ETV Bharat / state

କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନାଁରେ ଟଙ୍କା ହରିଲୁଟ ଅଭିଯୋଗ, ତଦନ୍ତ ଦାବି କଲେ ଚାଷୀ

author img

By

Published : Feb 26, 2023, 10:05 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଳ ସେଚନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଳ ସେଚନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଳ ସେଚନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ରାଜ୍ୟ ସରକାର ପ୍ରକଳ୍ପ ଦେଉଥିବା ଅର୍ଥକୁ ପ୍ରକଳ୍ପ ବିଭାଗ ଓ ଠିକାଦାର ହରିଲୁଟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଳ ସେଚନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ପୋତି ହୋଇ ପଡୁଛି ଜିଲ୍ଲାର ବିଭିନ୍ନ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏସବୁ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ରାଜ୍ୟ ସରକାର ପ୍ରକଳ୍ପ ଦେଉଥିବା ଅର୍ଥକୁ ହରିଲୁଟ କରୁଥିବା ଅଭିଯୋଗ । ବିଶେଷ ଭାବରେ ଜିଲ୍ଲାର ତିନୋଟି ବ୍ଲକର ତିନୋଟି ପ୍ରକଳ୍ପ ଉଦାହରଣ ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି । ଏହାଛଡା ଏସବୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଦାବି ହୋଇଛି । ବୌଦ୍ଧ ଜିଲ୍ଲାରେ ମହାନଦୀ ଠାରୁ ଆରମ୍ଭ କରି, ତେଲନଦୀ, ବାଘନଦୀ, ସାଲୁଙ୍କୀ ଭଳି ଅନେକ ନଦୀନାଳ ପ୍ରବାହିତ ହେଉଛି । ଏହାଛଡା ବିଭିନ୍ନ ଜଳ ଉତ୍ସରୁ ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କୁ ସୁବିଧା ଯୋଗାଇ ଦିଆଯାଉଛି ।

କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗର କେତେକ ପ୍ରକଳ୍ପ ବିଭାଗ ଓ ଠିକାଦାରଙ୍କ ପାଇଁ ସୁନା ଅଣ୍ଡା ଦିଆ କୁକୁଡ଼ା ପାଲଟିଛି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳରେ ଥିବା ଏସବୁ ପ୍ରକଳ୍ପରେ ବାରମ୍ବାର ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀଙ୍କ କାର୍ଯ୍ୟରେ ଆସୁନାହିଁ । ଏ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ପଞ୍ଚାୟତ ଉମା । ଉମା ପଞ୍ଚାୟତ ସଦର ଠାରେ ଥିବା ପଞ୍ଚାୟତ ପୋଖରୀକୁ କିଛି ବର୍ଷ ପୂର୍ବରୁ କ୍ଷୁଦ୍ର ଜଳସେଚନ ବିଭାଗ ହାତକୁ ନେଇ ଏହାର ଉନ୍ନତି ପାଇଁ ତଥା ଚାଷୀଙ୍କୁ ଜଳଯୋଗାଣ ପାଇଁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଉକ୍ତ ବିରାଟକାୟ ବନ୍ଧରେ ବାରମ୍ବାର ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ପୋତି ହୋଇ ପଡୁଥିବା ଅଭିଯୋଗ ହୋଇଛି ।

ବନ୍ଧଟି ପୋତି ହୋଇ ପଡିବା ଫଳରେ ସେଠାରୁ ସେଚନ କାର୍ଯ୍ୟ ପାଇଁ ଜଳ ଯୋଗାଣ ହୋଇ ପାରୁନାହିଁ । ଏଥିରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ସ୍ଥାନୀୟ ଚାଷୀ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି । ଉମା ଭଳି ବୌଦ୍ଧ ସଦର ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବିରିଗଡ ଗ୍ରାମ ନିକଟରେ ଲକ୍ଷ୍ମୀ ନାଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି କ୍ଷୁଦ୍ର ସେଚ ପ୍ରକଳ୍ପ । କିନ୍ତୁ ଉକ୍ତ ପ୍ରକଳ୍ପ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୌଣସି ତଦନ୍ତ ହୋଇପାରିନାହିଁ ।

ବୌଦ୍ଧ ଜିଲ୍ଲାର ଅନ୍ୟ ଏକ ପ୍ରକଳ୍ପ ରହିଛି ଜିଲ୍ଲାର ଉପାନ୍ତ ମହାଲିକପଡା ପଞ୍ଚାୟତର ଦୁର୍ଗମ ଗେରେଡିସାହି ଠାରେ । ଗେରେଡିସାହି ଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିରାଟକାୟ ପୋଖରୀକୁ ମହାବନ୍ଧ ନାଁରେ ବ୍ୟାପକ ଅର୍ଥ ଖର୍ଚ୍ଚ କରି ଘାସ ଓ ମାଟି ସଫାକରି ବିଲ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଥିବା ଏସବୁ ପ୍ରକଳ୍ପ ଗୁଡିକ କ୍ଷୁଦ୍ର ଜଳସେଚନ ବିଭାଗ କାହା ସ୍ବାର୍ଥ ରେ ନିର୍ମାଣ କରିଛି ବୋଲି ଚାଷୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.