ETV Bharat / state

ବିଜେଡିର ଗୁଣଗାନ କରିବା ପଡ଼ିଲା ଭାରି, ଅଙ୍ଗନୱାଡି ଦିଦିଙ୍କ ବହିଷ୍କାର ଦାବି

author img

By ETV Bharat Odisha Team

Published : Dec 29, 2023, 11:49 AM IST

ଅଙ୍ଗନୱାଡି ଦିଦିଙ୍କ ବହିଷ୍କାର ଦାବି କଲା ବିଜେପି
ଅଙ୍ଗନୱାଡି ଦିଦିଙ୍କ ବହିଷ୍କାର ଦାବି କଲା ବିଜେପି

BJP Demands Expulsion Of Anganwadi Worker: ବିଜେଡି ଦଳର ପ୍ରତିଷ୍ଠାନ ଦିବସ ସଭା ମଞ୍ଚରେ ବିଜେଡି ଦଳର ନେତାଙ୍କ ଗୁଣଗାନ କରିବା ଅଙ୍ଗନୱାଡି ଦିଦିଙ୍କ ପାଇଁ ମହଙ୍ଗା ପଡ଼ିଛି । ଅୱଙ୍ଗନୱାଡି ଦିଦିଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ସିଡିପିଓ ଏବଂ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେପି ।

ଅଙ୍ଗନୱାଡି ଦିଦିଙ୍କ ବହିଷ୍କାର ଦାବି କଲା ବିଜେପି

ନିଆଳି: ବିଜେଡିର ପ୍ରତିଷ୍ଠା ଦିବସ ସଭାମଞ୍ଚରେ ବିଜେଡି ନେତାଙ୍କ ଗୁଣଗାନ କରିବା ଅଙ୍ଗନୱାଡି ଦିଦିଙ୍କ ପାଇଁ ମହଙ୍ଗା ପଡ଼ିଛି । ଜଣେ ସରକାରୀ କର୍ମୀ ହୋଇ ଏକ ଦଳୀୟ କାର୍ଯ୍ୟରେ ଯୋଗ ଦେଇ ବିଜେଡିର ଗୁଣଗାନ କରିବାକୁ ନାପସନ୍ଦ କରିଛି ବିଜେପି । ଏନେଇ ନିଆଳି ବିଜେପି ଦଳର ନେତା ଓ କର୍ମୀମାନେ ସ୍ଥାନୀୟ ଥାନାରେ ଏତଲା ଦେବା ସହ ଅୱଙ୍ଗନୱାଡି ଦିଦିଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ସିଡିପିଓ ଏବଂ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗତ ୨୬ ତାରିଖ ଦିନ ରାଜ୍ୟରେ ବିଜୁ ଜନତା ଦଳ ପାଳନ କରିଥିଲା 27 ତମ ପ୍ରତିଷ୍ଠା ଦିବସ । କଟକ ଜିଲ୍ଲା ନିଆଳିର ଅଚିହ୍ନା ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ, ସରପଞ୍ଚ ସମିତି ସଭ୍ୟ, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ତେବେ ଅଁଳୋ ପଞ୍ଚାୟତର ଜଣେ ଅଙ୍ଗନୱାଡି ଦିଦି ବିଜେଡି ପ୍ରତିଷ୍ଠାତା ଦିବସ ମଞ୍ଚରେ ବିଜେଡି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିଆଳି ବିଧାୟକଙ୍କ ଗୁଣଗାନ କରିଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ବିଜେପି ଦଳ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ସମ୍ପୃକ୍ତ ଅଙ୍ଗନୱାଡି ଦିଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହାସହ ଉକ୍ତ ଅଙ୍ଗନୱାଡି କର୍ମୀଙ୍କୁ ଚାକିରି ବହିଷ୍କାର କରିବା ପାଇଁ ଦାବି କରିଛି ନିଆଳି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର; ପ୍ରଶ୍ନବାଣ ମାରିଲା ବିଜେପି

ଏନେଇ ବିଜେପି ନେତା ଛବି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପ୍ରଥମେ ନିଆଳି ଥାନାରେ ସମ୍ପୃକ୍ତ ଅଙ୍ଗନୱାଡି ଦିଦିଙ୍କ ବିରୋଧରେ ଏତଲା ଦେବା ପରେ ନିଆଳି ସିଡିପିଓ ଏବଂ ବିଡ଼ିଓଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର କୁମାର ପଣ୍ଡା କହିଛନ୍ତି, "ଦୁଇ ଜଣ ଅଙ୍ଗନୱାଡି କର୍ମଚାରୀ ବିଜେଡି ଦଳର ପଚାର କରୁଛନ୍ତି, ଯାହା ସର୍ଭିସ୍ ରୁଲକୁ ଉଲ୍ଲଙ୍ଘନ କରୁଛି । ଏହି ଦୁଇ ଜଣଙ୍କୁ ଚାକିରିରୁ ବହିଷ୍କୃତ କରିବା ପାଇଁ ଦାବି କରୁଛୁ ।"

ସେହିପରି ବିଜେପି ନେତା ଛବି ମଲ୍ଲିକ କହିଛନ୍ତି, "ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ି ରାଜନୀତି କରନ୍ତୁ, କିନ୍ତୁ ସରକାରୀ ଚାକିରୀ କରି ଗୋଟିଏ ଦଳ ପାଇଁ ପ୍ରଚାର କରିବା ଠିକ୍ ନୁହେଁ । ଅଙ୍ଗନୱାଡି କର୍ମୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ଚାକିରୀରୁ ବହିଷ୍କାର ଦାବି କରୁଛୁ । ଏନେଇ ନିଆଳି ସିଡିପିଓ ଏବଂ ବିଡ଼ିଓଙ୍କୁ ଭେଟି ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ଦେଇଛୁ ।" ବିଜେପି ତରଫରୁ ଏହି ଦାବିପତ୍ର ଦେବା ଅବସରରେ ବିଜେପି ନାରୀନେତ୍ରୀ ରୀତା ଚୌଧୁରୀ, ମଣ୍ତଳ ଉପ ସଭାପତି ତ୍ରିଲୋଚନ ବେହେରା, ବିଜେପି ବରିଷ୍ଠ କର୍ମୀ ଗଣେଶ୍ଵର ମିଶ୍ରଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଙ୍ଗନୱାଡ଼ି ଦିଦିଙ୍କ ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇପାରି ନାହିଁ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.