ETV Bharat / state

Durga Puja Special: ଆକର୍ଷଣ ପାଲଟିଛି ଭଳିକି ଭଳି ଚାନ୍ଦିମେଢ, କେବେ ହୋଇଥିଲା ଆରମ୍ଭ ? ଜାଣନ୍ତୁ ଇତିହାସ

author img

By ETV Bharat Odisha Team

Published : Oct 21, 2023, 8:25 PM IST

ରୌପ୍ୟ ନଗରୀ ଭାବେ ପରିଚିତ କଟକ ସହରକୁ ଦୁର୍ଗାପୂଜା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ପ୍ରସିଦ୍ଧ ଚାନ୍ଦିମେଢ ଏଠାକାର ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ଏହା ପଛର ଇତିହାସ ଜାଣିବା ପାଇଁ ଅଧିକ ପଢନ୍ତୁ ।

chandi medha in cuttack
କଟକ ପ୍ରସିଦ୍ଧ ଚାନ୍ଦିମେଢ

କଟକ ପ୍ରସିଦ୍ଧ ଚାନ୍ଦିମେଢ

କଟକ: କଟକ ଦଶହରାକୁ ନେଇ ଅନେକ ଇତିହାସ ରହିଛି । ଚାନ୍ଦି ମେଢ଼ ଏହାର ଏକ ବଡ଼ ଉଦାହରଣ । ସହରରେ ଏବେ ୩୨ଟି ଚାନ୍ଦି ମେଢ଼ ହେଲାଣି । ତେବେ ପ୍ରଥମ କରି ଚାନ୍ଦି ମେଢ଼ ଆରମ୍ଭ ହୋଇଥିବା ମଣ୍ଡପ ହେଉଛି କଟକ ଚୌଧୁରୀ ବଜାର ପୂଜା ମଣ୍ଡପ । ସୂଚନା ଅନୁସାରେ, ୧୯୫୫ ମସିହାରେ ଏହି ମଣ୍ଡପରେ ଚାନ୍ଦି ମେଢ଼ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା । ହେଲେ ବନ୍ୟା କାରଣରୁ ପରବର୍ତ୍ତୀ ବର୍ଷ ଅର୍ଥାତ ୧୯୫୬ ମସିହାରେ ମଣ୍ଡପରେ ଆରମ୍ଭ ହେଲା ଚାନ୍ଦିମେଢ । ପ୍ରାୟ ଅଢେଇ କୁଇଣ୍ଟାଲ ଚାନ୍ଦିରେ ନିର୍ମାଣ ହୋଇଥିଲା ଏହି ମେଢ଼। ସେପଟେ ଚାନ୍ଦି ମେଢର ଚାହିଦା ବଢୁଥିବାରୁ ରୋଜଗାରକ୍ଷମ ହେଉଛନ୍ତି ତାରକସି କାମ କରୁଥିବା କାରିଗର ।

ଚୌଧୁରୀ ବଜାର ପୂଜା ମଣ୍ଡପରେ ହୋଇଥିବା ଚାନ୍ଦିମେଢ ଦେଶର ପ୍ରଥମ ଚାନ୍ଦି ମେଢ଼ ବୋଲି କୁହାଯାଏ । ପରବର୍ତ୍ତୀ ସମୟରେ ଏହି ମଣ୍ଡପ ଆଉ ଗୋଟିଏ ପାଦ ଆଗେଇ ସୁନା ମେଢ଼ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ବର୍ତ୍ତମାନ ଏହି ମଣ୍ଡପରେ ଦେବୀଙ୍କ ସହ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କର ଅଳଙ୍କାର, ମୁକୁଟ ସୁନାରେ ତିଆରି କରାଯାଇଛି । ସେହିପରି ମଣ୍ଡପର ପ୍ରାୟ ୨୦ ପ୍ରତିଶତ ସୁନା କାର୍ଯ୍ୟ ଶେଷ ହୋଇଯାଇଛି । ପ୍ରାୟ ୨୦ ରୁ ୨୫ କିଲୋ ଓଜନର ସୁନା ଏହି ମେଢ଼ରେ ବ୍ୟବହାର କରାଯାଉଥିବାବେଳେ ଖୁବଶୀଘ୍ର ଏଠାରେ ସୁନା ମେଢ଼ ଆରମ୍ଭ ହେବ ବୋଲି କହିଛନ୍ତି ଚୌଧୁରୀ ବଜାର ପୂଜା କମିଟିର ସମ୍ପାଦକ।

ଏହା ବି ପଢନ୍ତୁ...Durga Puja Special: ଝଲସୁଛି ସିଲଭରସିଟି, ପ୍ରଥମ ଥର କଟକରେ କାଚମେଢ

ଏହା ବି ପଢନ୍ତୁ...ପ୍ରଥମ ଥର କାଫଲା ବଜାର ପୂଜା ମଣ୍ଡପରେ ଚାନ୍ଦିରେ ଝଲସୁଛନ୍ତି ମା' ଦଶଭୂଜା


ସେହିପରି ଦ୍ୱିତୀୟ ଚାନ୍ଦି ମେଢ଼ ନିର୍ମାଣ କରିଥିବା ମଣ୍ଡପ ହେଉଛି କଟକର 'ସେକ ବଜାର ପୂଜା ମଣ୍ଡପ' । "୧୯୯୧ ମସିହାରେ ଏହି ମଣ୍ଡପ ଚାନ୍ଦି ମେଢ଼ ନିର୍ମାଣ କରିଥିଲା। ପ୍ରାୟ ୩ କୁଇଣ୍ଟାଲ ୫୦ କେଜିରୁ ଅଧିକ ଚାନ୍ଦିରେ ମେଢ଼ ନିର୍ମାଣ କରାଯାଇଥିଲା। ସେହିପରି ଦେବାଦେବୀଙ୍କର ଚାନ୍ଦି ଗହଣା ପ୍ରାୟ ୪୦ କେଜି ଥିଲା। କେବଳ ସେତିକି ନୁହେଁ, ମାଟଙ୍କ ସୁନା ମୁକୁଟ ତଥା ଦେବାଦେବୀଙ୍କର ଗହଣାକୁ ମିଶାଇ ପ୍ରାୟ ୭ କିଲୋରୁ ଉର୍ଦ୍ଧ୍ବ ସୁନା ଏହି ମଣ୍ଡପରେ ବ୍ୟବହାର କରାଯାଇଛି। ଆସନ୍ତା ବର୍ଷକୁ ସୁନା ଉପରେ ଧ୍ୟାନ ଦେବ" ବୋଲି ସେକ ବଜାର ପୂଜା ମଣ୍ଡପର ସାଧାରଣ ସମ୍ପାଦକ କହିଛନ୍ତି ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.