ETV Bharat / state

ଗଞ୍ଜେଇ ଗାଡ଼ି ସନ୍ଦେହରେ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଲା ଅବକାରୀ ସ୍କ୍ୱାଡ୍‌, ବଢିଲା ଉତ୍ତେଜନା

author img

By ETV Bharat Odisha Team

Published : Sep 14, 2023, 9:34 PM IST

‘ଅବକାରୀ ପୋଲିସ ମତେ ଦୁର୍ବ୍ୟବହାର କରିଛି’
‘ଅବକାରୀ ପୋଲିସ ମତେ ଦୁର୍ବ୍ୟବହାର କରିଛି’

ଶିକ୍ଷୟିତ୍ରୀଙ୍କୁ ଅବକାରୀ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ଗଞ୍ଜେଇ ଚାଲାଣକାରୀ ସନ୍ଦେହରେ ରଖିଲା ଅଟକ । ଅଧିକ ପଢନ୍ତୁ

‘ଅବକାରୀ ପୋଲିସ ମତେ ଦୁର୍ବ୍ୟବହାର କରିଛି’

ବୌଦ୍ଧ: ଶିକ୍ଷୟିତ୍ରୀଙ୍କୁ ଅବକାରୀ ପୋଲିସର ଦୁର୍ବ୍ୟବହାର ନେଇ ଅଭିଯୋଗ ହୋଇଛି । ଗାଡ଼ି ଉପରକୁ ଠେଙ୍ଗାରେ ଅବକାରୀ ବିଭାଗ ସ୍କ୍ୱାଡ୍‌ର ଆକ୍ରମଣ ସହିତ ତାଙ୍କୁ ପେଷାଦାର ଅପରାଧୀଙ୍କ ଭଳି ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ । ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସମ୍ପୃକ୍ତ ଶିକ୍ଷୟିତ୍ରୀ । ଅଫିସ କାମ ସାରି ଫେରିବା ବେଳେ ଦହଗଞ୍ଜ କଲା ଅବକାରୀ ପୋଲିସ ।

ସୂଚନା ଅନୁଯାୟୀ,ବୌଦ୍ଧ ଆଢେଣୀଗଡ଼ ଗ୍ରାମର ଜଣେ ଶିକ୍ଷୟିତ୍ରୀ ବୁଧବାର ପୁରୁଣା କଟକ ଠାରେ ଅଫିସ କାର୍ଯ୍ୟ ସାରି ସଂଧ୍ୟାରେ ନିଜ କାରରେ ଚାରିଛକ ପଟକୁ ଆସୁଥିଲେ । ଏହି ସମୟରେ ଦିଗସିରା ନିକଟରେ ପୂର୍ବରୁ ସୂଚନା ପାଇ ଅବକାରୀ ପୋଲିସ ଏକ ଗଞ୍ଜେଇ ଚୋରା ଚାଲାଣକାରୀକୁ ଧରିବାକୁ ଛକି ରହିଥିଲେ । ଭାଗ୍ୟକୁ ଠିକ ସେହି ସମୟରେ ଶିକ୍ଷୟିତ୍ରୀଙ୍କ କାର ସେଠାରେ ପହଞ୍ଚି ଯିବାରୁ ଅବକାରୀ ସ୍କ୍ୱାଡ୍‌ ଶିକ୍ଷୟିତ୍ରୀଙ୍କ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ପରେ ତାଙ୍କୁ ଚାରିଛକରେ ଅଟକାଇଥିଲା ଅବକାରୀ ବିଭାଗ । ଏହାପରେ ତାଙ୍କ ସହ ଅପରାଧୀଙ୍କ ଭଳି ପୋଲିସ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

ଶିକ୍ଷୟିତ୍ରୀ ଅନୁସୂୟା ନାଏକ କହିଛନ୍ତି, "ଅଫିସ କାର୍ଯ୍ୟ ସାରି ସଂଧ୍ୟାରେ ନିଜ କାରରେ ଘରକୁ ଆସୁଥିଲି । ଏହି ସମୟରେ ଏକ ନିକାଞ୍ଚନ ଅଞ୍ଚଳରେ ମତେ କିଛି ଲୋକ ଅଟକାଇବାକୁ ଚେଷ୍ଟା କରଥିଲେ । ସେମାନେ ହାତରେ ଠେଙ୍ଗା ଧରିଥିବାରୁ ମୁଁ ଡରି ଯାଇଥିଲି । ସେମାନେ ଅବକାରୀ ପୋଲିସ ବୋଲି ମୁଁ ଜାଣି ନଥିଲି । ଡ୍ରାଇଭରକୁ ଦ୍ରୃତ ଗତିରେ ଆଗକୁ ନେଇ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରଖିବାକୁ କହିଥିଲି । ଠିକ୍ ସେହି ସମୟରେ ଅବକାରୀ ସ୍କ୍ୱାଡ୍‌ ଉକ୍ତ କାରକୁ ପିଛା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ମୁଁ କିଛି କହିବା ପୂର୍ବରୁ ସେମାନେ ମୋ ଗାଡିକୁ ଆକ୍ରମଣ କରିଥିଲେ । ଲେଡି ଅଫିସର ମତେ ଜବରଦସ୍ତ ଆଣି ପୋଲିସ ଗାଡ଼ିରେ ବସାଇ ଦେଇଥିଲେ । ମୋର ଭୁଲ କଣ କାହିଁକି ମୋ ସହ ଏପରି ବ୍ୟବହାର କରାଗଲା । ମତେ ନ୍ୟାୟ ଦରକାର ।"

ସେପଟେ ଏନେଇ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏଭଳି ଅତିରଞ୍ଜିତ ମନ୍ତବ୍ୟକୁ ଅସ୍ବୀକାର କରିଛନ୍ତି । ଏକ କାର ଯୋଗେ ବେଆଇନ ଗଞ୍ଜେଇ ଚାଲାଣ ଖବର ପାଇ ପାଟ୍ରୋଲିଂ କରୁଥିବା ଟିମ୍ ନିକଟରେ ଗାଡ଼ି ନରଖି ଓଲଟି ଦ୍ରୃତ ଗତିରେ ଗାଡି ଚଳାଇଥିଲେ । ତାଙ୍କୁ ଚାରିଛକ ଠାରେ ଅଟକ କରାଯାଇଥିଲା । ତାଙ୍କୁ କୌଣିସ ଅସଭ୍ୟ ବ୍ୟବହାର କରାଯାଇ ନାହିଁ । ତେବେ ଉଭୟ ପକ୍ଷରୁ କୌଣସି ମାମଲା ରୁଜୁ ହୋଇ ନଥିବା ବେଳେ ଉଭୟ ନିଜ ନିଜ ସ୍ଥାନରେ ଠିକ ଥିବା ଦର୍ଶାଇଛନ୍ତି । ଏଭଳି ଘଟଣା ଆଜି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.