ETV Bharat / state

ମହାନଦୀ ସେତୁରେ ବିଛା ହୋଇଛି ମୃତ୍ୟୁର ଫାସ !

author img

By

Published : Jun 7, 2023, 10:17 AM IST

ବିପଦସଙ୍କୁଳ ଅବସ୍ଥାରେ ମହାନଦୀ ସେତୁ
ବିପଦସଙ୍କୁଳ ଅବସ୍ଥାରେ ମହାନଦୀ ସେତୁ

ବିପଦସଙ୍କୁଳ ଅବସ୍ଥାରେ ମହାନଦୀ ସେତୁ । ସେତୁର ଅନେକ ସ୍ଥାନରେ ବାହାରି ଥିବା ଲୁହା ରଡ଼ ପ୍ରତିଦିନ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି । ଅଧିକ ପଢନ୍ତୁ

ବିପଦସଙ୍କୁଳ ଅବସ୍ଥାରେ ମହାନଦୀ ସେତୁ

ବୌଦ୍ଧ: ମରଣଯନ୍ତା ପାଲଟିଛି ମହାନଦୀ ସେତୁ । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେତୁ ମଝିରେ ଆଁ କରିଛି ଲୁହା ରଡ଼ । ଅନେକ ସ୍ଥାନରେ ଲୁହା ରଡ଼ ବାହାରି ପ୍ରତିଦିନ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରୁ କିଆକଟା ପର୍ଯ୍ୟନ୍ତ ଥିବା ମହାନଦୀ ସେତୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଓଡ଼ିଶାର ଆଠ ଗୋଟି ଜିଲ୍ଲାକୁ ସିଧାସଳଖ ଯୋଡୁ ଥିବା କୋଡିଏ ବର୍ଷ ପୁରୁଣା ଏହି ମହାନଦୀ ସେତୁରେ ମୃତ୍ୟୁର ଫାସ ବିଛା ହୋଇଥିବା କହିଲେ ଭୁଲ୍ ହେବନି । ଲୁହା ରଡ ବାହାରିବା ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଦାୟିତ୍ବରେ ଥିବା ଜାତୀୟ ରାଜପଥ ବିଭାଗର ଏଥିପ୍ରତି ନିଘା ନାହିଁ । ଯାହାଫଳରେ ମଙ୍ଗଳବାର ଏଠାରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ବିଭାଗର ଉଦାସୀନତାକୁ ଏଥିପାଇଁ ଦାୟୀ କରାଯାଇଛି ।

ସଦର ମହକୁମାଠାରୁ କିଆକଟା ପର୍ଯ୍ୟନ୍ତ ଥିବା ମହାନଦୀ ସେତୁ ବର୍ତ୍ତମାନ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଛି । କାରଣ ଦୁଇ କିଲୋମିଟରରୁ ଅଧିକ ଏହି ସେତୁ ଛାତର ଅନେକ ସ୍ଥାନରେ ଲୁହା ରଡ ସବୁ ବାହାରକୁ ବାହାରି ରହିଛି । ଯେଉଁ କାରଣରୁ ଯାନବାହନ ସାଇଡ ଦେବା ସମୟରେ ପ୍ରତ୍ୟେକ ଦିନ ଘଟୁଛି ଛୋଟ ବଡ ଦୁର୍ଘଟଣା । ଏପରିକି ସାଧାରଣ ଯାତ୍ରୀ ଏସବୁ ଲୁହାଜାଲ ମଧ୍ୟରେ ଛନ୍ଦି ହୋଇ ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଛି । କହିବାକୁ ଗଲେ ଜାତୀୟ ରାଜପଥ ବିଭାଗ ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏକ ପ୍ରକାର ମୃତ୍ୟୁର ଫାସ ବସାଇ ରଖିଛି ।

୨୦ ବର୍ଷ ତଳେ ଅର୍ଥାତ ୨୦୦୨ ମସିହାରେ ଏହି ମହାନଦୀ ସେତୁର ଉଦଘାଟନ ହୋଇଥିଲା । ପୂର୍ବରୁ ଏହାର ମରାମତି ଦାୟିତ୍ବ ନେଇଥିବା ପୂର୍ତ୍ତ ବିଭାଗ ଠିକରେ ତଦାରଖ କରୁଥିଲା । କିନ୍ତୁ କିଛି ବର୍ଷ ତଳେ ଏହି ରାସ୍ତା ଓ ସେତୁର ତଦାରଖ ଦାୟିତ୍ବ ଜାତୀୟ ରାଜପଥ ବିଭାଗ ନେବା ପରେ ରକ୍ଷଣାବେକ୍ଷଣ ସଠିକ୍ ଭାବେ ହେଉନଥିବା ଅଭିଯୋଗ ହୋଇଛି । ଉକ୍ତ ସେତୁ ଉପରେ ପ୍ରତ୍ୟେକ ଦିନ ଓଡ଼ିଶାର ଦଶଟି ଜିଲ୍ଲାର ହଜାର ହଜାର ଗାଡିମୋଟର ଚଳାଚଳ କରୁଛି । କିନ୍ତୁ ସେତୁର ଉପର ରାସ୍ତା ସମ୍ପୂର୍ଣ୍ଣ ବିପଦ ଶଙ୍କୁଳ ହୋଇପଡିଛି ।

ମଙ୍ଗଳବାର ସକାଳେ ଏହି ମହାନଦୀ ସେତୁ ଉପରେ ପଥର କୋଇଲା ବୋଝେଇ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୋଲେରୋ ଡ୍ରାଇଭର ଗୁରୁତର ଭାବରେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବାରମ୍ବାର ମହାନଦୀ ସେତୁ ଉପରେ ଏଭଳି ଦୁର୍ଘଟଣା ଯୋଗୁଁ ସାଧାରଣ ଲୋକେ ଏହାକୁ ମୃତ୍ୟୁର ସେତୁ ବୋଲି ମନ୍ତବ୍ୟ ଦେଉଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ଥର ଉକ୍ତ ସେତୁ ଉପରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ଘଟିସାରିଛି । ମହାନଦୀ ସେତୁର ସୁରକ୍ଷା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଏଥିପାଇଁ ମୁଖ୍ୟ ଦାୟୀ କରାଯାଇଛି ।

ସେତୁର ଛାତର ଲୁହା ବାହାରିବା ଠାରୁ ନେଇ ଜଳ ନିଷ୍କାସନ ସ୍ଥାନଗୁଡିକରେ ବାଲି ପୋତି ହୋଇପଡିବା ଭଳି ଅନେକ ସମସ୍ୟା ରହିଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ କାହିଁକି ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହିଁ ସେନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ମହାନଦୀ ସେତୁର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.