ETV Bharat / state

ବର୍ଷାଙ୍କୁ ଦିଲ୍ଲୀ ପଟିଆଲା କୋର୍ଟର ସମନ, ଆସନ୍ତା 4ରେ ହାଜର ନିର୍ଦ୍ଦେଶ

author img

By

Published : Dec 30, 2022, 9:37 AM IST

Updated : Dec 30, 2022, 11:19 AM IST

ଅନୁଭବଙ୍କ ସହଯୋଗୀଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗ ଘଟଣା । ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ । ଅଧିକ ପଢ଼ନ୍ତୁ

varsha Priyadarshini
ବର୍ଷା ପ୍ରିୟଦର୍ଶିନୀ

କଟକ: ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ (Delhi Patiala Court issued Summons Actress Varsha Priyadarshini) । ଜାନୁଆରୀ 4ରେ ହାଜର ହେବାକୁ ନିର୍ଦ୍ଦେଶ । ଦିଲ୍ଲୀ ନର୍ଥ ଏଭିନିଉ ଥାନାରେ ସାଂସଦ ଅନୁଭବ ମହାନ୍ତିଙ୍କ (Anubhav Mohanty) ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଚାଲିଥିବା ଜାତିଆଣ ଆକ୍ଷେପ ମାମଲାରେ ପଟିଆଲା ହାଉସ କୋର୍ଟ ସମନ ଜାରି କରି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବର୍ଷା ଅନୁଭବ ପାରିବାରିକ ବିବାଦ, ମଙ୍ଗଳବାର ବି ସରିପାରିଲାନି ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା

ବର୍ଷାଙ୍କ ମାଆ ଓ ଭଉଣୀଙ୍କୁ ମଧ୍ୟ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି, ଅନୁଭବଙ୍କ ଜଣେ ସହଯୋଗୀଙ୍କୁ ବର୍ଷା,ତାଙ୍କ ମାଆ ଓ ଭଉଣୀ ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଦିଲ୍ଲୀରେ ଏହି ଘଟଣା ଘଟିଥିଲା । ତେଣୁ ଅନୁଭବଙ୍କ ସହକର୍ମୀ ଏନେଇ ନର୍ଥ ଏଭିନିଉ ଥାନାରେ ଏତଲା ଦେଇଥିଲେ । 2019 ଜୁଲାଇ 9 ତାରିଖର ମାମଲା 2022 ଜୁଲାଇରେ ପଞ୍ଜିକୃତ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ଏସ୍‌ସି ଓଏସ୍‌ଟି ପ୍ରିଭେନସ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରିଥିଲା । ଏହାପରେ ବର୍ଷାଙ୍କ ପାଇଁ ଅଡୁଆ ବଢ଼ିଛି ।

ପୂର୍ବରୁ ଦିଲ୍ଲୀର ଏକ ଟିମ୍ କଟକ ଆସି ବର୍ଷାଙ୍କୁ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇନଥିଲେ । ପୁରୀ ଘାଟ ପୋଲିସ ମଧ୍ୟ ସହଯୋଗ କରିନଥିବା ଅଭିଯୋଗ ହୋଇଥିଲା । ପରେ ପୁରୀଘାଟ ଥାନାକୁ ବର୍ଷା ତାଙ୍କ ବଡ ଭଉଣୀଙ୍କ ସହ ଯାଇ ସମନ ଗ୍ରହଣ କରିଥିଲେ । ଜାତିଆଣ ଆକ୍ଷେପ ମାମଲାରେ ଗତ ଅଗଷ୍ଟ ମାସରେ ମଧ୍ୟ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ବର୍ଷାଙ୍କୁ ଦିଲ୍ଲୀ ପୋଲିସ ଦୁଇଥର ନୋଟିସ୍‌ କରିଥିଲେ ବି ସେ ହାଜର ହୋଇନଥିଲେ । ଅନ୍ତରୀଣ ସୁରକ୍ଷା ପାଇଁ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର: ସ୍ୱାସ୍ଥ୍ୟ ସଚିବ

ଏହି ମାମଲାର ତଦନ୍ତ ଏବେ ଜାରି ରହିଛି । ଏହି କ୍ରମରେ ଗତ ସପ୍ତାହରେ ତଦନ୍ତକାରୀ ଏସ୍‌ପି ମହେଶ ଚାନ୍ଦ ମିନାଙ୍କ ଅଧିନତ୍ୱରେ ଥାନାର ଦୁଇ ଜଣ କର୍ମଚାରୀ କଟକ ଆସିଥିଲେ । ଆସନ୍ତା ଜାନୁଆରୀ 4 ତାରିଖରେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ମାଆ ଏବଂ ଭଉଣୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ନନ୍ଦିସାହି ସ୍ଥିତ ଶାଶୁ ଘରେ ଏହି ସମନ ରଖିଥିଲେ କର୍ମଚାରୀ ।

ଇଟିଭି ଭାରତ, କଟକ

Last Updated :Dec 30, 2022, 11:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.