ETV Bharat / state

ଆକ୍ସନ ମୋଡରେ ବୌଦ୍ଧ ପୋଲିସ, ଦୁଇ ଦିନରେ ଜବତ ହେଲାଣି ବିପୁଣ ପରିମାଣର ଗଞ୍ଜେଇ

author img

By

Published : Apr 22, 2023, 2:28 PM IST

huge quantities of cannabis seized from boudh
huge quantities of cannabis seized from boudh

ଆକ୍ସନ ମୋଡରେ ବୌଦ୍ଧ ପୋଲିସ । ମିଶନ ଗ୍ରୀନ କ୍ଲିନ ମାଧ୍ୟମରେ ଜବତ ହେଉଛି ବିପୁଳ ପରିମାଣର ଗଞ୍ଜେଇ । ଦେଶୀ ବନ୍ଧୁକ ମଧ୍ୟ ଜବତ କରୁଛି ପୋଲିସ । ଅଧିକ ପଢନ୍ତୁ

huge quantities of cannabis seized from boudh

ବୌଦ୍ଧ: ଜିଲ୍ଲାରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ରୋକ ଲଗାଇବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଗ୍ରୀନ କ୍ଲିନ । ଏହାକୁ ନେଇ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପୁଳା ପୁଳା ଗଞ୍ଜେଇ ଜବତ କରାଯାଉଛି । ଗଞ୍ଜେଇ ସମେତ ଏବେ ଜିଲ୍ଲାରୁ ଦେଶୀ ବନ୍ଧୁକ ମଧ୍ୟ ଜବତ କରୁଛି ପୋଲିସ । ଶୁକ୍ରବାର ବୌଦ୍ଧ ଥାନା ଅଞ୍ଚଳରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ଜିଲେଟିନ ଓ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ବେଳେ ମହାନଦୀ ସେତୁ ଛକ ନିକଟ ଏକ ସନ୍ଦିଗ୍ଧ କାରରୁ ଗଞ୍ଜେଇ ଓ ବନ୍ଧୁକ ଜବତ ହୋଇଛି । ତେବେ କେତେ ପରିମାଣର ଗଞ୍ଜେଇ ଜବତ ହୋଇଛି ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଗତ କିଛି ମାସ ତଳେ ମନମୁଣ୍ଡା ଥାନା ଅଞ୍ଚଳରୁ ଏକ ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିଲା । ସେଠାରୁ ବନ୍ଧୁକ ଜବତ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ବର୍ତ୍ତମାନ ମଧ୍ୟ ବୌଦ୍ଧ ଓ କନ୍ଧମାଳ ସୀମାନ୍ତ ଅଞ୍ଚଳରେ ଏଭଳି ବେଆଇନ ବନ୍ଧୁକ ତିଆରି ତଥା କାରବାରର ଏକ ବଡ ରାକେଟ ଥିବା ଚର୍ଚ୍ଚା ହେଉଛି । ବିଶେଷ ଭାବରେ ଏହି ବନ୍ଧୁକ ଓ ଗଞ୍ଜେଇ ଚୋରା ଚାଲାଣ ପଛରେ ଅନେକ ବଡବଡିଆ ଲୋକଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନର ନୂତନ ପୋଲିସ ଏସପିଙ୍କ କଡା ଆଭିମୁଖ୍ୟ ଯୋଗୁଁ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗୁରୁବାର କଣ୍ଟାମାଳ ଥାନା ଅଞ୍ଚଳରୁ ପ୍ରାୟ 31 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସହିତ ପାଞ୍ଚଟି ଦେଶୀ ବନ୍ଧୁକ ଓ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

ବୌଦ୍ଧ ଜିଲ୍ଲାର ସଦର ଆଦର୍ଶ ଥାନା ସହିତ ମନମୁଣ୍ଡା, କଣ୍ଟାମାଳ ଓ ଘଣ୍ଟାପଡା ଥାନା ଅଞ୍ଚଳରୁ ପ୍ରାୟ ପ୍ରତ୍ୟେକ ଦିନ ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଜବତ କରିବାରେ ସଫଳ ହେଉଛି ପୋଲିସ । ଜିଲ୍ଲାର ନୂତନ ପୋଲିସ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗଞ୍ଜେଇ ଧରପଗଡ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ ତିନି ଶହ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଚୋରା ଚାଲାଣ ସମୟରେ ଧରାପଡିଥିବା ସୂଚନା ମିଳିଛି । କେତେବେଳେ ଗଣମାଧ୍ୟମ ଗାଡିରେ ତ ପୁଣି କେତେବେଳେ ମିକ୍ସର ବୋଝେଇ ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ବୌଦ୍ଧ ଜିଲ୍ଲାରୁ ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏପରିକି ମୁମ୍ବାଇ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.