ETV Bharat / state

ସରିଲା ବର୍ଷ ବର୍ଷର ଅପେକ୍ଷା, ବୌଦ୍ଧର କନ୍ଧ ସମ୍ପ୍ରଦାୟକୁ ମିଳିବ ଆବାସ ଘର

author img

By

Published : Jul 30, 2023, 12:31 PM IST

Updated : Aug 1, 2023, 6:28 AM IST

ବୌଦ୍ଧର କନ୍ଧ ସମ୍ପ୍ରଦାୟକୁ ମିଳିବ ଆବାସ ଘର
ବୌଦ୍ଧର କନ୍ଧ ସମ୍ପ୍ରଦାୟକୁ ମିଳିବ ଆବାସ ଘର

ଦୀର୍ଘ ବର୍ଷ ପରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ସାମିଲ ହେଲେ ବୌଦ୍ଧ ଜିଲ୍ଲାର କନ୍ଧ ସମ୍ପ୍ରଦାୟ । କୌଣସି ତ୍ରୁଟି ଯୋଗୁଁ ଏହି ଯୋଜନାରୁ ସେମାନେ ବଞ୍ଚିତ ଥିଲେ । ଅଧିକ ପଢନ୍ତୁ

ବୌଦ୍ଧର କନ୍ଧ ସମ୍ପ୍ରଦାୟକୁ ମିଳିବ ଆବାସ ଘର

ବୌଦ୍ଧ: ପକ୍କା ଘର ଦେଖିବେ କନ୍ଧ ସମ୍ପ୍ରଦାୟ ! ବର୍ଷ ବର୍ଷ ହେଲାଣି ଭଙ୍ଗା ଦଦରା ଝୁମ୍ପୁଡି ଘରେ ଦିନ କାଟୁଥିବା କନ୍ଧ ଜନଜାତିର ଲୋକଙ୍କୁ ମିଳିବ ଆବାସ ଘର । କୌଣସି ତ୍ରୁଟି ଯୋଗୁଁ ବୌଦ୍ଧ ଜିଲ୍ଲାର କନ୍ଧ ବହୁଳ ପଞ୍ଚାୟତ ଆମ୍ବଝରୀର କନ୍ଧ ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରି ନଥିଲେ । ତେଣୁ ଏହି ଗରୀବ ଜନଜାତିର ଲୋକେ ଅତି ଦୟନୀୟ ଅବସ୍ଥାରେ ବସବାସ କରୁଥିଲେ । ହେଲେ ଡେରିରେ ହେଉ ପଛେ ସେମାନଙ୍କ ଆଶା ପୂରଣ ହେବାକୁ ଯାଉଛି । ଆମ୍ବଝରୀର କିଛି କନ୍ଧ ଜନଜାତି ପରିବାର ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି । ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି ।

ବଉଦ ଜିଲ୍ଲାର ସର୍ବାଧିକ କନ୍ଧ ବହୁଳ ପଞ୍ଚାୟତ ମଧ୍ୟରୁ ଅନ୍ୟତମ ଆମ୍ବଝରୀ । ଏହି ପଞ୍ଚାୟତରେ ପ୍ରାୟ ୮୦ ପ୍ରତିଶତ କନ୍ଧ ଜନଜାତିର ଲୋକମାନେ ପ୍ରାଚୀନ କାଳରୁ ବସବାସ କରିଆସୁଛନ୍ତି । ଆମ୍ବଝରୀରେ ସମୁଦାୟ ୪୪ ଗୋଟି ଛୋଟ ବଡ଼ ଗ୍ରାମ ରହିଛି । ପଞ୍ଚାୟତର ମୂଳ ଅଧିବାସୀ କନ୍ଧ ସମ୍ପ୍ରଦାୟ ହୋଇଥିଲେ ହେଁ କୌଣସି ତ୍ରୁଟି ଯୋଗୁଁ କେବଳ ଏହି ପଞ୍ଚାୟତର କନ୍ଧ ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରି ନଥିଲେ । ଫଳରେ ଏଠିକାର ଗରିବ ଅସହାୟ ତଥା ନିରୀହ ଆଦିବାସୀଙ୍କ ପାଇଁ ପକ୍କାଘର ସାତ ସ୍ବପ୍ନ ହୋଇଥିଲା । ଆଜି ଯାଏଁ ବି ଅଧିକାଂଶ କନ୍ଧ ସମ୍ପ୍ରଦାୟର ଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜରିପାଲ ଟଣା ଭଙ୍ଗାଦଦରା ଘରେ ଜୀବନ କାଟୁଛନ୍ତି । ଏ କ୍ଷେତ୍ରରେ ଆମ୍ବଝରୀର ନେନ୍ଦନ ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ ।

ଏହାମଧ୍ୟ ପଢନ୍ତୁ: ବଞ୍ଚିଛି ପାରମ୍ପରିକ ବୃତ୍ତି, କୌଣସି ବ୍ରାଣ୍ଡେଡ୍‌ଠାରୁ କମ୍‌ ପୌଷ୍ଟିକ ନୁହେଁ ମହୁଲ ଫଳରୁ ପ୍ରସ୍ତୁତ ତେଲ

ନେନ୍ଦନ ଗାଁରେ ଜଣେ ହେଲେ ବି କନ୍ଧ ସମ୍ପ୍ରଦାୟ ପରିବାରର ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ । ଦୀର୍ଘ ବର୍ଷ ହେଲାଣି ଗାଁରେ ନାନା ମୌଳିକ ସମସ୍ୟା ଲାଗି ରହିଛି । ସ୍କୁଲ ଠାରୁ ନେଇ ଅଙ୍ଗନବାଡି କେନ୍ଦ୍ର ଓ ବିଶେଷ କରି ପାନୀୟ ଜଳର ଉତ୍କଟ ଅଭାବ ରହିଆସିଛି । ସାଲୁଙ୍କୀ ନଦୀ କୂଳରେ ଥିବା ଏହି ଗ୍ରାମବାସୀ ପାନୀୟ ଜଳ ଅଭାବରୁ ବାଧ୍ୟ ହୋଇ ଦୂଷିତ ପାଣି ନଚେତ ସାଲୁଙ୍କୀ ନଦୀରୁ ଗୋଳିଆ ପାଣି ପିଉଛନ୍ତି । ଏହାପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ଏବେ ସେମାନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଇଛି । ଦୀର୍ଘ ବର୍ଷ ପରେ ଏବେ ଆମ୍ବଝରୀ ପଞ୍ଚାୟତର କନ୍ଧ ସମ୍ପ୍ରଦାୟର ଲୋକେ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

ସୂଚନା ଅନୁଯାୟୀ, ପଞ୍ଚାୟତର ୧୦ଟି ଗ୍ରାମର ୪୬ ଜଣ କନ୍ଧ ହିତାଧିକାରୀ ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି । ଏବେ ପଞ୍ଚାୟତର ସମସ୍ତ ଗରିବ କନ୍ଧ ସମ୍ପ୍ରଦାୟର ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ଦାବି ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଘଟଣାକୁ ସ୍ବୀକାର କରିବା ସହିତ ପର୍ଯ୍ୟାୟକ୍ରମେ କନ୍ଧ ପରିବାର ଗୁଡ଼ିକୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Aug 1, 2023, 6:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.