ETV Bharat / state

ଦନ୍ତାହାତୀ ଶିକାର ଘଟଣା, ତିନି କର୍ମଚାରୀ ନିଲମ୍ବିତ

author img

By

Published : May 28, 2022, 10:58 PM IST

ଦନ୍ତାହାତୀ ଶିକାର ଘଟଣାରେ ତିନି କର୍ମଚାରୀ ନିଲମ୍ବିତ
ଦନ୍ତାହାତୀ ଶିକାର ଘଟଣାରେ ତିନି କର୍ମଚାରୀ ନିଲମ୍ବିତ

ଦନ୍ତାହାତୀ ଶିକାର ଓ ଦାନ୍ତ ଲୁଟ ଘଟଣାରେ ଜଙ୍ଗଲ ବିଭାଗ ତିନି ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହିତ ତିନି ଜଣଙ୍କୁ ଏହି ଘଟଣାର ସମ୍ପୃକ୍ତି ଦର୍ଶାଇ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

ବୌଦ୍ଧ : ବନ୍ୟଜନ୍ତୁଙ୍କ ପାଇଁ ବର୍ତ୍ତମାନ ଅସୁରକ୍ଷିତ ବିଭିନ୍ନ ଜଙ୍ଗଲ । ମାଫିଆମାନେ ବନ୍ୟଜନ୍ତୁଙ୍କ ଶିକାର ପାଇଁ ଜାଲ ବିଛାଇ ରଖିଛନ୍ତି । ଜାତୀୟ ଐତିହ୍ୟ ପ୍ରାଣୀ ହାତୀ ଶିକାର ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବୌଦ୍ଧ ବନଖଣ୍ଡର ସଦର ରେଞ୍ଜ ଅନ୍ତର୍ଗତ ଭୁର୍କିପଡା ଓ ବେରେଡାବାରି ଜଙ୍ଗଲରେ ଦୁଇ ଦିନରେ ଦୁଇ ଦୁଇଟି ଦନ୍ତାହାତୀଙ୍କ ଗଳିତ ମୃତ ଶରୀର ଉଦ୍ଧାର ହୋଇଥିବାବେଳେ ଦୁଇ ହାତୀର ଦାନ୍ତକୁ ଦୁର୍ବୃତ୍ତ ମାନେ କାଟି ନେଇଛନ୍ତି ।

ଦନ୍ତାହାତୀ ଶିକାର ଘଟଣାରେ ତିନି କର୍ମଚାରୀ ନିଲମ୍ବିତ

ଏନେଇ ବନ ବିଭାଗର ଭୂମିକା ସନ୍ଦେହ ଘେରରେ ରହିବା ସହିତ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ପଛରେ ଗତ ୨୦୧୬ ମସିହାରେ ହାତୀ ଦାନ୍ତ ଲୁଟରେ ସାମିଲ ଆନ୍ତରାଜ୍ୟ ମାଫିଆମାନେ ପୁଣିଥରେ ସକ୍ରିୟ ହୋଇ ଉଠିଥିବା ସନ୍ଦେହ ଦୃଢିଭୂତ ହେବାରେ ଲାଗିଛି ।

ଦୁଇଟି ଦନ୍ତାହାତୀ ଶିକାର ଘଟଣାରେ ଜଙ୍ଗଲ ବିଭାଗ ତିନି ଜଣ ଜଙ୍ଗଲ କର୍ମଚାରୀଙ୍କ ସମେତ ଶିକାର ସହିତ ସମ୍ପୃକ୍ତି ଅଭିଯୋଗରେ ବଘିଆପଡା ବିଟ ଅଞ୍ଚଳର ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହାକୁ ଅଞ୍ଚଳବାସୀ ବିରୋଧ କରିବା ସହିତ ପ୍ରକୃତ ଅପରାଧୀକୁ ଧରିବା ଦାବିରେ ବିକ୍ଷୋଭ ଓ ରାଜରାସ୍ତା ଅବରୋଧ କରିଥିଲେ ।

ତେବେ ଜିଲ୍ଲାରେ ବାରମ୍ବାର ବନ୍ୟଜନ୍ତୁଙ୍କ ଶିକାର ଓ ଅଙ୍ଗ ତସ୍କରୀ ହେଉଥିବା ତଥା ଏହାର ଏକ ବିରାଟ ରାକେଟ କାର୍ଯ୍ୟ କରୁଥିବାରୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ଅନେକ ତଥ୍ୟ ପଦାକୁ ଆସିପାରିବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.