ETV Bharat / state

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା

author img

By

Published : Jan 5, 2023, 7:02 PM IST

Updated : Jan 7, 2023, 6:22 AM IST

ଅପହଞ୍ଚ ସରକାରୀ ଯୋଜନା
ଅପହଞ୍ଚ ସରକାରୀ ଯୋଜନା

ବୌଦ୍ଧ ଜିଲ୍ଲାର ଉମା ପଞ୍ଚାୟତର ବଣପାହାଡ ଘେରା ସମାଡାଙ୍ଗୀ ଗ୍ରାମରେ ସରକାରୀ ଯୋଜନା ପହଞ୍ଚିପାରୁନଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଅପହଞ୍ଚ ସରକାରୀ ଯୋଜନା

ବୌଦ୍ଧ: ଗରିବଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଉପାନ୍ତ ଅଞ୍ଚଳରେ ବିକାଶ ମୂଳକ ଯୋଜନା ବାଟ ହୁଡିଥିବା ଅଭିଯୋଗ ହୋଇଛି । ରାସନ, ଆବାସ, ପାନୀୟଜଳ, ସାମାଜିକ ସୁରକ୍ଷା ଭଳି ଯୋଜନା ଅନେକ ହିତାଧିକାରୀଙ୍କ ପାଇଁ ଆଜି ମଧ୍ୟ ଅପହଞ୍ଚ ହୋଇ ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବଣପାହାଡ ଘେରା ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନାର ବାଟ ଓଗାଳିଛି ଘାଟିରାସ୍ତା ଓ ପାହାଡି ଝରଣା । ବୌଦ୍ଧ ଜିଲ୍ଲାର ଶତାଧିକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁ ଅଞ୍ଚଳକୁ ଯୋଗାଯୋଗ ସମସ୍ୟା ହେତୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଅପହଞ୍ଚ ହୋଇ ରହିଛି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳରେ ଆବାସ ଯୋଜନାରେ ବ୍ୟାପକ ସମସ୍ୟା ରହିଛି । ତିନୋଟି ବ୍ଲକର ଦୁର୍ଗମ ଅଞ୍ଚଳରେ ରାସ୍ତା ଘାଟ ସମସ୍ୟା ଯୋଗୁଁ ସାମାଜିକ ସୁରକ୍ଷା ଠାରୁ ନେଇ ରାସନ, ଆବାସ, ପାନୀୟଜଳର ସମସ୍ୟା ବର୍ଷ ବର୍ଷ ଧରି ଲାଗିରହୁଛି । କଣ୍ଟାମାଳ ବ୍ଲକର ଅନେକ ଅଞ୍ଚଳକୁ ସବୁଦିନିଆ ରାସ୍ତା ନଥିବାରୁ ଏସବୁ ଅଞ୍ଚଳରେ ବିକାଶ ଠିକରେ ପହଞ୍ଚି ପାରୁନାହିଁ । ଏଭଳି ଏକ ଗ୍ରାମ ହେଲା ଉମା ପଞ୍ଚାୟତର ବଣପାହାଡ ଘେରା ସମାଡାଙ୍ଗୀ ଗ୍ରାମ ।

ଏଠାରେ ଗରିବ ହିତାଧିକାରୀଙ୍କ ଆବାସ ଯୋଜନା ସ୍ବପ୍ନ ହୋଇଥିବା ବେଳେ ଅନେକ ହିତାଧିକାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ବ୍ଲକର ଅନେକ ସ୍ଥାନରେ ଏଭଳି ସମସ୍ୟା ରହିଥିବା ବେଳେ ଖୋଦ କଣ୍ଟାମାଳ ବିଧାୟକ ଙ୍କ ନିଜ ଗ୍ରାମ କୁଳୁତାଯୋର ପଞ୍ଚାୟତ ବରପଦର ଗ୍ରାମରେ ମଧ୍ୟ ଆବାସ ଯୋଜନାରେ ଅନେକ ଗରିବ ହିତାଧିକାରୀ ସାମିଲ ହୋଇ ପାରିନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ହିତାଧିକାରୀ ମାନେ ଗୁହାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବନ୍ୟାର ଅଢେଇ ବର୍ଷ ପରେ ବି ହୋଇପାରୁନି ମରାମତି, ନାହିଁ ନାହିଁରେ ଚାଲିଛି ବେଣୀପୁର ହାଇସ୍କୁଲ

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଆମେ ଜଙ୍ଗଲ ଭିତରେ ରହୁଛୁ । ଆମକୁ ଭତ୍ତା କିମ୍ବା ରାସ୍ତା ସୁବିଧା କିଛି ମିଳୁନାହିଁ । ବରମ୍ବାର ପ୍ରଶାସନକୁ ଅବଗତ କରାଉଛୁ । କିନ୍ତୁ କୌଣସି ସୁଫଳ ମିଳିପାରୁନାହିଁ । ଯଦି ସରକାର କିଛି ଦୃଷ୍ଟି ଦିଅନ୍ତେ ତାହାଲେ ଆମେ ଉପକୃତ ହୋଇପାରନ୍ତୁ ।"

ଇଟିଭି ଭାରତ, ବୌଦ୍ଧ

Last Updated :Jan 7, 2023, 6:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.