ETV Bharat / state

ସମୂହିକ ଛୁଟିରେ ସରକାରୀ କର୍ମଚାରୀ, ଦାବି ପୂରଣ ନହେବା ଯାଏଁ ଚାଲିବ ଆନ୍ଦୋଳନ

author img

By

Published : Jun 1, 2023, 6:29 PM IST

ସମୂହିକ ଛୁଟିରେ ଗଲେ ସରକାରୀ କର୍ମଚାରୀ
ସମୂହିକ ଛୁଟିରେ ଗଲେ ସରକାରୀ କର୍ମଚାରୀ

ସରକାରୀ କର୍ମଚାରୀଙ୍କ ଦାବି ପୂରଣ ନହେବାରୁ ଆଜିଠାରୁ ଠପ ହୋଇଗଲା ସମସ୍ତ ସରକାରୀ କାର୍ଯ୍ୟାଳୟ ।ଆଜିଠାରୁ ସମୂହିକ ଛୁଟିରେ ଗଲେ ସରକାରୀ କର୍ମଚାରୀ । ଅଧିକ ପଢ଼ନ୍ତୁ

ସମୂହିକ ଛୁଟିରେ ଗଲେ ସରକାରୀ କର୍ମଚାରୀ

ବୌଦ୍ଧ: ସମୂହ ଛୁଟିରେ ଗଲେ ସରକାରୀ କର୍ମଚାରୀ । ଫଳରେ ସମସ୍ତ ସରକାରୀ କାର୍ଯ୍ୟ ଠପ ହୋଇ ପଡିଛି । ସରକାରୀ କର୍ମଚାରୀ 42 ଶହ ଗ୍ରେଡ୍‌ ପେ' ବୃଦ୍ଧି ଦାବିରେ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିବା ବେଳେ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବା ଅଭିଯୋଗ କରିଛନ୍ତି ଅମଲା । ଯାହାକୁ ନେଇ ଆଜିଠାରୁ ସାରା ରାଜ୍ୟରେ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ ହୋଇପଡିଛି ।

ଜିଲ୍ଲା ମିଳିତ ଅମଲା ମଞ୍ଚ ଆବାହକ ସୁଦାମ ଚରଣ ମିଶ୍ର କହିଛନ୍ତି, "ସରକାରୀ କର୍ମଚାରୀଙ୍କ 42 ଶହ ଗ୍ରେଡ୍‌ ପେ' ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ନେଇ ଦୀର୍ଘ ବର୍ଷ ହେଲା ସରକାରଙ୍କ ନିକଟରେ ଦାବି ହୋଇଛି । ସାରା ରାଜ୍ୟରେ ଥିବା ବିଭିନ୍ନ ବିଭାଗରେ ସରକାରୀ କର୍ମଚାରୀଙ୍କୁ ସରକାର ଠକି ଚାଲିଛନ୍ତି । ଦୀର୍ଘ ବର୍ଷରୁ ପ୍ରଚଳିତ 19 ଶହ ଗ୍ରେଡ୍‌ ପେ' ଚାଲୁ ରହିଥିବା ବେଳେ ବର୍ତ୍ତମାନର ମହଙ୍ଗା ଯୁଗରେ ସରକାରୀ କର୍ମଚାରୀଙ୍କ ପାଇଁ ପରିବାର ପ୍ରତିପୋଷଣ ଠିକରେ ହୋଇ ପାରୁନାହିଁ । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜିଠାରୁ ରାଜ୍ୟର ସମସ୍ତ ଅମଲା କର୍ମଚାରୀମାନେ ସମୂହ ଛୁଟିରେ ରହିଛନ୍ତି ।’’

ଅମଲା କର୍ମଚାରୀ ଦୀପାଞ୍ଜଳି ନନ୍ଦ କହିଛନ୍ତି,‘‘କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨ଶହ ଟଙ୍କା ଗ୍ରେଡ ପେ'କୁ ବୃଦ୍ଧି କରାଯାଉ । ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲାମାନଙ୍କର ମୂଳ ଦରମା ୯୩୦୦ ସହିତ ଗ୍ରେଡପେ ୪୨୦୦ ଓ ଲେବେଲ ୯ ଅନୁଯାୟୀ ଦରମା ବୃଦ୍ଧି କରାଯାଉ । ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଉଚିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।’’

ଆଜି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ସରକାରୀ ଅମଲା କର୍ମଚାରୀ କାର୍ଯ୍ୟ ବନ୍ଦ କରି ସମୂହ ଛୁଟିରେ ରହିଛନ୍ତି । ଗତ ମେ' ମାସ 21 ତାରିଖରୁ ସମସ୍ତ ସରକାରୀ କର୍ମଚାରୀ କଳାବ୍ୟାଚ୍‌ ପରିଧାନ କରି ସରକାରଙ୍କୁ ଚେତାବନୀ ଦେଇଥିଲେ । ଏନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲାର ମିଳିତ ଅମଲା କର୍ମଚାରୀ ସଂଘ । ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଅମଲା ମଞ୍ଚର ସମସ୍ତ ସରକାରୀ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ସମୂହ ଛୁଟିରେ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । ଅମଲାମାନଙ୍କ ସମସ୍ୟାର ସମାଧାନ ନକଲା ପର୍ଯ୍ୟନ୍ତ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.