ETV Bharat / state

ସମସ୍ୟା ଘେରରେ ବୌଦ୍ଧ ଚାଷୀ ଓ ବିଦ୍ୟୁତ ଶ୍ରମିକ, ସମାଧାନ ପାଇଁ କଲେ ଦାବି

author img

By

Published : May 10, 2023, 1:28 PM IST

ସମସ୍ୟା ଘେରରେ ବୌଦ୍ଧ ଚାଷୀ ଓ ବିଦ୍ୟୁତ ଶ୍ରମିକ
farmers and electric labour facing problem

ବୌଦ୍ଧ ଜିଲ୍ଲାରେ ସମସ୍ୟା ଘେରରେ ରହିଛନ୍ତି ଚାଷୀ ଓ ବିଦ୍ୟୁତ ଶ୍ରମିକ । ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ଲିଫ୍ଟ ପଏଣ୍ଟ ହେବାର ଆଶାରେ ଦୀର୍ଘ ତିନି ବର୍ଷ ହେଲା ଚାତକ ପରି ଚାହିଁ ବସିଛନ୍ତି । ଅଧିକ ପଢନ୍ତୁ

farmers and electric labour facing problem

ବୌଦ୍ଧ: ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଜଳସେଚନରୁ ବଞ୍ଚିତ ଚାଷୀ । ଲିଫ୍ଟ ପଏଣ୍ଟ ନିର୍ମାଣ ପାଇଁ ଦୀର୍ଘ ତିନି ବର୍ଷ ହେଲା ଚାଷୀଙ୍କୁ ସମ୍ପୃକ୍ତ ଠିକାଦାର ହଇରାଣ କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ଲିଫ୍ଟ ପଏଣ୍ଟ ହେବାର ଆଶାରେ ଦୀର୍ଘ ତିନି ବର୍ଷ ହେଲା ଚାତକ ପରି ଚାହିଁ ବସିଛନ୍ତି ମାତ୍ର ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଏସବୁ ପଏଣ୍ଟ ନିର୍ମାଣ ହୋଇ ପାରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ଚାଷ ଓ ଚାଷୀଙ୍କୁ ନେଇ ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହିଛି । ଜିଲ୍ଲାରେ ସାଲୁଙ୍କୀ ଓ ବାଘନଦୀ ସେଚ ପ୍ରକଳ୍ପ ଭଳି ବୃହତ୍ତ ସେଚ ପ୍ରକଳ୍ପ ସହିତ ଜିଲ୍ଲାର 3ଟି ବ୍ଲକର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ମାଧ୍ୟମରେ ଚାଷଜମିକୁ ଜଳସେଚନ ହୋଇପାରୁଛି । କଣ୍ଟାମାଳ ବ୍ଲକର ତେଲନଦୀ ସମେତ ବିଭିନ୍ନ ଜଳ ଉତ୍ସରୁ ଏଭଳି ଉଠାଜଳସେଚନ ମାଧ୍ୟମରେ ଚାଷୀମାନେ ଜମିକୁ ଜଳସେଚନ କରିପାରୁଛନ୍ତି । ଏହାଛଡା ଭୂତଳ ଖନନ କରି ବୋରଓ୍ବେଲ ମାଧ୍ୟମରେ ଚାଷୀ ଜମିକୁ ଜଳସେଚନ କରିପାରୁଛି । ଏନେଇ ଉଠାଜଳସେଚନ ବିଭାଗ ପକ୍ଷରୁ ଚାଷୀଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି । ତେବେ କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଗଡଫେସପେରଡି ଗ୍ରାମରେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ଯୋଜନା ଚାଷୀଙ୍କ ପାଇଁ ସାତ ସପନ ହୋଇଛି ।

ସୂଚନା ମୁତାବକ ଗଡଫେସପେରଡି ଗ୍ରାମର ବାରଜଣ ଚାଷୀ ବୋରଓ୍ବେଲ ନିମନ୍ତେ ଗତ 3ବର୍ଷ ତଳେ ଉଠାଜଳସେଚନ ବିଭାଗରେ ଆବେଦନ କରିବା ସହିତ ଆବଶ୍ୟକ ମୁତାବକ 20 ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ଜମା କରିଥିଲେ । ଇତି ମଧ୍ୟରେ 3ବର୍ଷ ବିତିଯାଇଥିଲେ ମଧ୍ୟ ଠିକାଦାର ବୋରଓ୍ବେଲକୁ ବିଦ୍ୟୁତ ସଂଯୋଗ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଠିକାଦାର ବିଭିନ୍ନ ବାହାନା ଦେଖାଇ ଦିନ ଗଡାଇ ଚାଲିଥିବା ବେଳେ ଏନେଇ ଅଭିଯୋଗ ପରେ ଚାଷୀଙ୍କୁ ଓଲଟା ଠିକାଦାର ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସମସ୍ତ ଚାଷୀ ଭୟଭୀତ ହୋଇ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ତୁରନ୍ତ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ।

ସେପଟେ ଜିଲ୍ଲାରେ ଚାଷୀଙ୍କ ପରି ସମସ୍ୟା ଘେରରେ ରହିଛନ୍ତି ବିଦ୍ୟୁତ ଶ୍ରମିତ । ଜିଲ୍ଲାର ଟାଟା ପାଓ୍ବାରରେ କାର୍ଯ୍ୟରତ 70ରୁ ଊର୍ଦ୍ଧ୍ବ ବିଦ୍ୟୁତ ଶ୍ରମିକ କର୍ମଚାରୀ ସେମାନଙ୍କ ବିଭିନ୍ନ ଦାବି ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରମିକମାନେ ଦରମା ବୃଦ୍ଧି ସହିତ, ସେମାନଙ୍କୁ ସ୍ଥାୟୀ କରିବା ଭଳି ବିଭିନ୍ନ ପ୍ରସଙ୍ଗରେ 16 ଦଫା ଦାବିରେ କଳାବ୍ୟାଚ ପରିଧାନ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.