ETV Bharat / state

ଦିନିକିଆ ବୌଦ୍ଧ ଗସ୍ତରେ WODC ଅଧ୍ୟକ୍ଷ, ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

author img

By

Published : May 19, 2023, 2:22 PM IST

asit tripathy visit boudh
asit tripathy visit boudh

ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ଦିନିକିଆ ବୌଦ୍ଧ ଗସ୍ତରେ ଆସି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

asit tripathy visit boudh

ବୌଦ୍ଧ: ଦିନିକିଆ ଜିଲ୍ଲା ଗସ୍ତରେ ଆସିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି । ବିଶେଷ ଭାବରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ସହିତ ଲୋକଙ୍କ ଜୀବନ ଜୀବିକାର ଉନ୍ନତି ଉପରେ ସେ ଗୁରୁତ୍ବାରୋପ କରିଥିଲେ ।

ଗୁରୁବାର ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦିନିକିଆ ବୌଦ୍ଧ ଗସ୍ତରେ ହେଲିକପ୍ଟର ଯୋଗେ ଆସି ପହଞ୍ଚିଥିଲେ । ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡି ପ୍ରମୁଖ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରଥମେ ଅସିତ ତ୍ରିପାଠୀ ବୌଦ୍ଧର ଆଦର୍ଶ କୃଷି ବଜାର ଠାରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା ପରେ ନିକଟରେ ଥିବା ମିଶନ ଶକ୍ତି କାଫେ ଓ ମିଲେଟ କାଫେ ପରିଦର୍ଶନ କରି ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରତ୍ୟେକ ରବିବାର ଉକ୍ତ କୃଷି ବଜାରରେ ସାପ୍ତାହିକ ବୁଣାକାର ହାଟ ବସୁଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହିତ ଏ ସମ୍ପର୍କରେ ବୟନିକାର ସଭାପତି ପ୍ରକାଶ ମେହେରଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।


ବୌଦ୍ଧରେ ନିର୍ମାଣାଧିନ ତିନି ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟରେ ଅସିତ ତ୍ରିପାଠୀ ପହଞ୍ଚି ପରିଦର୍ଶନ କରିବା ସହିତ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରାୟ ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ତଥା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହାର ନିକଟରେ ଥିବା କୋଭିଡ ସେଣ୍ଟରର ବିଭିନ୍ନ ଓ୍ବିଙ୍ଗ୍ସ କୁ ବୁଲି ଦେଖିବା ସହିତ ଏହାର ପରିସରରେ ପ୍ରସ୍ତାବିତ ଏକ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା କିଡନୀ ଡାୟଲେସିସ କେନ୍ଦ୍ରର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।

ଏହାପରେ ସେ ମହାନଦୀ ସେତୁଛକ ନିକଟରେ ପାଞ୍ଚ କୋଟି ପଚାଶ ଲକ୍ଷ ଟଙ୍କାର ଅନୁଦାନରେ ନିର୍ମାଣାଧିନ 750 ଆସନ ବିଶିଷ୍ଟ ପଶ୍ଚିମା ଭବନର କାର୍ଯ୍ୟ ତଦାରଖ କରିବା ସହିତ ଜିଲ୍ଲା ସଂଗ୍ରହାଳୟ ପାଇଁ ଏକ କୋଟି ଟଙ୍କା ଅନୁଦାନ ରାଶିର ସମୀକ୍ଷା କରିଥିଲେ । ଅପରାହ୍ନରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ନନ୍ଦନବନ ପ୍ରକଳ୍ପ, ଚାରିଛକର ଦୁଗ୍ଧ ଶୀତଳୀକରଣ ଭଣ୍ଡାର ନିମନ୍ତେ ପ୍ରଦତ୍ତ ଅର୍ଥର ସମୀକ୍ଷା କରିଥିଲେ ।


ପରିଷଦର ଅଧ୍ୟକ୍ଷ ବୌଦ୍ଧ ଜିଲ୍ଲାରେ ରହିଥିବା ବିଭିନ୍ନ ସମ୍ଭାବନା ବିଶେଷ ଭାବରେ ବୁଟ, ମୁଗ, ତରଭୁଜ, କପା ଭଳି ଅର୍ଥକାରୀ ଚାଷ ଉପରେ ଗୁରୁତ୍ବାରୋପ କରିବା ସହିତ ମାଛଚାଷ, ପଶୁପାଳନ, ଦୁଗ୍ଧ ଚାଷ ଉପରେ ବିଭିନ୍ନ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ । ଅସିତ ତ୍ରିପାଠୀଙ୍କ ଗସ୍ତ ସମୟରେ ବୌଦ୍ଧ ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ଡବ୍ଲ୍ୟୁଓଡିସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶ ଦାତା ସୁନୀଲ କୁମାର ନାଏକ, ସଦସ୍ୟ ସୁବୋଧ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.