ETV Bharat / state

ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ, ପରିବାର ଲୋକେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ

author img

By

Published : Mar 27, 2023, 6:57 PM IST

ଭଦ୍ରକ ଜିଲ୍ଲାରେ ଥମୁନି ନବବଧୂ ହତ୍ୟା । ଯୌତୁକ ଦାବିରେ ଶ୍ବଶୁର ଘର ଲୋକେ ନବବଧୂଙ୍କୁ ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

newly married woman allegedly killed in bhadrak
ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକ: ଯୌତୁକ ଜୁଇରେ ଜଳିଲା ନବବଧୂ । ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ବାରମ୍ବାର ଯୌତୁକ ଦାବି କରି ଶାଶୁଘର ଅକଥନୀୟ ନିର୍ଯାତନା ଦେବା ସହ ଝିଅକୁ ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ନେଇ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ନ୍ୟାୟ ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ମୃତ ମହିଳାଙ୍କ ପରିବାର ଲୋକେ ।

ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନା ଅଧିନ କୁଆଁସ ଅଞ୍ଚଳର ଅନୁସୟା ମୁଖୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧିନରେ ନର୍ସ ଭାବେ କାର୍ଯ୍ୟରତ ଥିଲେ । ସେ ପିରାହାଟ ଥାନା ଅଧିନ ପିରତିପୁର ଗ୍ରାମର ମନୋଜ ଦାସଙ୍କୁ ପ୍ରେମ କରି ପରିବାର ସମ୍ମତିରେ ବିବାହ କରିଥିଲେ । ଅନୁସୟା ଅନ୍ୟ ଜାତିର ହୋଇ ଥିବାରୁ ବିବାହ ପରେ ଶ୍ବଶୁର ଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ ବୋଲି ଅନୁସୟାଙ୍କ ମାଆ କହିଛନ୍ତି । ପରେ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣାରେ ଶ୍ବଶୁର ଘରକୁ ଅନୁସୟା ଯାଇଥିଲେ । କିନ୍ତୁ ତାଙ୍କୁ ସେଠାରେ ଯୌତୁକ ଦାବି କରିବା ସହ ଅକଥନୀୟ ଅତ୍ୟାଚାର କରାଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତି କି ସ୍ୱାମୀ ମଧ୍ଯ ପରିବାର ଲୋକଙ୍କ ସହିତ ମିଶି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: OYO ପାଲଟିଲା ଶେଷ ଠିକଣା, ପ୍ରେମିକାଙ୍କ ଓଢଣୀରେ ଝୁଲି ପଡିଲେ ପ୍ରେମିକ !

ଯୌତୁକ ଦାବି କରି ସ୍ବାମୀ ଏବଂ ଶ୍ବଶୁର ଘର ଲୋକେ ତାଙ୍କୁ ଅସହ୍ୟ ମାଡ଼ ମାରିଥିଲେ । ଫଳରେ ସେ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତୁରନ୍ତ ଭଦ୍ରକ ମେଡିକାଲରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଝିଅକୁ ହତ୍ୟା କରାଯାଇଥିବା ନେଇ ମୃତ ମହିଳାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ତେଣୁ ଝିଅକୁ ନ୍ୟାୟ ଦେବା ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ଅନ୍ୟପଟେ ଏହି ଘଟଣା ନେଇ ଭଦ୍ରକ ଜିଲ୍ଲା ପୋଲିସ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.