ETV Bharat / state

ସ୍ବାଧୀନତା ସଂଗ୍ରାମୀ ଗାଁ ବନପାଲି: ଦେଶ ପାଇଁ ଜୀବନ ଦେଇଥିଲେ ପୂର୍ବଜ, ବଂଶଧରଙ୍କୁ ମିଳୁନି ମୌଳିକ ସୁବିଧା

author img

By

Published : Aug 14, 2023, 4:13 PM IST

ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ବୌଦ୍ଧ ଜିଲ୍ଲାର ବନପାଲି । ଦେଶ ସ୍ବାଧୀନତାର ୭୭ ବର୍ଷ ପାଳୁଥିବା ବେଳେ ଦେଶ ମାତୃକାର ମୁକ୍ତି ପାଇଁ ବଳିଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରବର୍ତ୍ତୀ ଦାୟାଦ କିଭଳି ଅଛନ୍ତି ତଥା ଜିଲ୍ଲାର ଏହି ପବିତ୍ର ପୀଠ ସମ୍ପର୍କରେ ଇଟିଭି ଭାରତ ଜାଣିବାକୁ ଚେଷ୍ଟା କରିଥିଲା ।  ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

Etv Bharat
Etv Bharat

ସ୍ବାଧୀନତା ସଂଗ୍ରାମୀ ଗାଁ ବନପାଲି: ଦେଶ ପାଇଁ ଜୀବନ ଦେଇଥିଲେ ପୂର୍ବଜ, ବଂଶଧରଙ୍କୁ ମିଳୁନି ମୌଳିକ ସୁବିଧା

ବୌଦ୍ଧ: ଆସନ୍ତାକାଲି ଦେଶ ପାଳିବ ସ୍ବାଧୀନତାର ୭୭ ବର୍ଷ । ଏହି ପବିତ୍ର ଦିନରେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବୀର ପୁତ୍ରଙ୍କୁ ଦେଶବାସୀ ସ୍ମରଣ କରିବେ । ସରକାରୀ ବାବୁମାନେ ଲମ୍ବା ଭାଷଣ ବି ଦେବେ । ହେଲେ ଏହି ବୀର ଯବାନଙ୍କ ପାଇଁ ନିଜ କର୍ତ୍ତବ୍ୟକୁ ଭୁଲିଯିବେ । ସେହି ବୀରପୁତ୍ରଙ୍କ ସାହସିକତା ପାଇଁ ଆଜି ଆମେ ସ୍ବାଧୀନତାର ସ୍ବାଦ ଚାଖି ନିଜ ହିସାବରେ ଜୀବନ ଅତିବାହିତ କରୁଛି । କିନ୍ତୁ ଏହି ବୀରପୁତ୍ରଙ୍କ ଦାୟାଦମାନେ ଅବହେଳିତ ରହିଛନ୍ତି । ଏମିତି ଏକ ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ହେଉଛି ଜିଲ୍ଲାର ବନପାଲି । ଏହି ଗାଁର ପ୍ରତିଟି ବ୍ୟକ୍ତିଙ୍କ ମଧ୍ୟରେ ସଂଗ୍ରାମୀଙ୍କ ରକ୍ତ ପ୍ରବାହିତ ହେଉଥିବା ବେଳେ ସମସ୍ତେ ଦେଶସେବାରେ ଲାଗିପଡ଼ିଥିଲେ । ହେଲେ ଦେଶ ସ୍ବାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଗ୍ରାମବାସୀ ।

ଉଗ୍ରରୂପ ନେଇଥିଲା ରାଜତନ୍ତ୍ର ବିରୋଧୀ ଆନ୍ଦୋଳନ:- ଦେଶ ମାତୃକାର ମୁକ୍ତି ସଂଗ୍ରାମରେ ଯୋଗ ଦେଇ ପୋଲିସର ଅତ୍ୟାଚାର ସହିଥିବା ତଥା ଜେଲଦଣ୍ଡ ଭୋଗିଥିଲେ ଅନେକ ସ୍ଵାଧୀନତା ସଂଗ୍ରାମୀ । ତେବେ ଗଡ଼ଜାତ ରାଜ୍ୟରେ ଏହି ମୁକ୍ତି ସଂଗ୍ରାମର ନେତୃତ୍ବ ନେଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ । ଗଡ଼ଜାତ ରାଜ୍ୟ ବୌଦ୍ଧର ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ରାଜତନ୍ତ୍ର ଶାସନ କାଳରେ ସୃଷ୍ଟି ହୋଇଥିଲା ଏକ ବିରାଟ ଜନ ଆନ୍ଦୋଳନ । ସେଠାରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ସଂଗ୍ରାମୀମାନେ ଦେଶ ସ୍ବାଧୀନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଗଡ଼ଜାତ ରାଜ୍ୟ ବୌଦ୍ଧ । ବିଶାଳ ଶହେ କୋଡ଼ିଏ କୋଶର ଏହି ବିଶାଳ ରାଜ୍ୟ ଇଂରେଜମାନଙ୍କ କାୟା ବିସ୍ତାର ରାଜନୀତି ଯୋଗୁଁ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା । ବୌଦ୍ଧ ଗଡ଼ଜାତର ଶେଷ ନରପତି ବା ରାଜାଙ୍କ ଉଦାର ମନୋଭାବ ଯୋଗୁଁ ବୌଦ୍ଧ ଗଡ଼ଜାତରେ ରାଜତନ୍ତ୍ର ବିରୋଧୀ ଆନ୍ଦୋଳନ ଉଗ୍ରରୂପ ଗ୍ରହଣ କରିନଥିଲା । କିନ୍ତୁ ଇଂରେଜ ସରକାରଙ୍କ ପ୍ରଣୀତ ବିଭିନ୍ନ ଆଇନ କାନୁନକୁ ବିରୋଧ କରି ବିଭିନ୍ନ ସମୟରେ ବୌଦ୍ଧ ଗଡ଼ଜାତରେ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।

