ETV Bharat / state

ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଅନୁଧ୍ୟାନ କଲା ତଦନ୍ତ କମିଟି

author img

By ETV Bharat Odisha Team

Published : Dec 9, 2023, 7:32 PM IST

ଚଳିତ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଅନୁଧ୍ୟାନ କଲା ତଦନ୍ତ କମିଟି । ଅଧିକ ପଢନ୍ତୁ

Bali Jatra 2023
Bali Jatra 2023

ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଟକ: ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ଅଭିଯୋଗ । ସେ ତ୍ବରଣ, ବାଣ ଫୁଟା ପାଇଁ ହେଉ ଅବା ବାଲିଯାତ୍ରାର ପ୍ରତ୍ୟେକ କାମ ହେଉ । ସବୁଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟି ମଧ୍ୟ ଏହାର ଗନ୍ଧ ବାରି ପାରିଛି । ଟେଣ୍ଡର ପ୍ରକ୍ରିୟାରେ ସମୁଦାୟ ୩ କୋଟି ୩୨ ଲକ୍ଷ ଟଙ୍କାକୁ ଚଞ୍ଚକତା କରି ନେଇଥିଲେ ସମ୍ପୃକ୍ତ ଠିକା ସଂସ୍ଥା ।

ବିଭିନ୍ନ କାମ କରିବା ଆଳରେ ଅଧିକ ଟଙ୍କା ନେଇଥିଲେ ସଂସ୍ଥା । ଗତବର୍ଷ ଯେଉଁ ଏଜେନ୍ସି କାମ କରିଥିଲା, ଏଥର ଦୁଇଶହ ପ୍ରତିଶତ ଅଧିକରେ ଉକ୍ତ ଏଜେନ୍ସି କାମ କରିବାକୁ ଅନୁକମ୍ପା ଦେଖାଇଥିଲା ସିଏମସି । କେଉଁ ଉଦ୍ଦେଶ୍ୟରେ ଉକ୍ତ ଏଜେନ୍ସିକୁ ସମାନ କାମକୁ ଅଧିକ ଟଙ୍କାରେ ଦିଆଯାଇଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ? ଯାହାକୁ ନେଇ ଅନେକ ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ବଡ଼ କଥା ହେଉଛି ଖୋଦ ଶାସକ ଦଳର କର୍ପୋରେଟର ଏନେଇ ଅଭିଯୋଗ କରିଛନ୍ତି ।

୨ଟି ବାଉଁଶ ଗେଟକୁ ୩୨ ଲକ୍ଷ ! :- ବାଲିଯାତ୍ରାର ସ୍ବାଗତ କରିବା ପାଇଁ ଦୁଇଟି ତ୍ବରଣ କଟକର ଏଣ୍ଟ୍ରି ପାଖରେ ଲଗାଯାଇଥିଲା । ଯାହାର ମୂଲ୍ୟ ୩୨ ଲକ୍ଷ ଟଙ୍କା ଥିଲା ବୋଲି କୁହାଯାଉଛି । ଟେଣ୍ଡରରେ କିପରି ଏହାକୁ ପାସ କରାଗଲା, ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ଏହି ଦୁଇଟି ଗେଟ ବାଉଁଶରେ ନିର୍ମାଣ କରାଯାଏ ତେବେ ଅତିବେଶୀରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା । ମାତ୍ର ସେଥିରେ ମଧ୍ୟ ଅନିୟମିତତା ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଥିବା ଅଭିଯୋଗ ହେଉଛି ।

