ETV Bharat / state

ସରିଲା ନୂଆଖାଇ, ଭେଟଘାଟ ତିହାରରେ ଦୁଲୁକୁଛି ବୌଦ୍ଧ

author img

By ETV Bharat Odisha Team

Published : Sep 22, 2023, 12:39 PM IST

Updated : Sep 22, 2023, 1:04 PM IST

nuakhai bhetghat
nuakhai bhetghat

ବୌଦ୍ଧରେ ନୂଆଖାଇ ପରେ ଆରମ୍ଭ ହେଲା ଭେଟଘାଟ ତିହାର । ଜମୁଛି ନାଚ ଗୀତର ଆସର । ଅଧିକ ପଢନ୍ତୁ

ଭେଟଘାଟ ତିହାରରେ ଦୁଲୁକୁଛି ବୌଦ୍ଧ

ବୌଦ୍ଧ: ନୂଆଖାଇ ପରେ ଆରମ୍ଭ ହୋଇଯାଇଛି ଭେଟଘାଟ । ପାରମ୍ପରିକ ବାଦ୍ୟ ନୃତ୍ୟରେ କମ୍ପି ଉଠୁଛି ପଶ୍ଚିମ ଓଡିଶା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ନୂଆଖାଇ ଭେଟଘାଟ ତିହାର କାର୍ଯ୍ୟକ୍ରମ । ପାରମ୍ପରିକ ଲୋକକଳା ସହିତ ଲୁପ୍ତପ୍ରାୟ କଳା ସଂସ୍କୃତି ମାଧ୍ୟମରେ ନୂଆଖାଇ ତିହାର ପାଳନ କରାଯାଉଛି ।

ଭାଦ୍ରବ ପଞ୍ଚମୀ ତିଥିରେ ନୂଆଖାଇ ଉତ୍ସବ ପାଳନ କରାଯାଇଥିବା ବେଳେ ଗୁରୁବାର ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭେଟ ଘାଟ ତିହାର ଆରମ୍ଭ ହୋଇଛି । ଆସନ୍ତା 15 ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ଜିଲ୍ଲାର କଣ୍ଟାମାଳ ବ୍ଲକର ପ୍ରତ୍ୟେକ ଗ୍ରାମରେ ନୂଆଖାଇ ଅବସରରେ ବିଭିନ୍ନ ଦେବାଦେବୀଙ୍କ ପୀଠ ଚଳଚଞ୍ଚଳ ରହିଛି । ନବାନ୍ନ ଭକ୍ଷଣ ପରେ କଣ୍ଟାମାଳ ବ୍ଲକର ଘଣ୍ଟାପଡା, ବରଗାଁ, ଖୁଣ୍ଟିଗୋରା, ଶୁଣ୍ଢିପଦର, ପଲସାଗୋରା, ମନମୁଣ୍ଡା, ଗୁଡଭେଲିପଦର ଭଳି ବିଭିନ୍ନ ସ୍ଥାନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୂଆଖାଇ ତିହାର ପାଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ନୂଆଖାଇ ପାଳିଲେ ବଲାଙ୍ଗୀରବାସୀ, ଦେବାଳୟରେ ପ୍ରବଳ ଭିଡ଼

ସେହିପରି ବୌଦ୍ଧ ବ୍ଲକର ଦହ୍ୟା, ବାଉଶୁଣୀ, ସାହାଜପାଲ, ଗୁନ୍ଦୁଳିଆ,ଶଗଡ଼ା, ଲକ୍ଷ୍ମୀ ପ୍ରସାଦ, ବଘିଆପଡା ଭଳି ବିଭିନ୍ନ ସ୍ଥାନରେ ନୂଆଖାଇ ପରେ ଜୁହାର ଭେଟ ଆରମ୍ଭ ହୋଇଛି । ବିଶେଷ ଭାବରେ ଗାଁ ଗାଁରେ ନୂଆଁଖାଇ ଅବସରରେ ନାମ ସଂକୀର୍ତ୍ତନ, ଭାଗବତ କଥା, ଛୋଟ ଛୋଟ ପିଲାମାନେ ନାଚଗୀତରେ ମସଗୁଲ ରହିଥିବା ବେଳେ ଅନେକ ସ୍ଥାନରେ ଲୁପ୍ତପ୍ରାୟ ଲୋକକଳା ପତ୍ର ଶଉରା, ଝାଲିଆ ଶବର, ବାଇଧନ, ନଚନିଆ, ବଜନିଆ ଭଳି ସୁଆଙ୍ଗ କଳା ପ୍ରଦର୍ଶିତ କରାଯାଉଛି । ଭେଟଘାଟ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ । ବୌଦ୍ଧ ସହରର ମାଉସୀ ମାଆ ମନ୍ଦିରରେ ଗେହ୍ଲାମା କଳା ନିକେତନ ପକ୍ଷରୁ ଦୁଇ ଦିନିଆ ଭେଟଘାଟ ତିହାର ଉଦଯାପନ ହୋଇଥିବା ବେଳେ ଟୁଟୁସିଙ୍ଗା, ସାହାଜପାଲ ଭଳି ଅନେକ ସ୍ଥାନରେ ନୂଆଖାଇର ନିଆରା ଭେଟଘାଟ ତିହାର ପାଳନ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ନୂଆଖାଇ ପାଇଁ ଚଳଚଞ୍ଚଳ ବୌଦ୍ଧ, ଭୈରବଙ୍କ ପୀଠରେ ଲାଗି ହେଲା ନବାନ୍ନ

ପଶ୍ଚିମ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ ଏହି ଗଣପର୍ବ । ରାଗ ରୁଷା ଭୁଲି ଏକତାର ପର୍ବ ପାଳୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଜିଲ୍ଲା ଛାଡି ବାହାରେ ରହୁଥିବା ଲୋକେ ମଧ୍ୟ ଗାଁକୁ ଫେରିଛନ୍ତି । ଆନନ୍ଦ ଉଲ୍ଲାସର ସହିତ ଦେବୀ ଭୈରବୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ସମସ୍ତେ ମିଳିମିଶି ନବାନ୍ନ ଭକ୍ଷଣ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଭେଟଘାଟ ।

ଇଟିଭି ଭାରତ,ବୌଦ୍ଧ

Last Updated :Sep 22, 2023, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.