ଏହା ବି ପଢନ୍ତୁ- ଓଡ଼ିଶାର ସାବରମତୀ ଅଳକାଶ୍ରମ, ସଂଗ୍ରାମୀଙ୍କ ସ୍ମୃତି ସାଇତି ଗାଉଛି ବୀରତାର ଗାଥା

ପ୍ରଜା ମଣ୍ଡଳ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ମୁକ୍ତି ସଂଗ୍ରାମ:- ବୌଦ୍ଧ ଗଡ଼ଜାତରେ ଏହି ମୁକ୍ତି ସଂଗ୍ରାମ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ । କର, ଖଜଣା, ବେଠୀ ପ୍ରଥା, ରମ୍ୟ, ମାଗଣା ଭଳି ମଧ୍ୟ ଯୁଗୀୟ ପରମ୍ପରାକୁ ତୀବ୍ର ବିରୋଧ କରାଯାଇଥିଲା । ପ୍ରଜା ମଣ୍ଡଳ ଆନ୍ଦୋଳନର ସୂତ୍ରପାତ ବୌଦ୍ଧ ରାଜ୍ୟର ବଘିଆବାହାଲଠାରେ ଦଶରଥ ପ୍ରଧାନ, ଭଗବାନ ପଣ୍ଡା, ଦାମୋଦର ଦଣ୍ଡୁଆସୀ, ବିଦ୍ୟାଧର ତ୍ରିପାଠୀ, ବିଷ୍ଣୁ ଚରଣ ମେହେର ପ୍ରମୁଖଙ୍କ ନେତୃତ୍ବରେ ଅୟମାରମ୍ଭ ହୋଇଥିଲା । ଏହାର ଯଥେଷ୍ଟ ପୂର୍ବରୁ ବୌଦ୍ଧ ଗଡ଼ଜାତରେ ପ୍ରେମ ଶଙ୍କର ପଟ୍ଟନାୟକ, ପ୍ରହଲ୍ଲାଦ ବିଶି, ଚକ୍ରଧର ମିଶ୍ର, ଶଶୀ ଶେଖର ମିଶ୍ର, ଗୌରୀ ଶଙ୍କର ରାୟଗୁରୁ, ମାଧବ କହଁର, ଚିନ୍ତାମଣି ଶତପଥୀ ପ୍ରମୁଖ ରାଜତନ୍ତ୍ର ବିରୋଧରେ ସ୍ବର ଉତ୍ତୋଳନ କରି ଜେଲଦଣ୍ଡ ଭୋଗିଥିଲେ । ବୌଦ୍ଧର ବଘିଆବାହାଲଠାରେ ପ୍ରଜା ମଣ୍ଡଳ ଆନ୍ଦୋଳନର ସୂତ୍ରପାତ ହେବାର ପରେ ଏହାର ପ୍ରଭାବ ବନପାଲି ଗ୍ରାମର ଯୁବ ବର୍ଗ ଉପରେ ପଡିଥିଲା । ବନପାଲି ଗ୍ରାମର ଅନେକ ଯୁବକ ଇଂରେଜ ସରକାରଙ୍କ ଜଙ୍ଗଲ ଆଇନକୁ ବିରୋଧ କରି ଲାଠିମାଡ ଖାଇବା ସହିତ ଅନେକ ଜେଲ ଦଣ୍ଡ ଭୋଗିଥିଲେ ।

