯାଞ୍ଚ କରାଯାଇଛି ।

ଏହି ଟିମ୍‌ ପ୍ରଥମେ କଣ୍ଟାବାଞ୍ଜି ଜେଲରେ ମୃତଦେହ ମିଳିଥିବା ସ୍ଥାନର ଝରକାର ତଦାରଖ କରିଥିଲେ । ଏଠାରୁ କାଠ ଗଣ୍ଡି, ଗାମୁଛା ମଧ୍ୟ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଏଠାରୁ ଶୁକ୍ରବାର ଗୋବିନ୍ଦଙ୍କର ହାତଲେଖା କିଛି କାଗଜ ପତ୍ର ମଧ୍ୟ ଜବତ ହୋଇଥିଲା । ଘଟଣାର ଅଧିକ ତଦନ୍ତ ପାଇଁ ଶନିବାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍‌ ମହାଲିଙ୍ଗଠାରେ ପହଞ୍ଚିବା ପରେ ପ୍ରଥମେ ମହାଲିଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ସେଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଠାରେ କଲେଜର ସମ୍ପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନ୍ସପାଲ ଜୟଦେବ ମିଶ୍ରକୁ ପଚରାଉଚରା କରିବା ସହ ଗୋବିନ୍ଦଙ୍କ ହାତ ଲେଖାଥିବା ଏକ ରେଜିଷ୍ଟରକୁ ଜବତ କରିଥିଲେ । ପରେ ଗୋବିନ୍ଦଙ୍କ ଘରକୁ ଯାଇ ସେଠାରେ ତାଙ୍କ ସ୍ତ୍ରୀ ତଥା ପରିବାର ଲୋକଙ୍କ ସହିତ ଆଲୋଚନା କରିବା ପରେ ଗୋବିନ୍ଦଙ୍କ ହାତ ଲେଖା ଥିବା ଗୋଟିଏ ଡାଏରୀକୁ ମଧ୍ୟ ଜବତ କରି ଫେରି ଆସିଛନ୍ତି କ୍ରାଇମବ୍ରାଞ୍ଚ ଟିମ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.