୨୦ ହଜାର ଟଙ୍କାର ବାଣ ଫୁଟାଇ ୨୭ ଲକ୍ଷ ଟଙ୍କାର ବିଲ୍‌ ! :- ବାଲିଯାତ୍ରାରେ ବାଣ ଫୁଟାଇବା ପାଇଁ ୨୭ ଲକ୍ଷ ଟଙ୍କାର ବିଲ୍‌ କରାଯାଇଛି । ମାତ୍ର ୧୦ ମିନିଟ ବାଣ ଫୁଟାଇ ୨୭ ଲକ୍ଷ ଟଙ୍କାର ବିଲ୍‌ କରାଯାଇଥିବା ଅଭିଯୋଗ ହୋଇଛି । ଏମିତି କେଉଁ ବାଣ ଫୁଟାଇଲେ ଏତେ ଟଙ୍କା ଖର୍ଚ୍ଚ ହେବ ବୋଲି ତଦନ୍ତ କମିଟି ଏହାର ତଦନ୍ତ କରିଥିଲା । ବିଭିନ୍ନ ବାଣ ଗୋଦାମରେ ପଚାରି ବୁଝିବା ସହ ଯେଉଁ ସ୍ଥାନରେ ବାଣ ଫୁଟାଯାଇଥାଏ, ସେଠାରେ ମଧ୍ୟ ପଚାରି ବୁଝିଥିଲା । ତେବେ ଏଥିରେ ବି ଅନିୟମିତତା ହୋଇଥିବା କମିଟି ଗନ୍ଧ ବାରି ପାରିଛି ।

ଏହା ବି ପଢନ୍ତୁ- ବାଲିଯାତ୍ରାରେ ୧୦୦ କୋଟି ବେପାର; ଓରମାସ କରିଛି ୩୭ କୋଟି !

ପ୍ରୋଜେକ୍ଟର ଲଗାଇ ୯୨ ଲକ୍ଷ ଟଙ୍କାର ବିଲ ! :- ବାଲିଯାତ୍ରାରେ ଲେଜର ଲାଇଟ ଶୋ' କରାଯାଇଥାଏ । ଗତବର୍ଷଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ କରି ମହାନଦୀ କୂଳରେ ଏହି ଶୋ' କରାଯାଇଥାଏ । ଚଳିତବର୍ଷ ବାଲିଯାତ୍ରା ରେ ମଧ୍ୟ ଏହି ସୋ କରାଯାଇଥିଲା । ଏଥିପାଇଁ ୯୨ ଲକ୍ଷ ଟଙ୍କାର ବିଲ୍‌ କରାଯାଇଥିଲା । ତେବେ ୩ ଦିନ ଏହି ଶୋ' କରାଯାଇଥିଲା ପରେ ଏହାକୁ ବନ୍ଦ କରାଯାଇଥିଲା । ପ୍ରୋଜେକ୍ଟର ଲଗାଇ ଏହି ଶୋ' କରାଯାଉଥିଲା । ଯାହାକୁ ବନ୍ଦ କରାଯାଇଥିଲା । ଅଭିଯୋଗ ହେବା ପରେ ଅଧାରୁ ବନ୍ଦ କରାଯାଇଥିଲା । ତେବେ କେବଳ ପ୍ରୋଜେକ୍ଟର ଲଗାଇ ଏତେ ଟଙ୍କା କିପରି ଖର୍ଚ୍ଚ ହେବ ବୋଲି ଅଭିଯୋଗ ହେବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

କାହା ଇଙ୍ଗିତରେ ଏତେ ଅନିୟମିତତା ହୋଇଛି । ଏହାର ତଦନ୍ତ ପାଇଁ ସିଏମସି କମିଟି ଗଠନ କରିଥିଲା । ଉକ୍ତ କମିଟି ଏହାର ତଦନ୍ତ ମଧ୍ୟ କରୁଛି । ମାତ୍ର ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ତଦନ୍ତରୁ ସ୍ପଷ୍ଟ ବାରି ହୋଇପଡିଥିବା କମିଟିର ସଦସ୍ୟ ତଥା ବିଜେଡି କର୍ପୋରେଟର ପ୍ରଦୀପ ଖୁଣ୍ଟିଆ ଇଟିଭି ଭାରତକୁ Exclusaive ପ୍ରତିକ୍ରିୟା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.