ବିପ୍ଳବୀଙ୍କ ବଂଶଧରଙ୍କ ଦୁଃଖ:- ଏହି ସମୟରେ ଉଭୟ ବନପାଲି ଓ ବାଉଶୁଣୀ ଅଞ୍ଚଳରେ ସ୍ବାଧୀନତା ଆନ୍ଦୋଳନକୁ ଜୋରଦାର କରିଥିଲେ ଗୌରହରି ମେହେର, ଡମ୍ବରୁଧର ମେହେର ବାଉଶୁଣୀର ବିଷ୍ଣୁ ଚରଣ ମେହେର ଜଗଦୀଶ ଦେହୁରୀ, ଗତି ମେହେର, ଚୈତନ୍ୟ ମେହେର, ଚନ୍ଦ୍ର ଶେଖର ମେହେର, ଜଗଦୀଶ ସେଠୀ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିଥିଲେ । ଏ ନେଇ ବିପ୍ଳବୀଙ୍କ ବଂଶଧର ଦୁଆରୁ ମେହେର କହିଛନ୍ତି, "ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ ଭାବେ କୌଣସି ସୁବିଧା ମିଳିନାହିଁ । ଆମେ ମୁଲିଆଠାରୁ ବି ହୀନ ଜୀବନ ଜିଉଁଛୁ । କୌଣସି କାର୍ଡ ଖଣ୍ଡିଏ ବି ମିଳିନାହିଁ । ଚାଉଳ ବି ମିଳୁନି । ବୁଣା କାମ କରି ପରିବାର ପ୍ରତିପୋଷଣ କରୁଛୁ ।"

ଏଇଠି ଗ୍ରାମ ଦେବତୀ ଭାବେ ପୂଜା ପାଆନ୍ତି ଭାରତ ମାତା:- ଦେଶ ମାତୃକାର ମୁକ୍ତି ପାଇଁ ବନପାଲି ଗ୍ରାମରେ ସଂଗ୍ରାମୀମାନେ ଏକତ୍ରିତ ହୋଇ ଭାରତ ମାତାଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରି ଆନ୍ଦୋଳନକୁ ଯୋରଦାର କରିଥିଲେ । ଏକ ଅସ୍ଥାୟୀ କୁଡିଆ ଘରେ ଆରମ୍ଭ ହୋଇଥିବା ଭାରତ ମାତାଙ୍କ ମନ୍ଦିର ସ୍ବାଧୀନତା ପରେ ଏକ ପକ୍କାଘରର ରୂପ ନେଇଥିଲା । ବନପାଲି ଗ୍ରାମର ଏହି ଭାରତ ମାତାଙ୍କ ମନ୍ଦିର ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ତଥା ପବିତ୍ର ସ୍ଥାନ ଭାବରେ ବିବେଚନା କରାଯାଏ । କିନ୍ତୁ ବନପାଲି ଗ୍ରାମ ମାଳ ମାଳ ସମସ୍ୟା ଘେରରେ ରହିଯାଇଛି । ସ୍ବାଧିନତା ସଂଗ୍ରାମୀଙ୍କ ଗ୍ରାମରେ ଗ୍ରାମଦେବତୀ ଭାବରେ ପୂଜା ପାଉଛନ୍ତି ସ୍ବୟଂ ଭାରତ ମାତା ।

ସାରା ଦେଶ ସ୍ବାଧୀନତାର ୭୭ ବର୍ଷ ପାଳନ କରୁଥିବା ସମୟରେ ଏହି ପବିତ୍ର ସ୍ଥାନର ବିକାଶ ପାଇଁ ସେଭଳି କୌଣସି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବନପାଲି ଗ୍ରାମର ଅଧିକାଂଶ ପରିବାର ବୁଣାକାର ହୋଇଥିବା ବେଳେ ଅନେକ ସଂଗ୍ରାମୀଙ୍କ ଦାୟାଦ ଚାଷ କିମ୍ବା ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଗାଁରେ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦମାନେ ଅତ୍ୟନ୍ତ କଷ୍ଟରେ ଚଳୁଛନ୍ତି । ଏପରିକି ଭାରତ ମାତାଙ୍କ ମନ୍ଦିରର ମଧ୍ୟ ବିକାଶ ହୋଇପାରି ନଥିବା ସଂଗ୍ରାମୀଙ୍କ ପରିବାର ଅଭିଯୋଗ କରିଛନ୍ତି । ତେବେ ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଏହାର ବିକାଶ ପ୍ରକ୍ରିୟାର ଅୟମାରମ୍ଭ ନେଇ ସୂଚନା ଦେଇଛନ୍ତି । ଦେଖିବାର କଥା କେବେ ଏହି ବିପ୍ଳବୀ ଗାଁ ଉପରେ ସରକାରଙ୍କ ଦୃଷ୍ଟି ପଡୁଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.