ETV Bharat / state

ଆଖଣ୍ଡଳମଣିଙ୍କ ପୀଠରେ ଘୋର ଅବ୍ୟବସ୍ଥା: ଜଳଲାଗି କରିବାକୁ ଆସି ମାଡ଼ ଖାଇଲେ କାଉଡ଼ିଆ

author img

By

Published : Jul 18, 2023, 1:18 PM IST

ଜଳଲାଗି ପାଇଁ ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠରେ ଠେଲାପେଲା । ଅସନ୍ତୋଷ ଜାହିର କଲେ କାଉଡିଆ । ଅଧିକ ପଢନ୍ତୁ

ଆଖଣ୍ଡଳମଣିଙ୍କ ପୀଠରେ ଠେଲାପେଲା
ଆଖଣ୍ଡଳମଣିଙ୍କ ପୀଠରେ ଠେଲାପେଲା

ଜଳଲାଗି ପାଇଁ ଠେଲାପେଲା, ଭାଙ୍ଗିଲା ବ୍ୟାରିକେଡ

ଭଦ୍ରକ: ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠରେ ଘୋର ଅବ୍ୟବସ୍ଥା ଦେଖାଯାଇଛି । ଜଳଲାଗି ପାଇଁ ଲାଇନରେ ଛିଡା ହୋଇଥିବା କାଆଡିଆଙ୍କ ଭିତରେ ଠେଲାପେଲା ହୋଇଛି । ହୋହଲ୍ଲା ଓ ଠେଲାପେଲାରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଲାଗିଥିବା ବ୍ୟାରିକେଡ ଭାଙ୍ଗିଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୃଦୁ ବଳ ପ୍ରୟୋଗ କରିବାରୁ ଏଥିରେ କିଛି କାଉଡ଼ିଆ ଆହତ ହୋଇଥିବାର ସୂଚନା ମିଳିଛି । ଏହି ଘଟଣା ପରେ ପୀଠରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

ଗତକାଲି ଶ୍ରାବଣ ସୋମବାର ଥିବାରୁ ଭଦ୍ରକ ଜିଲ୍ଲା ତଥା ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଳଲାଗି ପାଇଁ ରାଜ୍ୟରେ ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର କାଉଡିଆଙ୍କ ଅସମ୍ଭାଳ ଭିଡ଼ ଜମିଥିଲା । ବୋଲବମ ଭକ୍ତମାନେ ବାବାଙ୍କୁ ଜଳଲାଗି କରିବାକୁ ନିର୍ଦ୍ଧାରିତ ବ୍ୟାରିକେଡରେ ଅପେକ୍ଷା କରି ଲାଇନରେ ଆସିଥିଲେ । ହେଲେ କିଛି ସମୟ ପରେ ସେମାନଙ୍କ ଭିତରେ ଠେଲାପେଲା ହୋଇଥିଲା । ଏଥିରେ ବ୍ୟାରିକେଡ଼ ଭାଙ୍ଗି ଯାଇଥିଲା । ପୋଲିସ ସେଠାରେ ପହଞ୍ଚି ଭକ୍ତମାନଙ୍କ ଉପରେ ମୃଦୁ ବଳ ପ୍ରୟୋଗ କରିଥିବା ବୋଲି ଅଭିଯୋଗ ହୋଇଛି । ଏଥିରେ କିଛି କାଉଡିଆ ଭକ୍ତ ଆହତ ହୋଇଛନ୍ତି ।

ଏହାରି ଭିତରେ ପୀଠରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ କାଉଡିଆ ଭକ୍ତ ଆହତ ହୋଇଥିଲେ । ସେହିପରି ସେଠାରେ ଥିବା ପୋଖରୀରେ ପଡି ଆଉ ଜଣେ କାଉଡିଆ ଭକ୍ତ ଆହତ ହୋଇଥିବାର ଖବର ମିଳିଥିଲା । ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବା ଯୋଗୁଁ କାହାର ଜୀବନ ହାନି ଘଟିନାହିଁ । ସେପଟେ ସାଧାରଣ ଭକ୍ତମାନଙ୍କ ଗାଡିକୁ ପୋଲିସ ପୀଠଠାରୁ ତିନି କିଲୋମିଟର ଦୂରରୁ ଅଟକାଇବାରୁ ଏନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏହାମଧ୍ୟ ପଢନ୍ତୁ: କାଉଡ଼ିଆମୟ ବେଦବ୍ୟାସ ମନ୍ଦିର, ଜଳଲାଗି କଲେ ଶ୍ରଦ୍ଧାଳୁ

ପ୍ରକାଶ ଥାଉକି, ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ମାସର ସୋମବାର ଦିନ ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର ଦୈନନ୍ଦିନ ନୀତିକାନ୍ତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ସୋମବାର ନିର୍ଦ୍ଧାରିତ ସମୟରେ ପୀଠରେ ପ୍ରାତଃକାଳରୁ ରୀତିନୀତି ଅନୁଯାୟୀ ପହଡ଼ ଖୋଲିବା ପରେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ସମ୍ପନ୍ନ ହୋଇଥିଲା । ଏହାପରେ କାଉଡ଼ିଆମାନେ ସ୍ବତନ୍ତ୍ର ବ୍ୟାରିକେଡରେ ଯାଇ ବାବାଙ୍କୁ ଜଳଲାଗି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ମହିଳା କାଉଡିଆ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।

ପୂର୍ବ ଅପେକ୍ଷା ପୀଠରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ଶ୍ରାବଣୀ ଯାତ୍ରାରେ ଯେପରି ଶୃଙ୍ଖଳିତ ଭାବେ କାଉଡିଆ ଜଳଲାଗି କରିପାରିବେ, ସେଥିପାଇଁ ମନ୍ଦିର ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ବତନ୍ତ୍ର ବାରିକେଡ୍‌ ନିର୍ମାଣ କରାଯାଇଛି । ତେବେ ଚଳିତ ବର୍ଷ ମୌଳମାସ ପଡ଼ୁଥିବା ଯୋଗୁଁ ୭ଟି ସୋମବାରରେ କାଉଡିଆ ଭକ୍ତମାନେ ଜଳାଭିଷେକ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ତଥା ପରିଚାଳନା କମିଟି ପକ୍ଷରୁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ଏହି ଠେଲାପେଲା ଘଟଣା କେଉଁଠି ନା କେଉଁଠି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.