ETV Bharat / state

ମାଟି ତଳୁ 3 କୋଟି ଟଙ୍କାର ଗଞ୍ଜେଇ ଜବତ

author img

By

Published : May 14, 2023, 12:56 PM IST

huge quantities of cannabis seized from boudh
huge quantities of cannabis seized from boudh

ଆକ୍ସନ ମୋଡରେ ବୌଦ୍ଧ ଆଦର୍ଶ ଥାନା ପୋଲିସ । ମାଟି ତଳେ ପୋତା ଯାଇଥିବା 3କୋଟି ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ ।

ବୌଦ୍ଧରୁ ଗଞ୍ଜେଇ ଜବତ
ବୌଦ୍ଧ: ଗଞ୍ଜେଇ କାରବାର ପେଣ୍ଠସ୍ଥଳୀ ପାଲଟିଛି ବୌଦ୍ଧ ଜିଲ୍ଲା । ଗଞ୍ଜେଇ ଚୋରାଚାଲାଣରେ ଏକ ନମ୍ବର ହେବାକୁ ଯାଉଛି ବୌଦ୍ଧ । ଚଳିତ ବର୍ଷ 4 ମାସ ମଧ୍ୟରେ 34 ଟନରୁ ଊର୍ଦ୍ଧ୍ବ ଗଜେଇ ଜବତ କଲାଣି ପୋଲିସ । ଭିନ୍ନ ଭିନ୍ନ ଉପାୟରେ ଏଠାରେ ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି ମାଫିଆ । ଅନେକ ସମୟରେ ଚଢାଉ କରି ପୋଲିସ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରୁଛି । ଶନିବାର ଆମ୍ବଝରୀ ପଞ୍ଚାୟତର ଦୁର୍ଗମ ଡଙ୍କେଣୀ ଗ୍ରାମରୁ 28 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ 3 କୋଟି ଟଙ୍କା ହେବ । ଚୋରାଚାଲାଣ ପାଇଁ ମାଟି ତଳେ ଗଞ୍ଜେଇ ପୋତା ଯାଇଥିବା ବେଳେ ଚଢାଉ କରି ପୋଲିସ ଜବତ କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଡଙ୍କେଣୀ ଗ୍ରାମରେ ମାଟି ତଳେ ଗଞ୍ଜେଇ ରଖାଯାଇଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲା ଆଦର୍ଶ ଥାନା ପୋଲିସ । ଏହାପରେ ଉକ୍ତ ସ୍ଥାନରେ ଚଢାଉ କରାଯାଇ 28.5 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲା ପୋଲିସ । ସେହିପରି କଣ୍ଟାମାଳ ଥାନା ପକ୍ଷରୁ ମଧ୍ୟ 6 କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲା ଓଡ଼ିଶାର ସର୍ବାଧିକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜିଲ୍ଲା ଭାବରେ ପରିଗଣିତ ହେବାକୁ ଯାଉଛି । ଚଳିତ ବର୍ଷ ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଜବତ ମାମଲା ସାମ୍ନାକୁ ଆସିଛି । ଗତ ମାସରେ ମନମୁଣ୍ଡା ଥାନା ଅଞ୍ଚଳରୁ 38 କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ କଣ୍ଟାମାଳ ଥାନା ପକ୍ଷରୁ 32 କ୍ବିଣ୍ଟାଲ ଓ ଗତକାଲି ବୌଦ୍ଧ ଥାନା ପକ୍ଷରୁ 28 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ବେଆଇନ ଗଞ୍ଜେଇ ଜବତ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ 34 ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇ ସାରିଥିବା ବେଳେ 89 ଗୋଟି କେସ ବିଭିନ୍ନ ଥାନାରେ ରୁଜୁ ହୋଇଛି । ଚଢାଉ ସମୟରେ ବାଇକ, କାର, ଟ୍ରକ, ଟ୍ରାକ୍ଟର ମଧ୍ୟ ଜବତ କରିଥିଲା ପୋଲିସ । ତେବେ ଆଗକୁ ମଧ୍ୟ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଅଭିଯାନ ଜାରି ରହିବ ବୋଲି ବୌଦ୍ଧ ପୋଲିସ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ବୌଦ୍ଧ ଜିଲ୍ଲା ଓଡ଼ିଶାର ସର୍ବାଧିକ ଗଞ୍ଜେଇ ଚାଲାଣ ଧରପଗଡରେ ରେକର୍ଡ କରିବାକୁ ଯାଉଥିବା ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅବାଧରେ ଗଞ୍ଜେଇ ଚାଷ ଯୋଗୁଁ ବନ୍ୟପ୍ରାଣୀ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି । ଗଞ୍ଜେଇ ଚାଷ ଯୋଗୁଁ ବନ୍ୟଜନ୍ତୁ ମାନେ ଜଙ୍ଗଲ ଛାଡି ଜନବସତି ମୁହାଁ ହୋଇପଡୁଛନ୍ତି । ଏହାର ସୁଯୋଗରେ ଶିକାରୀ ମାନେ ବନ୍ୟଜନ୍ତୁଙ୍କ ଶିକାର କରିବାରେ ଲାଗିଛନ୍ତି । ଗୋଟିଏ ଦିନ ପୂର୍ବରୁ ବୌଦ୍ଧର ନନ୍ଦନବନ ଅଞ୍ଚଳରେ ଚଢ଼ାଉ କରି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଜଣେ ଶିକାରୀଙ୍କୁ କାବୁ କରିବା ସହିତ ତା ନିକଟରୁ ଏକ ଦେଶୀ ବନ୍ଧୁକ, ଆଠ କେଜି କୁଟୁରା ମାଂସ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.