ETV Bharat / state

ବୌଦ୍ଧରେ ମିଶନ ଗ୍ରୀନ କ୍ଲିନ: ଦୁଇ ମାସରେ ୨୫୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

author img

By

Published : Apr 26, 2023, 8:04 AM IST

Updated : Apr 26, 2023, 8:18 AM IST

ବୌଦ୍ଧରୁ ୩୮ କ୍ବିଣ୍ଟାଲ ଗଞ୍ଜେଇ ଜବତ
ବୌଦ୍ଧରୁ ୩୮ କ୍ବିଣ୍ଟାଲ ଗଞ୍ଜେଇ ଜବତ

ଆକ୍ସନ ମୋଡରେ ବୌଦ୍ଧ ପୋଲିସ । ଶଗଡା ଫାଣ୍ଡି ଅଞ୍ଚଳରୁ ୩୮ କ୍ବିଣ୍ଟାଲ ଗଞ୍ଜେଇ ଜବତ । ଗତ ଦୁଇ ମାସ ଭିତରେ ଜବତ ହେଲାଣି ୨୫୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ । ଅଧିକ ପଢନ୍ତୁ

ମିଶନ ଗ୍ରୀନ କ୍ଲିନ

ବୌଦ୍ଧ: ବେଆଇନ ଗଞ୍ଜେଇ ଚାଲାଣ ଉପରେ ରୋକ୍ ଲଗାଇବାକୁ ମିଶନ ଗ୍ରୀନ କ୍ଲିନ ଚଳାଇଛି ବୌଦ୍ଧ ପୋଲିସ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ ହେଉଛି । ଯାହାକି ଏବେ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଏତେ ପରିମାଣର ଗଞ୍ଜେଇ ଜବତ କରାଯାଉଛି ଯେ ଏହାକୁ ରଖିବାକୁ ଏବେ ଥାନା ପରିସର ଓ ଗୋଦାମରେ ଆଉ ଜାଗା ନାହିଁ । ମଙ୍ଗଳବାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଫାଣ୍ଡି ଅଞ୍ଚଳରେ ଥିବା ନଳିକୁପା ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇ ପରିମାଣ ୩୮ କ୍ବିଣ୍ଟାଲରୁ ଅଧିକ ରହିଥିବାବେଳେ ଏହା ସର୍ବକାଳୀନ ରେକର୍ଡ ବୋଲି ପୋଲିସ କହିଛି । ମନମୁଣ୍ଡା ଥାନା ଅଧିକାରୀ ଅଶ୍ବିନୀ ଭିତିରିଆଙ୍କ ନେତୃତ୍ୱରେ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ ହୋଇଛି ।

କେବଳ ଗତ ଦୁଇ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲାର ଜବତ ହୋଇଥିବା ଗଞ୍ଜେଇ ପରିମାଣ ଗତ ୫ ବର୍ଷ ଭିତରେ ଜବତ ଗଞ୍ଜେଇ ଠାରୁ ମଧ୍ୟ ବଳି ଗଲାଣି । ଗଞ୍ଜେଇ ଚୋରା ଚାଲାଣ ପ୍ରତି ଏସପି ରାଜ ପ୍ରସାଦଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ଚଳିତ ବର୍ଷ ସାରା ରାଜ୍ୟରେ ରେକର୍ଡ କରିଛି ବୌଦ୍ଧ ପୋଲିସ । ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ନେଇ ସାରା ଓଡ଼ିଶାରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ପୋଲିସ ପୁରା ସକ୍ରିୟ ରହିଛି । ଏସପିଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଆଦର୍ଶ ଥାନା ସହିତ କଣ୍ଟାମାଳ ଓ ମନମୁଣ୍ଡା ଥାନା ଅନ୍ତର୍ଗତ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ।

କେବଳ ଗତ ଦୁଇ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୨୫୦ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇ ସାରିଲାଣି । ପାଞ୍ଚ ଦିନ ତଳେ ପୋଲିସ କଣ୍ଟାମାଳ ଥାନା ମାନପଦର ଗ୍ରାମରେ ଚଢ଼ାଉ କରି ୩୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ଗତକାଲି(ମଙ୍ଗଳବାର) ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ସମ୍ପର୍କରେ ଏସପି ରାଜ ପ୍ରସାଦ ମନମୁଣ୍ଡା ଥାନାରେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁସାରେ, ୩ ବର୍ଷ ମଧ୍ୟରେ ପୋଲିସ ଧରିଥିବା ଗଞ୍ଜେଇର ପରିମାଣ ଠାରୁ କେବଳ ଗତ ଦୁଇ ମାସରେ ଜବତ ଗଞ୍ଜେଇର ପରିମାଣ ଅଧିକ । ଏହି ଘଟଣାରେ ଚଳିତ ବର୍ଷ ୯୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଆଠଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ ହୋଇଛି । ପ୍ରାୟ ୬ ମାସ ପୂର୍ବେ ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଫାଣ୍ଡି ଅଞ୍ଚଳରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଥିଲା । ଏଥିରେ ଜଣକୁ ଗିରଫ କରିଥିଲା ପୋଲିସ । ବୌଦ୍ଧ ଏସପିଙ୍କ ଗଞ୍ଜେଇକୁ ନେଇ କଠୋର ଆଭିମୁଖ୍ୟ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଏଭଳି ଗ୍ରୀନ କ୍ଲିନ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Apr 26, 2023, 8:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.