ETV Bharat / state

Nuakhai 2022: ବୌଦ୍ଧରେ ନୂଆଁଖାଇ ଧୁମ୍‌, ଆନନ୍ଦ ଉଲ୍ଲାସରେ ପାଳିଲେ ନୂଆଁଖାଇ

author img

By

Published : Sep 2, 2022, 9:29 AM IST

ନୂଆଁଖାଇ ପରେ ଅନୁଷ୍ଠିତ ଜୁହାର ଭେଟ ପରମ୍ପରା ଅଞ୍ଚଳକୁ ଦେଇଛି ସ୍ବତନ୍ତ୍ର ପରିଚୟ । ଗୋଟିଏ ସଂପ୍ରଦାୟର ସମସ୍ତ ଅଧିବାସୀ ରାସ୍ତା ଉପରକୁ ଚାଲିଆସି ପରସ୍ପରକୁ ଜୁହାର ଭେଟ ହେବା ସହିତ ବରିଷ୍ଠଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥାନ୍ତି । ଅଧିକ ପଢନ୍ତୁ

nuakhae festival celebrated in boudh with cultural programs and traditional fervor
BOUDH NUAKHAI, ନୂଆଁଖାଇରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜୁହାର ଭେଟର ନିଆରା ପରମ୍ପରା

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ସମାପନ ହେଲା ନୂଆଁଖାଇ । ନିଜ ନିଜ ପରିବାର ଓ କେତେକ ସ୍ଥାନରେ ସାମୂହିକ ଭାବରେ ନବାନ୍ନ ଦେବାଦେବୀଙ୍କ ନିକଟରେ ଲାଗି ହେବାପରେ ଭକ୍ଷଣ କରାଯାଇଥିଲା । ତେବେ ନୂଆଁଖାଇ ପରେ ସଂଧ୍ୟାରେ ଅନୁଷ୍ଠିତ ଜୁହାର ଭେଟ ପରମ୍ପରା ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସିଛି । ବୌଦ୍ଧ ଗଡଜାତର ଇଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ସରିଆ ଧାନରୁ ପ୍ରସ୍ତୁତ କ୍ଷୀରି ଭୋଗ ନବାନ୍ନ ଭାବରେ ଅର୍ପଣ ପରେ ବିଭିନ୍ନ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । କ୍ଷୀରି, କାକରା, ମଣ୍ଡା ଓ ଅନ୍ୟାନ୍ୟ ପିଠାପଣା ସହିତ ସରିଆ ଧାନରୁ ପ୍ରସ୍ତୁତ ଭୋଗକୁ ପ୍ରଥମେ ନିଜ ଇଷ୍ଟଙ୍କ ନିକଟରେ ଅର୍ପଣ କରି ମିଳିମିଶି ନୂଆଁଖାଇ ପାଳନ କରିଛନ୍ତି ବୌଦ୍ଧ ଜିଲ୍ଲାବାସୀ ।

BOUDH NUAKHAI, ନୂଆଁଖାଇରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜୁହାର ଭେଟର ନିଆରା ପରମ୍ପରା

ତେବେ ବୌଦ୍ଧ ଜିଲ୍ଲାର ସଦର ମହକୁମା ବୁଟୁପାଲି ଠାରେ ପାରମ୍ପରିକ ରୀତିନୀତିରେ ଗ୍ରାମର ଦେବାଦେବୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ କ୍ଷୀରି ଓ ଅନ୍ୟାନ୍ୟ ଭୋଗ ଲାଗି ହୋଇଥିଲା । ଅପରାହ୍ନରେ ବୁଟୁପାଲିର ସମସ୍ତ ମେହେର ସଂପ୍ରଦାୟ ନିଜ ନିଜ ପରିବାର ସହିତ ନୂଆ ଖାଇ ସାରିବା ପରେ ସଂଧ୍ୟାରେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମେହେର ସଂପ୍ରଦାୟର ଆବାଳବୃଦ୍ଧବନିତା ନୂତନ ବସ୍ତ୍ର ପରିଧାନ ପୂର୍ବକ ବୁଟୁପାଲିର ରାସ୍ତା ଉପରକୁ ଚାଲିଆସି ପରସ୍ପର ଜୁହାର ଭେଟ ହୋଇଥାନ୍ତି । ଯାହା ଅତ୍ୟନ୍ତ ନିଆରା ଢଙ୍ଗରେ ପାଳିତ ହୋଇଥାଏ ।

ତେବେ ବୁଟୁପାଲି ଭଳି ଜିଲ୍ଲାର ଘଣ୍ଟାପଡା, କଣ୍ଟାମାଳ, ପଲସାଗୋରା, ମନମୁଣ୍ଡା, ଦହ୍ୟା, ବାଉଁଶୁଣୀ, ସାହାଜପାଲ ଭଳି ଅନେକ ସ୍ଥାନରେ ନୂଆଖାଇ ଧୁମଧାମରେ ପାଳନ କରାଯିବା ସହିତ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭେଟଘାଟ,ନୃତ୍ୟ ସଂଗୀତ, ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କଣ୍ଟାମାଳ ବିଧାୟକ ମହୀଧର ରଣା ନିଜ ଗ୍ରାମରେ ଆତ୍ମୀୟ ସ୍ବଜନଙ୍କ ସହିତ ନୂଆ ଖାଇଥିବା ବେଳେ ଏହି ଅବସରରେ ବୌଦ୍ଧର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ଏହା ବି ପଢନ୍ତୁ-ନୂଆଁଖାଇଲେ କଳାହାଣ୍ଡିବାସୀ

ଗୁରୁବାର ଥିଲା ପଶ୍ଚିମ ଓଡିଶାର ଗଣପର୍ବ ବା କୃଷିଭିତ୍ତିକ ପର୍ବ ନୂଆଁଖାଇ । ନୂଆଁଖାଇ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗିଥିଲା । ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା । ଏହା ପରେ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ନବାନ୍ନ ଅର୍ପଣ କରି ଘରେ ନିଜର ଇଷ୍ଟ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ନୂଆଁଖାଇ ପାଳନ କରିଥିଲେ । ସେହିପରି ବଲାଙ୍ଗୀରରେ ଧୂମଧାମ୍‌ରେ ପାଳିତ ହେଉଛି ନୂଆଁଖାଇ । ଦେବୀ ମା’ ପାଟନେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି । ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାପରେ ଘରେ ଘରେ ଲୋକେ ଏକାଠି ନୂଆଁଖାଇ ପାଳିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.