ETV Bharat / state

OYO ପାଲଟିଲା ଶେଷ ଠିକଣା, ପ୍ରେମିକାଙ୍କ ଓଢଣୀରେ ଝୁଲି ପଡିଲେ ପ୍ରେମିକ !

author img

By

Published : Mar 26, 2023, 4:02 PM IST

Updated : Mar 26, 2023, 11:05 PM IST

ପ୍ରେମିକାର ଜନ୍ମଦିନ ପାଳିବାକୁ ଓୟୋ ଯାଇଥିଲେ । ହେଲେ ଆଉ ଘରକୁ ଫେରିଲେ ନାହିଁ । ଭୁବନେଶ୍ବର ଜାଗମରା ଅଞ୍ଚଳ ସ୍ଥିତ ଓୟୋ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

man dead body found from oyo hotel
ଓୟୋ ହୋଟେଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଓୟୋ ରୁମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଓୟୋ ରୁମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଧୁମାନଙ୍କ ସହ ଜନ୍ମଦିନ ପାଳନ କରିବାକୁ ଯାଇଥିବାବେଳେ ହୋଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭୁବନେଶ୍ବର ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ହୋଟେଲରେ ଉପସ୍ଥିତ ବନ୍ଧୁମାନେ ଏହାକୁ ଆତ୍ମହତ୍ୟା କହୁଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଇଛି ।

ସୂଚନା ଅନୁଯାୟୀ, ମୃତ ଯୁବକ ହେଉଛନ୍ତି ନିଆଳି ଅଞ୍ଚଳର ଦୁର୍ଗା ପ୍ରସାଦ ମିଶ୍ର । ପ୍ରେମିକାଙ୍କ ଜନ୍ମଦିନ ପାଳନ ପାଇଁ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲର ଦୁଇଟି ରୁମ ବୁକ ହୋଇଥିଲା । ଏଥିରେ ଦୁର୍ଗାଙ୍କ ପ୍ରେମିକା ଓ ଦୁଇ ଜଣ ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ । ଏହାପରେ ଚାରିଜଣ ଜନ୍ମଦିନ ସେଲିବ୍ରେସନ କରିଥିଲେ । କେକ କଟା ସରିବା ପରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ।

ଦୁର୍ଗା ପ୍ରସାଦ ରାଗିଯାଇ କିଛି ସମୟ ବାହାରକୁ ଚାଲିଆସିଥିଲେ । ପରେ ସେ ହୋଟେଲର କାଚ ଭାଙ୍ଗି ଭିତରକୁ ପସିଥିଲେ । ଯାହାକୁ ନେଇ ପ୍ରେମିକାଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା । ପ୍ରେମିକାଙ୍କ କହିବା ଅନୁଯାୟୀ, ସେ ୱାଶରୁମ ଯିବା ସମୟରେ ଦୁର୍ଗା ତାଙ୍କ ଓଢ଼ଣୀରେ ଝୁଲି ପଡ଼ିଥିଲେ । ସେ ୱାଶରୁମରୁ ଆସିବା ପରେ ଝୁଲନ୍ତା ଅବସ୍ଥାରେ ଥିଲେ ଦୁର୍ଗା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହୋଟେଲ ରୁମକୁ ସିଲ କରିଛି ଏବଂ ହୋଟେଲର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍ସ ମେଡ଼ିକାଲକୁ ପଠାଯାଇଛି ।

ଅନ୍ୟପଟେ ଦୁର୍ଗା ପ୍ରସାଦଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ କହିଛନ୍ତି," ଦୁର୍ଗା ପ୍ରସାଦଙ୍କ ସାଙ୍ଗମାନେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛନ୍ତି । ଫଳରେ ପୁଅ ଏପରି ଚରମ ନିଷ୍ପତ୍ତି ନେଇଛି ।" ଏହା ଏକ ଷଡଯନ୍ତ୍ର ବୋଲି ପରିବାର ଲୋକେ କହିଛନ୍ତି ।

ଅନ୍ୟପଟେ ଏହି ଘଟଣା ନେଇ ଭୁବନେଶ୍ବର ଡିସିପି କହିଛନ୍ତି, " ହୋଟେଲ ରୁମ ଓ ସିସିଟିଭି ଫୁଟେଜକୁ ସିଲ କରାଯାଇଛି । କର୍ମଚାରୀଙ୍କୁ ପଚରାଉଚରା କରାଯିବ । ଜନ୍ମଦିନ ସେଲିବ୍ରେସନରେ ସାମିଲ ହୋଇଥିବା ଦୁଇ ବନ୍ଧୁ ଓ ପ୍ରେମିକାଙ୍କୁ ପଚରାଉଚରା କରାଯାଉଛି । ପରିବାର ଲୋକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଛି । "ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 26, 2023, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.