ETV Bharat / state

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା, ୨ ପୋଲିସ କର୍ମଚାରୀ ଫାୟାରିଂ କରିଥିବା ଅଭିଯୋଗ

author img

By

Published : Apr 2, 2023, 10:37 PM IST

ବୌଦ୍ଧ ଜିଲ୍ଲାରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା । ଗୁଳିକାଣ୍ଡ ଘଟାଇଥିବା ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ପୋଲିସ କର୍ମଚାରୀ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

firing in on forest guard in boudh
ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା

ବୌଦ୍ଧ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା । ଦୁଇ ଜଣ ପୋଲିସ କର୍ମଚାରୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁଳିକାଣ୍ଡରେ ଆହତ ହୋଇଥିବା ବନ କର୍ମଚାରୀଙ୍କ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ପାଞ୍ଚ ଦିନ ପୂର୍ବେ ବୌଦ୍ଧ ଜିଲ୍ଲା ବଘିଆପଡା ନିକଟସ୍ଥ ଖଲିଆପାଲି ଅଞ୍ଚଳରେ ବନ କର୍ମଚାରୀ ପାଟ୍ରୋଲିଂ କରିଥିବା ସମୟରେ ସେମାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏଥିରେ ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ ।

ବନ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ବୌଦ୍ଧ ବନଖଣ୍ଡ ପକ୍ଷରୁ ସହକାରୀ ବନ ସଂରକ୍ଷକଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଦଳ ବଘିଆପଡା ନିକଟସ୍ଥ ଖଲିଆପାଲି ପଟରୁ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଦୁଇଟି ବାଇକରେ ଚାରିଜଣ ଯୁବକ ଆସି ପ୍ରାୟ ପାଞ୍ଚ ରାଉଣ୍ଡ ଫାୟାରିଂ କରିଥିଲେ । ଏହି ଫାୟାରିଂ ଗଞ୍ଜେଇ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ ଦ୍ବାରା କରାଯାଇଥିବା ନେଇ ଆଶଙ୍କା କରାଯାଇଥିଲା । ଦୁଇଟି ବାଇକରେ ଚାରିଜଣ ବ୍ୟକ୍ତି ଆସି ଗୁଳିକାଣ୍ଡ ଘଟାଇଥିଲେ । ଏବେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନେ ବୌଦ୍ଧ ପୋଲିସର କର୍ମଚାରୀ ହୋଇଥିବା ବେଳେ ଫାୟାରିଂରେ ବ୍ୟବହୃତ ଗୁଳିରୁ ମଧ୍ୟ ଏନେଇ ସନ୍ଦେହ ଦୃଢିଭୂତ ହୋଇଥିଲା । ଆହତ କର୍ମଚାରୀ ଜଣକ ଡାକ୍ତରଖାନାରୁ ସୁସ୍ଥ ହେବା ପରେ ଗୁଳିକାଣ୍ଡରେ ପୋଲିସର ସମ୍ପୃକ୍ତି ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଏଥିସହ ସେମାନଙ୍କ ବିରୋଧରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏନେଇ ଆହତ ବନ କର୍ମଚାରୀ କହିଛନ୍ତି, "ବଘିଆପଡା ନିକଟସ୍ଥ ଖଲିଆପାଲି ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବାଇକ ଯୋଗେ ଚାରିଜଣ ଲୋକ ଆସିଥିଲେ । ଆମକୁ ଦେଖି ସେଠାରୁ ଚାଲି ଯାଇଥିଲେ ଏବଂ ଆଗରେ ଯାଇ ଛପି ରହିଥିଲେ । ଆମେ ସେହି ରାସ୍ତା ଦେଇ ଅତିକ୍ରମ କରିବା ସମୟରେ ଆମ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମଚାରୀ ଥିଲେ । କେଉଁ କାରଣରୁ ଆକ୍ରମଣ କଲେ ସେନେଇ ଆମେ ଜାଣିନାହୁଁ ।" ସେପଟେ ଗୁଳିକାଣ୍ଡକୁ ନେଇ ଉଭୟ ପୋଲିସ ଓ ବନ ବିଭାଗର ସୂଚନାରେ ତାଳମେଳ ରହୁନଥିବାରୁ କିଏ ଠିକ କହୁଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ । ମଧ୍ୟ ରାତିରେ କେଉଁ ଉଦ୍ଦେଶ୍ୟରେ ବନ ବିଭାଗର ପାଟ୍ରୋଲିଂ ଚାଲିଥିଲା, ଯଦି ପୋଲିସ ବୋଲି ଜାଣିଥିଲେ ତେବେ କାହିଁକି ପାଟ୍ରୋଲିଂ ଗାଡି ଅଟକାଇ ନଥିଲେ ଏଭଳି ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଯଦି ପୋଲିସ କର୍ମଚାରୀ ଥିଲେ ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସେମାନଙ୍କ ଉପରେ ଗୁଳିଚାଳନା କଲେ ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.