ETV Bharat / state

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ: ମନ ମୋହୁଛି ନିର୍ମଳ ପରିବେଶ ଓ ଫୁଲ ଫଳର ସମ୍ଭାର

author img

By

Published : Feb 7, 2023, 11:15 AM IST

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ
ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ । ରଙ୍ଗବେରଙ୍ଗୀ ଫୁଲ ସହ ଔଷଧୀୟ ଉଦ୍ୟାନର ସୌନ୍ଦର୍ଯ୍ୟରେ ବିମୋହିତ ରୋଗୀ ଓ ସମ୍ପର୍କୀୟ । ଅଧିକ ପଢ଼ନ୍ତୁ

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ

ବୌଦ୍ଧ: ପାର୍କର ଭ୍ରମ ସୃଷ୍ଟି କରୁଛି ଉପାନ୍ତ ଅଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ସବୁଜ ଘାସ ଗାଲିଚା, ରଙ୍ଗବେରଙ୍ଗୀ ଫୁଲ ସହ ଔଷଧୀୟ ଉଦ୍ୟାନରେ ରମଣୀୟ ଦିଶୁଛି ସ୍ବାସ୍ଥ୍ୟକେନ୍ଦ୍ର ପରିସର । ସ୍ବଚ୍ଛ ନିର୍ମଳ ଓ ସବୁଜ ସୁନ୍ଦର ପରିବେଶ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଏବଂ ତାଙ୍କର ସମ୍ପର୍କୀୟଙ୍କ ମନ ମୋହୁଛି । ଚିକିତ୍ସା ପୂର୍ବରୁ ପ୍ରଥମେ ବୁଲିବୁଲି ମନୋରମ ପରିବେଶକୁ ଭରପୁର ଉପଭୋଗ କରୁଛନ୍ତି ରୋଗୀ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସୀମାନ୍ତରେ ପ୍ରବାହିତ ତେଲନଦୀ ଓ ଖଡଙ୍ଗ ନଦୀର ସଂଗମ ସ୍ଥଳରେ ଅବସ୍ଥିତ ଖୁଣ୍ଟିଗୋରା ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ।

ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ
ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ

ଖୁଣ୍ଟିଗୋରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳ ଖୁଣ୍ଟିଗୋରା ସମେତ ନାରାୟଣ ପ୍ରସାଦ, ଉମା, ଆମ୍ବଗାଁ, ଖମନମୁଣ୍ଡା ବରଗାଁ ଇତ୍ୟାଦି ପଞ୍ଚାୟତର ଲୋକେ ନିର୍ଭରଶୀଳ । ଏପରିକି ଏହାର ସୀମାକୁ ସଂଲଗ୍ନ କନ୍ଧମାଳ, କଳାହାଣ୍ଡି, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର କେତେକ ପଞ୍ଚାୟତର ଅଧିବାସୀ ମଧ୍ୟ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା ଲାଗି ରହୁଥିବା ବେଳେ ବର୍ତ୍ତମାନ ଏଠାକାର ପରିବେଶ ଓ ସ୍ବାସ୍ଥ୍ୟସେବାରେ ବିରାଟ ପରିବର୍ତ୍ତନ ଆସିଛି ।

ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ
ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ

ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରଙ୍ଗ ବେରଙ୍ଗ ଫୁଲ ସହିତ ଔଷଧୀୟ ବଗିଚା, ଫଳ ବଗିଚା ସହିତ ବର୍ଷା ଜଳ ସଂରକ୍ଷଣ, ଜୈବିକ ଖତ ପ୍ରସ୍ତୁତି ବ୍ୟବସ୍ଥା କରାଯାଇଛି । ଯାହାକି ପ୍ରତିଟି ଦେଖଣାହାରୀଙ୍କୁ ଆକର୍ଷିତ କରୁଛି । ଜିଲ୍ଲାର ସୀମାନ୍ତ ଥିବା ଏହି ବଣ ଜଙ୍ଗଲ ଘେରା ଅଞ୍ଚଳରେ ଦିନେ ମୋବାଇଲ ନେଟୱର୍କ ପାଇଁ ସମସ୍ୟା ରହୁଥିବା ବେଳେ ବର୍ତ୍ତମାନ ସେଠାରେ ଅନଲାଇନ ଓ ଟେଲିପ୍ୟାଥି ମାଧ୍ୟମରେ ଚିକିତ୍ସା ପାଇଁ ରୋଗୀମାନେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ପାରୁଛନ୍ତି । ଏପରିକି ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଏହି ମନୋରମ ପରିବେଶରେ ଅଧା ରୋଗମୁକ୍ତ ଅନୁଭବ କରୁଥିବା କୁହନ୍ତି ।

ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ
ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ

ଖୁଣ୍ଟିଗୋରା ସ୍ବାସ୍ଥ୍ୟକେନ୍ଦ୍ରକୁ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏହାର ଏପରି ସୌନ୍ଦର୍ଯ୍ୟକରଣ ହୋଇଛି । ଏହାପୂର୍ବରୁ ଜିଲ୍ଲାପାଳ ଅବହେଳିତ ହୋଇ ପଡିରହିଥିବା ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୋଷ୍ୟ ଗ୍ରହଣ ପରେ ଏହାର ପରିବେଶ ଓ କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି । ବର୍ତ୍ତମାନ ଏହି ଦୁଇ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛ ସୁନ୍ଦର ପରିବେଶ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ
ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.