ETV Bharat / state

ଉପାନ୍ତକୁ ଅପହଞ୍ଚ ଯୋଜନା, ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡ଼ି

author img

By ETV Bharat Odisha Team

Published : Aug 26, 2023, 9:52 PM IST

road problem in boudh
ଉପାନ୍ତକୁ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡ଼ି

ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ବାଟ ହୁଡୁଛି ବିକାଶ । ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଲୋକଙ୍କ ଅସମୟରେ ଆସି ପାରୁନି ଆମ୍ବୁଲାନ୍ସ । ଅଧିକ ପଢ଼ନ୍ତୁ

ଉପାନ୍ତକୁ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡ଼ି

ବୌଦ୍ଧ: ଦେଶ ସ୍ବାଧୀନତାକୁ ୭୬ ବର୍ଷ ପୂରି ଯାଇଛି । ବିକାଶ ପଥରେ ଆଗେଇ ଚାଲିଛି ଦେଶ । ବଦଳୁଛି ଗାଁ ଗହଳିର ଚିତ୍ର । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ସତରେ କଣ ବିକାଶ ଦେଖୁଛି ଗାଁ? ଏହି ଦୃଶ୍ୟ ଦେଖିଲେ ମନକୁ ପ୍ରଶ୍ନ ଆସିବା ସ୍ବଭାବିକ । ଟିକେ ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ଗାଁକୁ ଖଣ୍ଡେ ଭଲ ରାସ୍ତା ନାହିଁ । କାଦୁଅ ପଚପଚ ରାସ୍ତା ପାଇଁ ଆମ୍ବୁଲାନ୍ସ ଟିଏ ବି ଆସିପାରୁନି । ଆମେ କହୁଛୁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତରେ ଥିବା ଉମା, ନାରାୟଣ ପ୍ରସାଦ, ବରଗାଁ,ଲମ୍ବସରୀ ଭଳି କେତେକ ପଞ୍ଚାୟତର କଥା । ନା ରାସ୍ତା ଅଛି, ନା କୌଣସି ଯୋଗାଯୋଗର ସୁବିଧା ।

ଦୁଇଟି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଏହି ପଞ୍ଚାୟତ ଗୁଡ଼ିକରେ ଗମନାଗମନର ସମସ୍ୟା ଯୋଗୁଁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଅପହଞ୍ଚ ହୋଇ ରହିଛି । ଶିକ୍ଷା, ସ୍ବାସ୍ଥ୍ୟସେବା, ଆବାସ, ରାସନ ଭଳି ବିଭିନ୍ନ ଯୋଜନାରେ ବାଧକ ସାଜୁଛି ଗମନାଗମନର ସମସ୍ୟା । ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ରାସ୍ତା ଘାଟର ସମସ୍ୟା ଯୋଗୁଁ ଅନ୍ୟ ଯୋଜନା ଛାଡ଼ନ୍ତୁ ଆମ୍ବୁଲାନ୍ସ ଭଳି ସେବା ଠିକରେ ପହଞ୍ଚି ପାରୁନାହିଁ । ଫଳରେ ଅନେକ ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ଝଡାଫୁଙ୍କା ଓ ଗୁଣିଗାରେଡି ଉପରେ ନଚେତ କ୍ବାକ ତଥା ନକଲି ଡାକ୍ତର ଉପରେ ନିର୍ଭରଶୀଳ ରହିବାକୁ ବାଧ୍ୟ ହୋଇଥାନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୀରିହ ଲୋକଙ୍କୁ ସହାୟତା ନାଁରେ ବାରମ୍ବାର ପ୍ରତାରଣା କରାଯାଉଥିବା ଅଭିଯୋଗ ଆସୁଛି । ହେଲେ ଏମାନଙ୍କ ଦୁଃଖ ଶୁଣିବ କିଏ ?

ଏହା ମଧ୍ୟ ପଢ଼ନ୍ତୁ: ଅଭିଯୋଗ ଶୁଣୁନି ପ୍ରଶାସନ, ରାସ୍ତା ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ ପାଣ୍ଡରୀପଥର ଗ୍ରାମବାସୀ

ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବରୁ ଏସବୁ ଉପାନ୍ତ ଅଞ୍ଚଳର ବିକାଶ ଠିକରେ ହୋଇ ପାରୁନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏସବୁ ସମସ୍ୟା ନେଇ ଲୋକେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ହେଲେ ଫଳ ଶୂନ । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମୁଖ୍ୟ ରାସ୍ତାକୁ ଯୋଡ଼ିବା ପାଇଁ ଗ୍ରାମରେ ଖଣ୍ଡେ ଭଲ ରାସ୍ତା ନାହିଁ । ଫଳରେ ଏଠାକାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଛୋଟପିଲାମାନେ ସ୍କୁଲ ଯିବା ଆସିବାରେ ସମସ୍ୟା ଦେଖା ଦେଉଛି । ଆବଶ୍ୟକ ପଡ଼ିଲେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ । ତେଣୁ ଅଧା ବାଟ ଯାଏ ରୋଗୀଙ୍କୁ ସାଇକେଲ କିମ୍ବା ଖଟିଆରେ ନେବାକୁ ପଡୁଛି ।" ତେଣୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.