ETV Bharat / state

ବୌଦ୍ଧର ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥ ମରାମତିରେ ନିମଗ୍ନ ଶିଳ୍ପୀ

author img

By

Published : May 31, 2023, 1:24 PM IST

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ପଶ୍ଚିମ ଓଡିଶାର ସର୍ବବୃହତ ରଥ ତଥା ଦୁଇ ଥାକିଆ ଘୂର୍ଣ୍ଣୟମାନ ଅଭଙ୍ଗ ରଥ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଆସିଛି । ଶତାଧିକ ବର୍ଷର ଏହି ରଥର କେବଳ ମରାମତି କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଅଧିକ ପଢନ୍ତୁ

rathayatra in boudh
rathayatra in boudh

rathayatra in boudh

ବୌଦ୍ଧ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଏନେଇ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ପୀଠ ନିକଟରେ ଥିବା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ତେବେ ପଶ୍ଚିମ ଓଡିଶାର ସର୍ବବୃହତ ରଥ ନିମନ୍ତେ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଦୁଇ ଥାକିଆ ଘୂର୍ଣ୍ଣୟମାନ ରଥ ସମ୍ପୂର୍ଣ୍ଣ ବିରଳ ହୋଇଥିବା ବେଳେ ଗଡଜାତ ଶାସନ କାଳରେ ନିର୍ମିତ ଏଭଳି ଅଦ୍ଭୁତ ରଥ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ।

ଆଉ ଦିନ କେଇଟା ପରେ ପ୍ରଭୁ ଶ୍ରୀଜଗନ୍ନାଥ ମୁଖ୍ୟ ମନ୍ଦିରରୁ ବାହାରି ନବ ଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ବିଜେ କରିବେ । ଆଉ ଏହି ନବ ଦିନାତ୍ମକ ଘୋଷଯାତ୍ରା ନିମନ୍ତେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଶେଷ ଭାବରେ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ରଥଖଳା ବର୍ତ୍ତମାନ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ପଶ୍ଚିମ ଓଡିଶାର ସର୍ବବୃହତ ରଥ ଭାବରେ ପରିଚିତ ବୌଦ୍ଧର ଅଭଙ୍ଗ ରଥର ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଥିବା ଶତାଧିକ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ନାମରେ ପୂଜାର୍ଚ୍ଚନା କରାଯାଇଥାଏ ।

ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ରାଜବାଟୀର ଗଡଖାଇ ଓ ମହାନଦୀର ମଧ୍ୟବର୍ତ୍ତୀ ସ୍ଥାନରେ ଉତ୍କଳୀୟ ସ୍ଥାପତ୍ୟ ନିଦର୍ଶନରେ ନିର୍ମାଣ ହୋଇଛି । ଶ୍ରୀଜଗନ୍ନାଥଙ୍କ ପୀଠଟି ଦୁଇ ଶହ ବର୍ଷରୁ ଅଧିକ ସମୟ ପୂର୍ବରୁ ନିର୍ମାଣ ହୋଇଥିଲେ ମଧ୍ୟ ପରିଦୃଶ୍ୟମାନ ମନ୍ଦିରଟି ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଭଞ୍ଜ ବଂଶୀୟ ରାଜା ଯୋଗୀନ୍ଦ୍ରଦେବଙ୍କ ରାଜତ୍ଵରେ ସମ୍ପୂର୍ଣ୍ଣ ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମନ୍ଦିର ଗର୍ଭ ଗୃହରେ ପୂଜିତ ଚତୁର୍ଦ୍ଧା ବିଗ୍ରହ ସମ୍ପୂର୍ଣ୍ଣ ଦୁର୍ଲଭ ଚନ୍ଦନ କାଠରେ ନିର୍ମିତ । ଏଣୁ ବୌଦ୍ଧର ଶ୍ରୀବିଗ୍ରହ ଗୁଡିକର ନବକଳେବର କେବେ ମଧ୍ୟ ହୋଇନଥାଏ ।

ଏହାଛଡା ଜିଲ୍ଲାର ପ୍ରସିଦ୍ଧ ଘୋଷଯାତ୍ରାର ମୁଖ୍ୟ ଆକର୍ଷଣ ଏଠାକାର ଘୂର୍ଣ୍ଣୟମାନ ସ୍ବତନ୍ତ୍ର ରଥ । ଯେଉଁ ରଥକୁ ଗଡଜାତ ଶାସନ କାଳରେ ବୌଦ୍ଧର ରାଜା ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ନିର୍ମାଣ କରାଇଥିଲେ । ଦଶଟି ଚକ ତଥା ପ୍ରାୟ ପଚାଶ ଉଚ୍ଚତା ବିଶିଷ୍ଟ ଏହି ରଥର ମୁଖ୍ୟ ଆକର୍ଷଣ ହେଲା ଏହାର ଦୁଇ ଥାକିଆ ଘୂର୍ଣ୍ଣାୟମାନ ବ୍ୟବସ୍ଥା । ରଥର ତଳ ଅଂଶକୁ ମୋଡ କରାନଯାଇ କେବଳ ଉପର ରଥ ଅଂଶକୁ ଘୁରାଇବା ବ୍ୟବସ୍ଥା ରହିଛି । ମଝି ଅଖକୁ ବ୍ୟବହାର କରାଯାଇ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା ଗଡଜାତ ଶାସନ କାଳରୁ ପ୍ରଚଳିତ ହୋଇ ଆସୁଛି । ରଥଟି ଅଭଙ୍ଗ ଥିବାରୁ ବର୍ଷ ତମାମ ରଥ ରଥଖଳାରେ ରହୁଥିବା ବେଳେ ଘୋଷଯାତ୍ରା ପୂର୍ବରୁ ଏହାର ବିଭିନ୍ନ ଅଂଶକୁ ମରାମତି କରାଯାଇଥାଏ ।

ଅନ୍ୟପଟେ ଘୋଷଯାତ୍ରା ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳନା କମିଟି ସମେତ ଯାତ୍ରା କମିଟି ଓ ରଥ କମିଟି ସହିତ ସମନ୍ୱୟ ରକ୍ଷା କରି ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ରଥ ନିର୍ମାଣ ନିମନ୍ତେ ଆବଶ୍ୟକ ରଥକାଠ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ରଥ ନିର୍ମାଣ ନିମନ୍ତେ ମହାରଣାଙ୍କ ଏକ ଦଳ ଏଥିପାଇଁ ନିୟୋଜିତ କରାଯାଇଛି । ପ୍ରତ୍ୟେକ ବର୍ଷ ଏଥି ନିମନ୍ତେ ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା କରାଯାଉ ଥିବା ବେଳେ ଜିଲ୍ଲାର ଏହି ସ୍ବତନ୍ତ୍ର ଘୂର୍ଣ୍ଣାୟମାନ ରଥରେ ରଥାରୂଢ ଠାକୁରଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ଆନନ୍ଦର ସହିତ ଅପେକ୍ଷା କରି ରହିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.