ETV Bharat / state

ବିପଦଶଙ୍କୁଳ ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥ, ଘଟିପାରେ ଅଘଟଣ !

author img

By

Published : Jun 26, 2023, 10:19 PM IST

damage in boudh chariots
damage in boudh chariots

ପଶ୍ଚିମ ଓଡିଶାର ସର୍ବବୃହତ ରଥ ବିପଦ ଶଙ୍କୁଳ ଅବସ୍ଥାରେ । ଶତାଧିକ ବର୍ଷ ପୂର୍ବରୁ ନିର୍ମିତ ଏହି ଘୂର୍ଣ୍ଣାୟମାନ ରଥର ସ୍ଥିତିକୁ ନେଇ ବିଶେଷଜ୍ଞଙ୍କ ଚିନ୍ତା ପ୍ରକାଶ । ଅଧିକ ପଢନ୍ତୁ

damage in boudh chariots

ବୌଦ୍ଧ: ନବଦିନାତ୍ମକ ଯାତ୍ରାରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏନେଇ ଚଳଚଞ୍ଚଳ ମାଉସୀ ମା ମନ୍ଦିର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ମଧ୍ୟରେ ଜନ୍ମ ବେଦୀ ହରିବୋଲ ହୁଳହୁଳିରେ ଫାଟି ପଡୁଛି। ଆଉ ଏଭଳି ସମୟରେ ଜଣେ ଶତାୟୁ ଶ୍ରଦ୍ଧାଳୁଙ୍କ ରଥ ପଥ ପ୍ରତି ଅନାବିଳ ଭକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଜିଲ୍ଲାର ସଦର ମହକୁମାର ଐତିହାସିକ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜିତ ଶ୍ରୀଜିଉଙ୍କ ବିଗ୍ରହ ଦୁର୍ଲଭ ଚନ୍ଦନ କାଠରେ ନିର୍ମିତ ହୋଇ ଥିବାରୁ ଏଠାରେ କେବେ ମଧ୍ୟ ନବକଳେବର ହୋଇ ନଥାଏ । ସେହିପରି ଶତାଧିକ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ବୌଦ୍ଧ ର ସ୍ବତନ୍ତ୍ର ଘୂର୍ଣ୍ଣାୟମାନ ରଥକୁ ଘୋଷଯାତ୍ରା ପରେ ଭଙ୍ଗା ଯାଏନାହିଁ । ଏଣୁ ବୌଦ୍ଧ ଅଭଙ୍ଗ ରଥର ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁ ଆସିଥାନ୍ତି ।

ବୌଦ୍ଧର ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥକୁ ଶତାଧିକ ବର୍ଷ ପୂର୍ବରୁ ଥିବା ଶଗଡି ରଥକୁ ପରିବର୍ତ୍ତନ କରାଯାଇଥିଲା । ବୌଦ୍ଧ ଗଡଜାତର ଶେଷ ରାଜା ନାରାୟଣ ପ୍ରସାଦ ଦେବରାଜ ସିଂହାସନ ଆରୋହଣ ପରେ ପ୍ରାଥମିକ ପଦକ୍ଷେପ ସ୍ବରୂପ ଏହି ବିରଳ ରଥ ନିର୍ମାଣ କରାଇଥିଲେ । ଏହି ଘୂର୍ଣ୍ଣାୟମାନ ରଥକୁ କେବଳ ମରାମତି କରାଯାଉଥିବା ବେଳେ ବର୍ତ୍ତମାନ ଏହା ଅତ୍ୟନ୍ତ ବିପଦ ଶଙ୍କୁଳ ହୋଇ ପଡିଛି । ରଥର ସମସ୍ତ ଭାର ଦଶଟି ଚକ ଉପରେ ରହିଥିବା ବେଳେ ତଳ ଚଉତରାର ଅଧିକାଂଶ ବାହି,ଅଖ,ଖମ୍ବ ନଷ୍ଟ ହେବାକୁ ବସିଛି । ଏହାଛଡା ବନ୍ଧଣ କାଠରେ ନିର୍ମିତ ତୁମ୍ବ ମଧ୍ୟ ଦୁର୍ବଳ ହୋଇ ପଡିଲାଣି । କାରଣ ଉପର ଘୂର୍ଣ୍ଣାୟମାନ ରଥର ସମସ୍ତ ଭାର ତଳ ନାହକ,ଚଉତରା ଓ ତୁମ୍ବ ଉପରେ ନ୍ୟସ୍ତ ରହିଥାଏ ।

ବୌଦ୍ଧ ର ବଡଦାଣ୍ଡ ପୂର୍ବରୁ ଅନେକ ପ୍ରଶସ୍ତ ଥିବା ବେଳେ ବର୍ତ୍ତମାନ ଜବରଦଖଲ ଓ ଅନ୍ୟାନ୍ୟ କାରଣରୁ ତାହା ସଙ୍କୁଚିତ ହୋଇ ଗଲାଣି । ଫଳରେ ଚଳିତ ବର୍ଷ ରଥଯାତ୍ରା ସମୟରେ ରଥ ବଡଦାଣ୍ଡରେ ପ୍ରାୟ ପାଞ୍ଚ ଥର ଅଟକି ରହି ବିଳମ୍ବିତ ରାତିରେ ଠାକୁରଙ୍କ ରଥ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଥିଲା । ଓଡ୍ରାଫ ଟିମ ର ପରିଶ୍ରମ ପରେ ରଥ ମୁକ୍ତି ପାଇଥିଲା । ରଥର ଦୁର୍ବଳ ଓ ବଡଦାଣ୍ଡ ଜବରଦଖଲ କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ କେବଳ ବଡ ଠାକୁରଙ୍କ ଇଛା କହି ମନ ବୁଝାଇଥିଲେ ।

ସେପଟେ ଏଭଳି ସମୟରେ ଦେଖିବାକୁ ମିଳିଛି ରଥ ଓ ପଥର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନନ୍ୟ ଶ୍ରଦ୍ଧା । ଜିଲ୍ଲାର ସରସରା ଗ୍ରାମର ଶତାୟୁ ଶ୍ରୀଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଚାଲି ଚାଲି ଆସି ବୌଦ୍ଧର ଘୂର୍ଣ୍ଣାୟମାନ ରଥରେ ଠୋ ଠୋ ମୁଣ୍ଡିଆ ମାରିବା ସହିତ କୁଣ୍ଢେଇ ଧରି ଆନନ୍ଦରେ କାନ୍ଦି ଉଠିଥିଲେ । ପରେ ବୃଦ୍ଧ ଶ୍ରଦ୍ଧାଳୁ ଜଣକ ବଡଦାଣ୍ଡରେ ଶୋଇ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଜଣାଣ ଚଉତିସା ଗାଇ ଉଠିଥିଲେ । ହେଲେ ରଥର ଏଭଳି ଅବସ୍ଥା ଦେଖି ଶ୍ରଦ୍ଧାଳୁ ଜଣକ ଅତ୍ୟନ୍ତ ଭାବ ବିହ୍ବଳ ହୋଇ ପଡିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.