ETV Bharat / state

ମଶାଧୂପ ଷ୍ଟାଣ୍ଡରେ ନିଜର ଗୁପ୍ତାଙ୍ଗ କାଟିଲେ ବିଚାରଧୀନ କଏଦୀ; ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Oct 1, 2023, 12:48 PM IST

ଜେଲ ଭିତରେ ମଶାଧୂପ ଷ୍ଟାଣ୍ଡରେ ନିଜର ଗୁପ୍ତାଙ୍ଗ ଓ ହାତ ଶିର କାଟିଲେ ବିଚାରଧୀନ କଏଦୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଜେଲରେ କଏଦୀଙ୍କ  ଆତ୍ମହତ୍ଯା ଉଦ୍ୟମ
ଜେଲରେ କଏଦୀଙ୍କ ଆତ୍ମହତ୍ଯା ଉଦ୍ୟମ

ଭଦ୍ରକ: ଜେଲ ଭିତରେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ମଶାଧୂପ ଷ୍ଟାଣ୍ଡରେ ନିଜରେ ହାତ ଶିର ଓ ଗୁପ୍ତାଙ୍ଗ କାଟିଲେ କଏଦୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କାରାଗାରରେ । ଗୁରୁତର ଅବସ୍ଥାରେ ସମ୍ପୃକ୍ତ କଏଦୀଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ନାମ ସୁଶାନ୍ତ ମାଝୀ । ପାରିବାରିକ ବିବାଦ ମାମଲାରେ ସେ ଜେଲ୍‌ରେ ଥିଲେ ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ୍‌ କୋଲ୍ହ ଗ୍ରାମର ସୁଶାନ୍ତ ମାଝୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କିଛି ଦିନ ତଳେ ପାରିବାରିକ କଳହ ସୃଷ୍ଟି ହୋଇଥିଲା । ସୁଶାନ୍ତ ନିଜ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ପତ୍ନୀ ତିହିଡ଼ି ଥାନାରେ ପହଞ୍ଚି ସ୍ବାମୀ ବିରୋଧରେ ମାମଲା ରୁଜୁ କରିଥିଲେ । ଏହାପରେ ତିହିଡ଼ି ପୋଲିସ ସୁଶାନ୍ତଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରିଥିଲା । ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସୁଶାନ୍ତଙ୍କୁ ଭଦ୍ରକ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଗଞ୍ଜାମରେ ଚାଞ୍ଚଲ୍ୟ: ଜଙ୍ଗଲରୁ ନରକଙ୍କାଳ ଠାବ, ହତ୍ୟା ସନ୍ଦେହ

କାରାଗାର କର୍ମଚାରୀଙ୍କ କହିବା ଅନୁଯାୟୀ, ଶନିବାର ଅପରାହ୍ନ ସମୟରେ ସୁଶାନ୍ତ ଜେଲରେ ଥିବା ଏକ ଧାରୁଆ ମଶାଧୂପ ଷ୍ଟାଣ୍ଡ ଦ୍ଵାରା ନିଜର ଯୌନାଙ୍ଗ ଏବଂ ହାତ ଶିର କାଟି ଦେଇଥିଲେ । ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ସେ ଅଚେତ ହୋଇଯାଇଥିଲେ । କାରାଗାର ପରିସରରେ ଥିବା ଅନ୍ୟ ବିଚାରଧୀନ କଏଦୀମାନେ ଏହା ଦେଖି ପରେ ଜେଲ କର୍ମଚାରୀଙ୍କୁ ଖବର ଦେଇଥିଲେ । ଏହାପରେ କର୍ମଚାରୀମାନେ ସୁଶାନ୍ତଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅତ୍ଯଧିକ ରକ୍ତସ୍ରାବ କାରଣରୁ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ସୁଶାନ୍ତ କାରାଗାରରେ ବନ୍ଦୀ ଥିବାବେଳେ ତାଙ୍କ ଠାରେ କୌଣସି ପ୍ରକାର ଅସ୍ବାଭାବିକ ଆଚରଣ ପରିଲକ୍ଷିତ ହୋଇନଥିବା କୁହାଯାଇଛି । ଏନେଇ ଜେଲରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ । ଏହି ଅଭାବନୀୟ ଘଟଣା ପରେ ଭଦ୍ରକ ଜିଲ୍ଲା କାରାଗାରର ସୁରକ୍ଷାକୁ ନେଇ ସାଧରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.