ETV Bharat / state

ଘାଇ ନଷ୍ଟ କଲା ଚାଷଜମି, ଧୋଇଗଲା ଏଲଆଇ ପଏଣ୍ଟ

author img

By

Published : Aug 6, 2023, 12:59 PM IST

Updated : Aug 6, 2023, 1:32 PM IST

ବୌଦ୍ଧ ଜିଲ୍ଲାରେ ଅନେକ ସ୍ଥାନରେ ବିରାଟକାୟ ଘାଇ ସୃଷ୍ଟି ହୋଇ ଚାଷଜମିରେ ବାଲି ଚର ମାଡ଼ି ଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଧୋଇ ନେଇଛି । ଫଳରେ ବର୍ତ୍ତମାନ ଚାଷୀକୁଳ ଚିନ୍ତାରେ । ଅଧିକ ପଢନ୍ତୁ

flood like situation
flood like situation

flood like situation

ବୌଦ୍ଧ: ବନ୍ୟା ଆଶଙ୍କା ଟଳିଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଦୁଃଖ ବଢ଼ି ଯାଇଛି । ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଚାଷଜମିରେ ବାଲି ଚର ମାଡ଼ି ଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଘାଟ ସମ୍ପୂର୍ଣ୍ଣ ଧୋଇ ନେଇଛି । ଫଳରେ ବର୍ତ୍ତମାନ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ଚାଷୀମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ୪ ଦିନ ପୂର୍ବରୁ ହୋଇଥିବା ଲଗାଣ ବର୍ଷାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ମହାନଦୀରେ ଜଳସ୍ତର କମ ରହିଥିବା କାରଣରୁ ଏକ ବଡ଼ ଧରଣର ବନ୍ୟା ଆଶଙ୍କା ଟଳିଯାଇଥିଲା । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି । ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତର କାଲେଶ୍ବର ଠାରୁ ନେଇ କୁଶଙ୍ଗ ପଞ୍ଚାୟତର ମାରଡା ପର୍ଯ୍ୟନ୍ତ ବିଭିନ୍ନ ଗାଁ ବନ୍ୟାଜଳ ଘେରରେ ରହିଥିବା ବେଳେ ଅନେକ ସ୍ଥାନରେ ଡଙ୍ଗାର ସହାୟତା ନିଆଯାଇଥିଲା । କିନ୍ତୁ ବନ୍ୟା ଆଶଙ୍କା ଟଳିବା ପରେ ବର୍ତ୍ତମାନ ସେସବୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇ ଚାଷଜମିରେ ବାଲିଚର ମାଡ଼ି ଯାଇଥିବା ଅଭିଯୋଗ ହୋଇଛି ।

ବିଶେଷ ଭାବରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା କାଲେଶ୍ବର ମହାନଦୀ ମୁହାଣରେ ଚଳିତ ବର୍ଷ ନିର୍ମାଣ ହୋଇଥିବା ଜଳସେଚନ ବିଭାଗର ବନ୍ୟା ପ୍ରତିରୋଧ ପ୍ରକଳ୍ପ ସମ୍ପୂର୍ଣ୍ଣ ଧୋଇ ନେଇଛି । ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଚାଷ ଜମିରେ ବାଲିଚର ମାଡ଼ି ଯାଇଥିବା ବେଳେ ଅନେକ ସ୍ଥାନରେ ଚାଷଜମି ମହାନଦୀ ଗର୍ଭରେ ଲୀନ ହୋଇ ଯାଇଛି । ଏପରିକି କାଲେଶ୍ବର ଘାଟରେ ନିର୍ମାଣ ହୋଇଥିବା ଉଠା ଜଳସେଚନ ବିଭାଗର ପ୍ରକଳ୍ପ ସମ୍ପୂର୍ଣ୍ଣ ଧୋଇ ନେଇଛି । ଫଳରେ ବର୍ତ୍ତମାନ ଚାଷୀକୁଳ ଚଳିତ ବର୍ଷ ଚାଷ କାର୍ଯ୍ୟ କିଭଳି କରିବେ ସେନେଇ ଚିନ୍ତାରେ ।

ଏହା ମଧ୍ୟ ପଢନ୍ତୁ - ଦୁଃଖ ଆଣିଲା ବନ୍ୟା: କ୍ଷେତରେ ଲହଡି ଭାଙ୍ଗୁଛି ପାଣି, ଚିନ୍ତାରେ ଚାଷୀ

ଏନେଇ ଗତ ଶନିବାର ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଉକ୍ତ ଘାଇ ଅଞ୍ଚଳ ବୁଲି ଦେଖିବା ସହିତ ଏହାର ସମାଧାନ କିଭଳି ହେବ ସେନେଇ ଆଲୋଚନା କରିଥିଲେ । ଏଠାରେ ନିର୍ମାଣ ହୋଇଥିବା ପ୍ରକଳ୍ପକୁ ନେଇ କାଲେଶ୍ବର,ବାଗବର, ମାଉଳିସିଙ୍ଗା ଭଳି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Aug 6, 2023, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.